ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ପ୍ରଥମ ଲକ୍ଷ୍ୟ: ମନ୍ତ୍ରୀ

ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଯେପରି ବିଶ୍ବରେ ପରିଚିତ ହୋଇପାରିଛି, ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ‌ରେ ବି ସେ ଉପଲବ୍ଧି ହାସଲ କରିବା ଆମର ପ୍ରାଥମିକ ଲକ୍ଷ୍ୟ ହେବା ଉଚିତ। ପୁଲିସ ଭବନଠାରେ ଅନୁଷ୍ଠିତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ଏହା କହିଛନ୍ତି। ସେ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ପ୍ରସ୍ତୁତ।

ବିଶିଷ୍ଟ ଅତିଥି ବାଣିଜ୍ୟ ଏବଂ ପରିବହନ ମୁଖ୍ୟ ସଚିବ ଉଷା ପାଢ଼ୀ ଯୋଗଦେଇ କହିଲେ ଯେ ରାସ୍ତା ନିର୍ମାଣରେ ତ୍ରୁଟି, ଯାନବାହାନର ତ୍ରୁଟି କିମ୍ବା ଚାଳକଙ୍କ ଅସାବଧାନତା ଯୋଗୁଁ ମୁଖ୍ୟତଃ ଦୁର୍ଘଟଣା ଘଟିଥାଏ। ତେଣୁ ଦୁର୍ଘଟଣା ହ୍ରାସ ପାଇଁ ଏସବୁ ଦିଗରେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି। ରାସ୍ତାର ଇଂଜିନିୟରିଂ ତ୍ରୁଟିକୁ ଚିହ୍ନଟ କରି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି। ବର୍ଷତମାମ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଚାଳକଙ୍କୁ ସଚେତନ କରାଯାଉଛି। ରାଜ୍ୟ ପରିବହନ କମିସନର ଅରୁଣ ବୋଥ୍ରା ବୁଦ୍ଧିମାନ ଭାବେ ନିଷ୍ପତ୍ତି ନେବା ଏବଂ ରାସ୍ତାକୁ ଅଧିକ ନିରାପଦ କରିବା ପାଇଁ ସମସ୍ତେ ପ୍ରତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଳଚେରର ବାପି ମହାନ୍ତି, ବାଲେଶ୍ବରର ବରୁଣ ମହାଳିକ, ଗଞ୍ଜାମର ଅବିନାଶ ପାଣିଗ୍ରାହୀ, କଟକ ପ୍ରତାପନଗରୀର ରଞ୍ଜିତ ସ୍ବାଇଁ, କନ୍ଧମାଳ ଟିକାବାଲିର ହୃଦୟ ହରି ନାୟକ ଓ ନୀଳମାଧବ ପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆର୍‌ଟିଓ-୧ ବିକାଶ ଚୌଧୁରୀ, ଆର୍‌ଟିଓ-୨ ସନତ୍‌ ଜେନାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଅତିରିକ୍ତ ପରିବହନ କମିସନର ଲାଲ୍‌ମୋହନ ସେଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର