ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣା‌: ବିଜେପିର ଡିସିପି ଅଫିସ ଘେରାଉ

ପୁଲିସ୍‌-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ଡିସିପି କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଜେପି ପକ୍ଷରୁ ଏକ ବିଶାଳ ସମାବେଶ ବାହାରି ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପୁଲିସ ସହ କର୍ମୀମାନଙ୍କର କିଛି ସମୟ ଧସ୍ତାଧସ୍ତି ହୋ‌ଇଥିଲା। ପରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଡିସିପିଙ୍କୁ ପ୍ରଦାନ କରାଯାଇଥିଲା।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି କି, ଧର୍ମେନ୍ଦ୍ର ନିଜ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଛନ୍ତି। ଏ ନେଇ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ ଫୋନ୍ କରି ସବିଶେଷ ତଥ୍ୟ ଦେଇଛନ୍ତି। କିନ୍ତୁ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନାହିଁ। ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜନୈତିକ ବିବାଦ ଓ ପାରିବାରିକ କଳହ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର କାରଣ। ପୁଲିସ ଘଟଣାର ନିରପେକ୍ଷ ତଦନ୍ତ କଲେ ଅନେକ ତଥ୍ୟ ସାମ୍ନାକୁ ଆସିପାରିବ। ଧଉଳି ଥାନା ପୁଲିସ ଏ ଦିଗରେ ତଦନ୍ତ ନ କଲେ ଆଗାମୀ ଦିନରେ ବିଜେପି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ। ଏହି ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦିଲ୍ଲୀପ ନାୟକ, ଆଶ୍ରିତ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ର, ଉମାକାନ୍ତ ନାୟକ, ଦିଗଦର୍ଶନ ପଟ୍ଟନାୟକ, ବାଇଧର ମଲ୍ଲିକ, ଜ୍ୟୋତି ମହାପାତ୍ର, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଓଝା, ସୁଶାନ୍ତ ସ୍ବାଇଁ, ଯୁବମୋର୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ବାବୁ ସିଂହ, ଜିଲ୍ଲା ଉପସଭାପତି ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ନିମାପଡ଼ା ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଆଜି କମିସନରେଟ ପୁଲିସ ପକ୍ଷରୁ ନୋଟିସ୍ କରାଯାଇଛି। ନୋଟିସରେ କୁହାଯାଇଛି, ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା‌ ସମ୍ପର୍କରେ ତାଙ୍କ ପାଖରେ ଯାହା ତଥ୍ୟ କିମ୍ବା ପ୍ରମାଣ ଅଛି ତାକୁ ନେଇ ସେ ଆସନ୍ତାକାଲି ଡିସିପି କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସୂଚନା ଦେବେ।

ସମ୍ବନ୍ଧିତ ଖବର