ଶୁକ୍ରଗ୍ରହ ଆମ ଭାବନାଠାରୁ ଅଧିକ ରହସ୍ୟମୟ: ଅମ୍ଳଜାନର ସନ୍ଧାନ ପରେ ଜୀବନର ସନ୍ଧାନ ଜାରି

ନୂଆଦିଲ୍ଲୀ: ପୃଥିବୀର ରହସ୍ୟମୟ ଯମଜ ଭଗିନୀ ଶୁକ୍ର ନିଜର ପ୍ରତିକୂଳ ପରିବେଶ ପାଇଁ ଜଣାଶୁଣା। ଏବେ ଜଣାପଡ଼ିଛି ଯେ ପୃଥିବୀର ଏହି ନିକଟତମ ଗ୍ରହରେ ଅମ୍ଳଜାନ ଅଛି। କିନ୍ତୁ ସେ ଅମ୍ଳଜାନ ଆମ ପୃଥିବୀର ଅମ୍ଳଜାନ ପରି ନୁହେଁ। ପୃଥିବୀର ଅମ୍ଳଜାନରେ ଦୁଇଟି ପରମାଣୁ ଥିବା ବେଳେ ଏଥିରେ ଗୋଟିଏ ପରମାଣୁ ଅଛି। ଦିବାଭାଗରେ ଶୁକ୍ରଙ୍କ ଯେଉଁ ଅଂଶ ସୂର୍ଯ୍ୟଙ୍କ ଆଡ଼କୁ ଥାଏ, ସେହି ଅଂଶରେ ହିଁ ଅମ୍ଳଜାନ ସୃଷ୍ଟି ହୋଇଥାଏ। ଇନ୍‌ଫ୍ରାରେଡ୍ ଟେଲିସ୍କୋପ୍ ଥିବା ସଂଶୋଧିତ ବୋଇଂ ୭୪୭ଏସ୍‌ପି ବିମାନ ବା ସୋଫିଆ ବାୟୁଯୁକ୍ତ ପର୍ଯ୍ୟବେକ୍ଷଣାଗାରରେ ଥିବା ଏକ ଉପକରଣ ବ୍ୟବହାର କରି ଏହା ଚିହ୍ନଟ କରାଯାଇଛି। ନାସା ଓ ଜର୍ମାନ ଏରୋସ୍ପେସ୍ ସେଣ୍ଟରର ଏହି ମିଳିତ ପ୍ରକଳ୍ପ ଶୁକ୍ରଗ୍ରହର ବାୟୁମଣ୍ଡଳୀୟ ଗଠନକୁ ବୁଝିବା ପାଇଁ ନୂତନ ମାର୍ଗ ଉନ୍ମୋଚନ କରିଛି। ପୃଥିବୀର ବାୟୁମଣ୍ଡଳରେ ଅମ୍ଳଜାନ ପ୍ରାୟ ୨୧% ଥିବା ବେଳେ ଶୁକ୍ରଗ୍ରହରେ ଏକ ବହଳିଆ ଓ ବିଷାକ୍ତ ବାୟୁମଣ୍ଡଳ ଅଛି, ଯେଉଁଥିରେ ଅଙ୍ଗାରକାମ୍ଳ ୯୬.୫% ରହିଛି। ଏଥିରେ ଅତି କମ୍ ପରିମାଣର ଯବକ୍ଷାରଜାନ ଓ ଟ୍ରେସ୍ ଗ୍ୟାସ୍ ମଧ୍ୟ ରହିଛି। ଅମ୍ଳଜାନ ପ୍ରାୟ ଅନୁପସ୍ଥିତ, ଯାହା ଏହି ଆବିଷ୍କାରକୁ ଗୁରୁତ୍ୱପୂର୍ଣ୍ଣ କରିଛି।

ଏହି ଅମ୍ଳଜାନ ପୃଥିବୀର ଆଣବିକ ଅମ୍ଳଜାନଠାରୁ ଭିନ୍ନ କାରଣ ପୃଥିବୀର ଅମ୍ଳଜାନ ଦୁଇଟି ଅମ୍ଳଜାନ ପରମାଣୁକୁ ନେଇ ଗଠିତ ଓ ଶ୍ୱାସକ୍ରିୟା ପାଇଁ ଉପଯୁକ୍ତ ହୋଇଥିବା ବେଳେ ଶୁକ୍ରରେ ଥିବା ଅମ୍ଳଜାନ ଅଣୁରେ ଗୋଟିଏ ମାତ୍ର ପରମାଣୁ ଥାଏ। ଗବେଷକମାନେ ଶୁକ୍ରଗ୍ରହର ଉଭୟ ସୂର୍ଯ୍ୟମୁଖୀ ପାର୍ଶ୍ୱ, ଯେଉଁଠାରେ ଏହା ଉତ୍ପନ୍ନ ହୁଏ ଏବଂ ସୂର୍ଯ୍ୟଠାରୁ ଦୂରରେ ଥିବା ପାର୍ଶ୍ୱରୁ ଅମ୍ଳଜାନ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଶୁକ୍ର ବାୟୁମଣ୍ଡଳ ଅତ୍ୟନ୍ତ ଘନ। ଏହି ଗବେଷଣାର ମୁଖ୍ୟ ଲେଖକ ତଥା ଜର୍ମାନ ଏରୋସ୍ପେସ୍ ସେଣ୍ଟରର ପଦାର୍ଥବିଜ୍ଞାନୀ ହେଞ୍ଜ-ୱିଲହେଲ୍‌ମ ହିବର୍ସ କହିଛନ୍ତି ଯେ ଶୁକ୍ରଗ୍ରହରେ ଥିବା ଅମ୍ଳଜାନ ଶ୍ବାସକ୍ରିୟା ପାଇଁ ଉପଯୁକ୍ତ ନୁହେଁ। ସେ କହିଛନ୍ତି, ସୂର୍ଯ୍ୟରୁ ଅତିବାଇଗଣୀ ରଶ୍ମି ବିକିରଣ ଦ୍ୱାରା ଶୁକ୍ରଗ୍ରହରେ ଦିନବେଳା ଅମ୍ଳଜାନ ଉତ୍ପନ୍ନ ହୁଏ। ଦିନବେଳା ସୂର୍ଯ୍ୟଙ୍କ କିରଣରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‌ ଭାଙ୍ଗିବା କାରଣରୁ ଏହି ଏକକ ପରମାଣୁବିଶିଷ୍ଟ ଅମ୍ଳଜାନ ଉତ୍ପନ୍ନ ହୁଏ। ଏହାପରେ କିଛି ଅମ୍ଳଜାନ ପବନ ମାଧ୍ୟମରେ ଶୁକ୍ରୀୟ ରାତି ପାର୍ଶ୍ୱକୁ ପରିବାହିତ ହୋଇଥାଏ। ଶୁକ୍ରପୃଷ୍ଠରୁ ପ୍ରାୟ ୬୦ ମାଇଲ (୧୦୦ କିଲୋମିଟର) ଉଚ୍ଚତାରେ ଶୁକ୍ରୀୟ ବାୟୁମଣ୍ଡଳର ଦୁଇଟି ସ୍ତର ମଧ୍ୟରେ ଏହି ଅମ୍ଳଜାନ କେନ୍ଦ୍ରୀଭୂତ ହୋଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରଗ୍ରହର ବିବର୍ତ୍ତନ ଏବଂ ଏହା ପୃଥିବୀଠାରୁ ଏତେ ଭିନ୍ନ କାହିଁକି ତାହା ବୁଝିବା ପାଇଁ ଆମେ ଏବେ ବି ପ୍ରାରମ୍ଭିକ ସ୍ତରରେ ଅଛୁ ବୋଲି ହିବର୍ସ କହିଛନ୍ତି। ଏହି ଆବିଷ୍କାର ଶୁକ୍ର ଗ୍ରହର ଅନୁସନ୍ଧାନ ଏବଂ ଏହାର ବାୟୁମଣ୍ଡଳୀୟ ଗଠନ ବୁଝିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର