ପୁଣି ଅଶାନ୍ତ ବ‌ିଜେବି କ୍ୟାମ୍ପସ: ଛାତ୍ରୀଙ୍କ ଓଢ଼ଣି ଟାଣି ଦୁଷ୍କର୍ମ ଧମକ

ଭୁବନେଶ୍ବର: ସ୍କର୍ପିଓ ଧରି କ୍ୟାମ୍ପସରେ ପଶିଲେ। କେହି କିଛି ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଓଢ଼ଣି ଟାଣାଓଟରା କଲେ। ଆଉ ଦୁଷ୍କର୍ମ ପାଇଁ ଧମକ ଦେଇ ଚାଲିଗଲେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ। ଏହାକୁ ନେଇ କ୍ୟାମ୍ପସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ୍‌ କ୍ୟାମ୍ପସ୍‌ ଭିତରେ ଛାତ୍ରୀମାନେ ଅସୁରକ୍ଷିତ ମଣୁଥିବାରୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରାାଯାଇଛି। ସୂଚନା ମୁତାବକ, ଶୁକ୍ରବାର ଦିନ ପାଖାପାଖି ଗୋଟାଏ ସମୟରେ ଛାତ୍ରୀ ଜଣକ ଆର୍ଟସ୍‌ ବ୍ଲକ୍‌ ନିକଟରେ ଯାଉଥିବା ବେଳେ ଏକ ଧଳାରଙ୍ଗର ସ୍କର୍ପିଓ ପିଛା କରି ତାଙ୍କ ନିକଟକୁ ଯାଇଥିଲା। ଛାତ୍ରୀଙ୍କ ନିକ‌ଟରେ ସ୍କର୍ପିଓକୁ ରଖି ଭିତରେ ଥିବା ଯୁବକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ଛାତ୍ରୀଜଣଙ୍କ ବିରୋଧ କରିବାରୁ ସ୍କର୍ପିଓରୁ କିଛି ଛାତ୍ର ଓ ଅଣଛାତ୍ର ବାହାରି ତାଙ୍କ ନିକଟକୁ ମାଡ଼ିଯାଇ ତାଙ୍କ ଓଢ଼ଣି ଟଣାଓଟରା କରିଥିଲେ। ଛାତ୍ରୀଜଣଙ୍କ ଭୟରେ ପାଟିକରି ଥିଲେ। ଦୁର୍ବୃତ୍ତମାନେ ପଳାଇ ଯିବା ପୂର୍ବରୁ ଦୁଷ୍କର୍ମ ଧମକ ଦେଇ ଦ୍ରୁତଗତିରେ ସ୍କର୍ପିଓ ଧରି ଫେରାର୍‌ ହୋଇଯାଇଥିଲେ। ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ସ୍ଥିତି ଆୟତ୍ତ ହୋଇଥିଲା। ପୁଲିସ ଏକ ମାମଲା ରୁଜୁକରି ଆଖାପାଖରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରୁଛି। କିଛି ଛାତ୍ରୀ ଦୁର୍ବୃତ୍ତମାନଙ୍କୁ ଚିହ୍ନିଥିବା ପୁଲିସକୁ କହିଛନ୍ତି। ସେମାନେ ଦୁର୍ବୃତ୍ତମାନଙ୍କ ନାମ ମଧ୍ୟ ପୁଲିସକୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର