ବଡ଼ ଦୋକାନକୁ ସବୁ ମାଫ୍‌, ଛୋଟ ଦୋକାନିଙ୍କୁ ନାଲିଆଖି

ଆର୍‌ଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗର ପାତରଅନ୍ତର ଅଭିଯୋଗ

ରାଉରକେଲା: ବଡ଼ବଡ଼ିଆଙ୍କୁ ସବୁ ମାଫ୍‌; କିନ୍ତୁ ସର୍ବଦା ‌ତଳିଆଙ୍କ ଉପରେ ପାହାର। ଏହି ଉକ୍ତି ପ୍ରାୟ ସବୁକ୍ଷେତ୍ରରେ ପ୍ରୟୂଜ୍ୟ। ବିଶେଷକରି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନିଆଯାଉଥିବା ଯାଞ୍ଚ, ଚଢ଼ଉରେ ପାତରଅନ୍ତର ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହୁଏ। କେବଳ ବିଭିନ୍ନ ଅଞ୍ଚଳରେ ଥିବା ଛୋଟଛୋଟ ଫୁଡ୍‌ଷ୍ଟଲ, ଫୁଡ୍‌କୋର୍ଟ, ଛୋଟ ଦୋକାନରେ ଏହି ଅତର୍କିତ ଚଢ଼ଉ ଦେଖିବାକୁ ମିଳୁଛି। ଅପରପକ୍ଷରେ ସବୁ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରୁଥିବା ନାମୀଦାମୀ ମିଠା ଦୋକାନ, ରେସ୍ତୋରାଁ, ହୋଟେଲ୍‌ରେ କିନ୍ତୁ ଯାଞ୍ଚ ପହଞ୍ଚିପାରୁନି।
ଆର୍‌ଏମ୍‌ସି ଅଞ୍ଚଳରେ ଥିବା ଏକ ପ୍ରମୁଖ ମିଠା ଦୋକାନରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମିଠାର ଉତ୍ପାଦନ ତାରିଖ ଓ ଏହାର ବ୍ୟବହାରଯୋଗ୍ୟ ଅବଧି(ଏକ୍ସପାଏରି ତାରିଖ) ଉଲ୍ଲେଖ କରିବା ବାଧ୍ୟତାମୂଳକ। କିନ୍ତୁ ଉକ୍ତ ମିଠା ଦୋକାନରେ ଉତ୍ପାଦନ ତାରିଖ ‘ଆଜି’ ଲେଖା ଯାଉଛି। ଅର୍ଥାତ୍‌, ଜଣେ ଗ୍ରାହକ ଯେଉଁ ଦିନ ବି ମିଠା କିଣିବେ, ସେ ଉକ୍ତ ଦିନ ହିଁ ମିଠା ପ୍ରସ୍ତୁତ ହୋଇଥିବା ଭାବିବା ସ୍ବାଭାବିକ୍‌। ଅବଶ୍ୟ, ପ୍ରସ୍ତୁତିର ୩ ଦିନ ଭିତରେ ବ୍ୟବହାର କରିବାକୁ ଉଲ୍ଳେଖ ହେଉଛି। ଯେହେତୁ ଉତ୍ପାଦନ ତାରିଖ ଉଲ୍ଳେଖ ହୋଇନି, ଏଣୁ ତାହା କେବଳ ଔପଚାରିକତା ପାଲଟିଛି। କେବଳ ଏହି ଗୋଟିଏ ମିଠା ଦୋକାନ ନୁହେଁ; ବରଂ ଏକାଧିକ ମିଠା ଦୋକାନ ସମେତ ପ୍ରତିଷ୍ଠିତ ରେସ୍ତୋରାଁରେ ନିୟମ ମାନୁନାହାନ୍ତି। ଗତ ଅକ୍ଟୋବର ପହିଲାରୁ ଆଜି ପର୍ଯ୍ୟନ୍ତ ଆର୍‌ଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ଯାଞ୍ଚ କରିଥିବା ଦୋକାନଗୁଡ଼ିକୁ ଦେଖିଲେ; ବିଭାଗର ପକ୍ଷପାତିତା ନୀତି ସ୍ପଷ୍ଟ ଜଣାପଡ଼େ। ଦୀପାବଳି ପୂର୍ବରୁ ସହରର ବିଭିନ୍ନ ମିଠା ଦୋକାନରେ ଚଢ଼ଉ କରାଯାଇଥିଲା। ଗତ ନଭେମ୍ବର ୧୧ ଓ ୯ ତାରିଖରେ ସ୍ଥାନୀୟ ଡେଲିମାର୍କେଟ୍‌, ଉଦିତନଗର, ରେଲୱେ ଷ୍ଟେସନ ଅଞ୍ଚଳରେ ଥିବା ଅପେକ୍ଷାକୃତ ଛୋଟ ଦୋକାନରେ ହିଁ ଚଢ଼ଉ କରାଯାଇଥିଲା। ଗତ ଅକ୍ଟୋବର ୨୪ରେ ସେକ୍ଟର-୨, ସେକ୍ଟର-୧, ଟେଲିଫୋନ ଭବନ ପୂଜା ପଡ଼ିଆରେ ଥିବା ଫୁଡ୍‌ଷ୍ଟଲ୍‌ରେ ଯାଞ୍ଚ ହୋଇଥିଲା।
ସେହିଭଳି ଅକ୍ଟୋବର ୨୩ରେ ସେକ୍ଟର-୮ ଓ ସେକ୍ଟର-୧୬, ଅକ୍ଟୋବର ୧୯ରେ ବନ୍ଧମୁଣ୍ଡା ଅଞ୍ଚ, ଅକ୍ଟୋବର ୧୮ରେ ସେକ୍ଟର-୨ ଅଞ୍ଚଳ, ଅକ୍ଟୋବର ୧୭ରେ ବିର୍ସା ରୋଡ୍‌, କୋଏଲନଗର, ଅକ୍ଟୋବର ୧୧ରେ ଛେଣ୍ଡ୍‌, ଅକ୍ଟୋବର ୬‌ରେ ସେକ୍ଟର-୧୬, ସେକ୍ଟର-୧୮ରେ ଥିବା ବିଭିନ୍ନ ମାର୍କେଟରେ ଥିବା ଫାଷ୍ଟ୍‌ଫୁଡ୍‌ ଷ୍ଟଲ, ଦୋକାନ ବଜାରରେ ଯାଞ୍ଚ କରାଯାଇଥିଲା। କେବଳ ଯାଞ୍ଚ ନୁହେଁ; ବରଂ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ବି ଆଦାୟ ହୋଇଥିଲା। ତେବେ ସହରରେ ଥିବା ଏକାଧିକ ପ୍ରତିଷ୍ଠିତ ମିଠା ଦୋକାନ, ହୋଟେଲ, ରେସ୍ତୋରାଁରେ କିନ୍ତୁ ଏଯାଏ ଥରୁଟିଏ ବି ଯାଞ୍ଚ କରାଯାଇନଥିବା ଅଭିଯୋଗ ହେଉଛି।
ସମ୍ବନ୍ଧିତ ଖବର