ଇତିହାସ ପୃଷ୍ଠାରୁ: କାମ ଦେଲାନି ନେହରୁଙ୍କ ପ୍ରଚାର; ଜିତିଥିଲେ ସିଂହଦେଓ

କେବେ ହାରିନଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ: ଅପରାଜେୟ ରାଜେନ୍ଦ୍ର ନାରାୟଣ

ତଦାନୀନ୍ତନ ପାଟଣାର ଶେଷ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ବାଧୀନତା ପର ପ୍ରଥମ ଲୋକସଭା ନିର୍ବାଚନ (୧୯୫୧-୫୨)ରେ ଲଢ଼ି ଜିଣିଥିଲେ। ନିର୍ବାଚନମଣ୍ଡଳୀର ନାମ ଥିଲା କଳାହାଣ୍ଡି-ବଲାଙ୍ଗୀର। ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏହି ନିର୍ବାଚନମଣ୍ଡଳୀରେ ଥାଇ ଏହା ଏକ ଦ୍ବୈତ ନିର୍ବାଚନମଣ୍ଡଳୀ ଥିଲା। ରାଜେନ୍ଦ୍ର ନାରାୟଣଙ୍କ ବିପକ୍ଷରେ ପ୍ରଚାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ୧୯୫୧ ଡିସେମ୍ବର ୧୩ ତାରିଖ ଦିନ ବଲାଙ୍ଗୀର ଆସି ବିରାଟ ସଭା କରିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’ ବହିରେ ନେହରୁଙ୍କ ସେହି ନିର୍ବାଚନ ପ୍ରଚାରର ବର୍ଣ୍ଣନା ରହିଛି।

ସେ ବେଳେ ବଲାଙ୍ଗୀରରେ ଗୋଟିଏ ଛୋଟିଆ ପାୱାରହାଉସ୍‌ରୁ ଯେତେ ବିଜୁଳି ଉତ୍ପାଦିତ ହେଉଥିଲା ତହିଁରେ ପ୍ୟାଲେସ୍‌ରେ ସୁଦ୍ଧା ଆଲୁଅ ମିଞ୍ଜିମିଞ୍ଜି ଜଳୁଥିଲା। ନେହରୁଙ୍କ ଆଗମନ ଉପଲକ୍ଷେ ସହରରେ ଲାଇନ୍‌ ଟଣା କାମ ଚାଲିଲା। ସେ ବେଳେ ବଲାଙ୍ଗୀର ଜିଲ୍ଲାପାଳ ଥିଲେ ରାମକୃଷ୍ଣାୟା। ସଭାସ୍ଥଳରେ ତିନି ଚାରିଟା ବଲ୍‌ବ, ଲାଇନ୍‌ ଟଙ୍ଗା ହୋଇ ଜଳିଲା। ତଥାପି ସଭାମଞ୍ଚ ଉପରେ ରହିଲା କେତୋଟି ପେଟ୍ରୋମାକ୍ସ ଲାଇଟ୍‌, କାଳେ ଲାଇଟ୍‌ ଚାଲିଯିବ। ସଭାଦିନ ଥିଲା ଗୁରୁବାର। ସଭାମଞ୍ଚରେ ପଣ୍ଡିତ ନେହରୁ, ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ, କଂଗ୍ରେସ ବିଧାନସଭା ପ୍ରାର୍ଥୀ ତଥା ଓଡ଼ିଶାର ଏକ୍‌ଜ୍ୟୁଟିଭ୍‌ କାଉନ୍‌ସିଲ୍‌ର (ମନ୍ତ୍ରୀ) କପିଳ ପ୍ରସାଦ ନନ୍ଦ ଓ ଉତ୍କଳ କଂଗ୍ରେସ କମିଟିର ସଭାପତି ବିଶ୍ବନାଥ ଦାସ ବସିଥିଲେ। ନେହରୁ ଭାଷଣ ଆରମ୍ଭ କଲେ। ସେ ଜମାନାରେ ଆଲୁଅ ଦେଖି ବହୁ କୀଟପତଙ୍ଗ ସଭା ଓ ପାଖଆଖ ଅଞ୍ଚଳରେ ଉଡ଼ି ବୁଲୁଥିଲେ। କପିଳବାବୁ ହଠାତ୍‌ ଉଠିପଡ଼ି କହିବାକୁ ଲାଗିଲେ- ‘ଆଲୁଅ ଦୂରେଇ ନିଅ, ଆଜି ଗୁରୁବାର, ମା’ ଲକ୍ଷ୍ମୀ ଆସିଛନ୍ତି, ଆମ ଭାଗ୍ୟ! ତାଙ୍କ ମୁହଁରେ ପୋକ ପଡ଼ିବ।’ ଲୋକେ ବୁଝିଲେ ମା’ ଲକ୍ଷ୍ମୀ ମୁହଁରେ ପୋକ ପଡ଼ିବ, ହୋ-ହୋ ହସି ଉଠିଲେ। ସ୍ତ୍ରୀଲୋକମାନେ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ଆଡ଼େ ଆଙ୍ଗୁଠି ଦେଖାଇ- ସେ ମାଇପିଟି କିଏ ବୋଲି ପଚରାପଚୁରି ହେଉଥିଲେ।

ପ୍ରଥମ ସାଧାରଣ ନିର୍ବାଚନ ୧୯୫୨
କଳାହାଣ୍ଡି-ବଲାଙ୍ଗୀର (ଦ୍ବେତ) ଲୋକସଭା ଆସନ

ସେତେବେଳେ ପଶ୍ଚିମ ଓଡ଼ିଶାରେ ମହିଳାମାନେ ହାତରେ ବଡ଼ବଡ଼ ଖଡ଼ୁ ଯାହାକୁ କତରିଆ, ବନ୍ଦରିଆ କୁହାଯାଉଥିଲା, ପିନ୍ଧୁଥିଲେ। ଥରେ ହାତ ଝଣଝଣ କଲେ ସ୍ଥାନଟା କମ୍ପିଉଠେ। ପୁଣି ହଜାର ହଜାର ମହିଳା ଥିବା ସଭାରେ କତରିଆ, ବନ୍ଦରିଆ ଶବ୍ଦ କିପରି ହେବ ସହଜରେ ଅନୁମେୟ। ଝଣଝଣ ଶବ୍ଦ ସହିତ ପୁରୁଷଙ୍କ କରତାଳି। ପଣ୍ଡିତ ନେହରୁ କିଛି ନ ବୁଝିପାରି ଧରିନେଲେ ସଭା ଭଣ୍ଡୁର ପାଇଁ ମହାରାଜା ଲୋକଙ୍କୁ ପଠାଇଛନ୍ତି। କଂଗ୍ରେସ ଦଳ ଲୋକ ଆଣିଥିଲେ, ପ୍ରବଳ ଥଣ୍ଡାରେ ବହୁ ଲୋକ କନ୍ଥା କମ୍ବଳ ଘୋଡ଼େଇ ଆସିଥିଲେ। ପଣ୍ଡିତଜୀ କ୍ଷଣକୋପୀ, ଅଚାନକ ପକେଟରୁ ଧଳା ରୁମାଲଟିଏ କାଢ଼ି ରାଗରେ ତାକୁ ମୁଠାମୁଠା କରି ଟେବୁଲ୍‌ ଉପରେ ଫିଙ୍ଗି ଦେଉଥାନ୍ତି, ପୁଣି ହାତରେ ନେଇ ଦଳି ଗୁଳା କରୁଥାନ୍ତି। ପଣ୍ଡିତ ନେହରୁ କବିତ୍ବପୂର୍ଣ୍ଣ ଭାଷାରେ ଭାଷଣ ଆରମ୍ଭ କଲେ। କହୁଥିଲେ ଉର୍ଦ୍ଦୁ ଭାଷାରେ। ଉପସ୍ଥାପନା ଭଙ୍ଗୀ ଥିଲା ଚମତ୍କାର। କହିଥିଲେ, ‘ଏ କ୍ୟା କ୍ୟା ପଟନି, ପଟନା, ନାମ୍‌ ଭି କଭି ନହିଁ ଶୁନାଥା। ୟେ XXX ଛୋଟେଛୋଟେ ରୟାସତ୍‌, ଜିସ୍‌କା ନାମ କଭି କଭି ନହିଁ ଶୁନାଥା। ଇହାଁ ଏକ ମାମୁଲି ରାଜା ଖୁଦ୍‌ କୋ ମହାରାଜା ବୁଲାତା ହୈ। ନିଜାମ କହୋ ତୋ ହାଇଦ୍ରାବାଦ କି, ରାଜା କହୋ ତୋ ପାତିଆଲା କି XXX। ନେହରୁଙ୍କ ଭାଷଣ ଉର୍ଦ୍ଦୁରେ, ଲକ୍ଷ୍ନୌର ହିନ୍ଦୁସ୍ଥାନୀ ପୁଣି ପାର୍ସିଆନ ମିଶା ଉପସ୍ଥିତ ମାରୱାଡ଼ିମାନେ ମଧ୍ୟ ସଠିକ୍‌ ବୁଝି ପାରୁନଥିଲେ। କେହିକେହି କହିବାକୁ ଲାଗିଲେ ମହାରାଜାଙ୍କୁ ଦୋ’ଅକ୍ଷରି ଗାଳି ଦେଉଛନ୍ତି। ସ୍ତ୍ରୀଲୋକେ ଏ ଭାଷା ବୁଝିପାରିବେ କୁଆଡ଼ୁ, ନିଜ ନିଜ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଦେଲେ, ପାଟିତୁଣ୍ଡ ସହ କତରିଆ ବଳରିଆର ଝଣ୍‌ଝଣ୍‌ ଶବ୍ଦ। ନେହରୁ ଭାବିଲେ ସ୍ତ୍ରୀଲୋକମାନେ ସଭା ଭଣ୍ଡୁର ପାଇଁ ଆସିଛନ୍ତି। ରାଗିଯାଇ କହିଲେ, ‘ଯେଉଁମାନେ ଭାଷଣ ଶୁଣିବାକୁ ରାଜି ନୁ‌ହଁନ୍ତି, ସେମାନେ ଉଠି ଚାଲିଯାଆନ୍ତୁ। ଗଣ୍ଡଗୋଳ କରନ୍ତୁ ନାହିଁ।’ ସ୍ତ୍ରୀଲୋକମାନେ ଭାଷା ନ ବୁଝି ବସିବା ସ୍ଥାନରୁ ଉଠି ଯିବାକୁ ବାହାରିଲେ। ଚାହୁଁଚାହୁଁ ଭିଡ଼ ଅଧା ହୋଇଗଲା। ଏହା ଦେଖି ପଣ୍ଡିତଜୀ ଆହୁରି ଉତ୍‌କ୍ଷିପ୍ତ ହୋଇଗଲେ। ପଣ୍ଡିତଜୀଙ୍କ ରୁଦ୍ରମୂର୍ତ୍ତି ଦେଖି, କିଛି ବୁଝି ନ ପାରି ପୁରୁଷମାନେ ମଧ୍ୟ, ‘ହଏବୋ, କାଆଣା କହୁଛନ୍‌ ବୋ? ମହାରାଜା କେ ଗାଲି କରୁଛନ୍‌ ବୋ..’ କହି ଦଳଦଳ ଉଠିଯିବାକୁ ଆରମ୍ଭ କଲେ। ପଣ୍ଡିତଜୀଙ୍କ ଧାରଣା ହୋଇଗଲା, ମହାରାଜା ଲୋକଙ୍କୁ ସଭା ଭଣ୍ଡୁର କରିବାକୁ ପଠାଇଛନ୍ତି। ବିଶ୍ବନାଥବାବୁ ସ୍ତମ୍ଭୀଭୂତ, କିଛି ବୁଝିପାରୁ ନାହାନ୍ତି କି ବୁଝାଇପାରୁ ନାହାନ୍ତି। ଥରେ ଦୁଇ ହାତ ଉଠାଇ ଶାନ୍ତି ଶାନ୍ତି କହି ଉଠିଲେ, କପିଳ ପ୍ରସାଦ ପଣ୍ଡିତଜୀଙ୍କୁ ସମ୍ଭାଳିବାକୁ ଚେଷ୍ଟା କଲେ। ଭାଷଣ ଅସମାପ୍ତ ରହିଲା। ସଭା ଭାଙ୍ଗିଲେ।

ନିର୍ବାଚନ ସମୟରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଲୋଇସିଂହାରେ ଏକ ସଭା କଲେ। ସଭାସ୍ଥଳରେ ପ୍ରାୟ ୩ରୁ୪ ଶହ ପୁରୁଷ ଓ ସ୍ତ୍ରୀ। ଭାଷଣ ପାଇଁ ମହାରାଜା ଉଠିବା ମାତ୍ରେ ହରିବୋଲ ହୁଳହୁଳି ପଡ଼ିଲା। ମହାରାଜାଙ୍କ ଭାଷଣ ଆରମ୍ଭ ହେଲା। ଭାଷଣ ପରେ କହିଲେ, ‘ମୁଁ ଦିନେ ମହାରାଜ ଥିଲି, ଆଜି ମୋର ରାଜ୍ୟ ଯାଇଛି, ରାଜୁତି ଯାଇଛି। ମୁଁ ଦିନେ ତୁମମାନଙ୍କୁ ଚଳାଉଥିଲି, ଆମ ମଧ୍ୟରେ ପିତାପୁତ୍ରର ସମ୍ପର୍କ। ତୁମକୁ ଚଳାଇବା ପାଇଁ ନୂଆ ବ୍ୟବସ୍ଥାରେ ନିର୍ବାଚନ ଲଢ଼ିବାକୁ ପଡ଼ିବ। କିନ୍ତୁ ସେଥିପାଇଁ ଟଙ୍କା ଦରକାର। ମୋ ପାଖରେ ଟଙ୍କା ନାହିଁ। ମୁଁ ତୁମମାନଙ୍କ ଭଲ ମନ୍ଦରେ ଦିନେ ସାହାଯ୍ୟ କରୁଥିଲି। ଆଜି ତମଠାରୁ ସାହାଯ୍ୟ ମାଗୁଛି।’ ଏହା କହି ପିନ୍ଧିଥିବା ପଞ୍ଜାବୀର ଝୁଲାଟାକୁ ଦେଖାଇଦେଲେ। କେତେଜଣ ବୁଢ଼ାବୁଢ଼ା ଲୋକ ହଠାତ୍‌ ଭୋ-ଭୋ କାନ୍ଦି ଉଠିଲେ। ଯିଏ ଦିନେ ଥିଲେ ମହାରାଜ, ଆଜି ସିଏ ଭିକ ମାଗୁଛନ୍ତି! ପୁଣି ଆମରି ପାଇଁ? ଏହା ହିଁ ଥିଲା ଲୋକଙ୍କ ଧାରଣା। ସଙ୍ଗେସଙ୍ଗେ ସଭାସ୍ଥଳରେ ସ୍ତ୍ରୀ ଲୋକମାନଙ୍କ ହାତରେ କତରିଆ, ବନ୍ଦରିଆ ଠାରୁ ଆରମ୍ଭ କରି ଆଠଣି, ସୁଉକି- ଏପରିକି ଟଙ୍କା ପର୍ଯ୍ୟନ୍ତ ବୃଷ୍ଟି ହୋଇଗଲା। ମହାରାଜା ନିଜେ ସୁଦ୍ଧା ବିଶ୍ବାସ କରିପାରିଲେ ନାହିଁ ଯେ ନିରୀହ ପ୍ରଜାମାନଙ୍କ ସେମାନଙ୍କ ମହାରାଜାଙ୍କ ପ୍ରତି କି ଗଭୀର ବିଶ୍ବାସ। ଲୋକସଭା ପାଇଁ ଭୋଟ୍‌ ହେଲା। ନିର୍ବାଚନମଣ୍ଡଳୀ ଦ୍ବୈତ। ଜଣେ ସାଧାରଣ ଓ ଅନ୍ୟଟି ଆଦିବାସୀ। କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ମଧ୍ୟରେ ସିଧାସଳଖ ଲଢ଼େଇ। ଭୋଟରେ ରାଜେନ୍ଦ୍ର ନାରାୟଣ ସିଂହଦେଓ (ଗଣତନ୍ତ୍ର ପରିଷଦ) ୧୮୮୧୧୬ ଖଣ୍ଡ, ଗିରୀଧାରୀ ଭୋଇ (ଗଣତନ୍ତ୍ର ପରିଷଦ) ୧୯୮୩୭୨ ଖଣ୍ଡ, ଯୁଧିଷ୍ଠିର ମିଶ୍ର (କଂଗ୍ରେସ) ୭୬୬୭୫ ଖଣ୍ଡ ଓ ଯୋଗେଶ୍ବର କୁମାର (କଂଗ୍ରେସ) ୮୮୬୮୯ ଖଣ୍ଡ ପାଇଲେ। ଉଭୟ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଗଲେ।
(ଅଧିକାଂଶ ତଥ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’ରୁ ଅଣାଯାଇଛି)
ରାଜେଶ ଅଗ୍ରୱାଲ
ଅତାବିରା, ବରଗଡ଼, ଫୋ: ୯୪୩୮୨୧୪୮୭୮

ସମ୍ବନ୍ଧିତ ଖବର