ଜବରଦଖଲ ଉଚ୍ଛେଦ ବେଳେ ଫୁଲେଶ୍ବରୀ ବସ୍ତିରେ ତୁମୁଳକାଣ୍ଡ: ବିଡିଏ ଅଧିକାରୀଙ୍କୁ ଆକ୍ରମଣ

ଛିଣ୍ଡା ବିଦ୍ୟୁତ୍ ତାର ଲାଗି ମହିଳା ଆହତ ଅଭିଯୋଗ

ଖଣ୍ଡଗିରି : ଶୁକ୍ରବାର ଦିନ ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କାମ ଚାଲିଥିବା ବେଳେ ତୁମୁଳକାଣ୍ଡ ଘଟିଛି। ଉଚ୍ଛେଦ କାମ ବେଳେ ଏକ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତରେ ଜଣେ ମହିଳା ଆହତ ହେବା ଅଭିଯୋଗକୁ ନେଇ ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ବିଡିଏ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ଥାଇ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ପୁଲିସ ଉପସ୍ଥିତିରେ ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନେ ଉଚ୍ଛେଦ ସ୍କ୍ବାଡ୍‌କୁ ଘେରି ନିସ୍ତୁକ ମାଡ଼ ମାରିଥିଲେ। ବିଡିଏ ଯନ୍ତ୍ରୀ ବିଭୁପ୍ରସାଦ ବେହେରା ଲୋକଙ୍କ ମାଡ଼ରେ ଗୁରୁତର ହୋଇପଡ଼ିଥିଲେ। ସେହିଭଳି ସ୍କ୍ବାଡ୍‌ର ୧୦ରୁ ଅଧିକ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଫଳରେ ଉଚ୍ଛେଦ କାମ ଅଧାରୁ ବନ୍ଦ ରହିଥିଲା। ଏନେଇ ଭରତପୁର ଥାନାରେ ବିଡିଏ ଓ ବସ୍ତିବାସିନ୍ଦାଙ୍କ ପକ୍ଷରୁ ପୃଥକ ପୃଥକ ଦୁଇଟି ଅଭିଯୋଗ କରାଯାଇଛି। ପୁଲିସ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିଲେ ମଧ୍ୟ ତଦନ୍ତ ବାହାନାରେ ପୁଲିସ ଦୁଇ ମାମଲାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ସୂଚନାନୁସାରେ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ଜବରଦଖଲରେ ଥିବା ୪୦ ଘର ଭାଙ୍ଗିବା ପାଇଁ ୨ ଦିନ ପୂର୍ବରୁ ବିଡିଏ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବିଡିଏର ଉଚ୍ଛେଦକାରୀ ଦଳ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ବସ୍ତିରେ ପହଞ୍ଚିଥିଲେ। କିନ୍ତୁ ବସ୍ତିବାସିନ୍ଦାମାନେ ଆରମ୍ଭରୁ ହିଁ ଜୋରଦାର୍‌ ବିରୋଧ କରିଥିଲେ। ଜାଗା ମିସନରେ ଉକ୍ତ ବସ୍ତି ସାମିଲ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଘର ନମ୍ବର ମିଳିଛି। ଏହା ସତ୍ତ୍ବେ ସେମାନଙ୍କ ଘର କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରି ବସ୍ତିବାସିନ୍ଦାମାନେ ପାଟିତୁଣ୍ଡ କରିଥିଲେ। ତେଣୁ ବହୁ ସମୟ ପର୍ଯ୍ୟନ୍ତ ଉଚ୍ଛେଦ କାମ ଅଟକି ରହିଥିଲା। ଶେଷରେ ବିଡିଏ ଅଧିକାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ଏବଂ ଆଜି କେବଳ ଜବରଦଖଲରେ ଥିବା ଦୋକାନ ଘର ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେଣୁ ଅପରାହ୍ଣ ପ୍ରାୟ ୨ଟା ବେଳେ ଦୋକାନ ଘର ଭାଙ୍ଗିବା କାମ ଆରମ୍ଭ ହୋଇଥିଲା।

ଗୋଟିଏ ପଟେ ଦୋକାନ ଭଙ୍ଗା ଚାଲିଥିବା ବେଳେ ହଠାତ୍ ପୁଣି ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁସାରେ, ବିଡିଏ ପକ୍ଷରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାନଯାଇ ଦୋକାନ ଘର ଭଙ୍ଗା ଯାଇଥିଲା। ଫଳରେ ଏକ ବିଜୁଳି ତାର ଉପରେ ବସ୍ତିର ଜଣେ ଛୋଟ ପିଲା ଅଜାଣତରେ ଚଢ଼ି ଯାଉଥିବା ଦେଖି ପଡ଼ୋଶୀ ପିଙ୍କି ବେହେରା ତାକୁ ଟାଣି ଆଣିଥିଲେ। ଛୋଟ ପିଲାଟି ବର୍ତ୍ତି ଯାଇଥିବା ବେଳେ ପିଙ୍କି ବିଦ୍ୟୁତ ଆଘାତର ଶିକାର ହୋଇ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଉଚ୍ଛେଦ ସ୍କ୍ବାଡ୍‌କୁ ଘେରି ଯାଇ ମାଡ଼ ମାରିବା ଆରମ୍ଭ କରିଦେଲେ। ଲୋକମାନେ ହଠାତ୍ ଏତେ ଉଗ୍ର ହୋଇପଡ଼ିଲେ ଯେ ବିଡିଏ ଯନ୍ତ୍ରୀ ବିଭୁପ୍ରସାଦଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଥିଲା।

ମାତ୍ର ବିଡିଏ ଏନ୍‌ଫୋର୍ସମେଣ୍ଟ ଇନ୍‌ସ୍ପେକ୍ଟର ରମେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବା ପରେ ଦୋକାନ ଘର ଉଚ୍ଛେଦ କରାଯାଉଥିଲା। ତେଣୁ ଛିଡ଼ା ତାରରୁ ବିଦ୍ୟୁତ୍‌ ଆଘାତରେ କେହି ମହିଳା ଆହତ ହେବା ସମ୍ପୂର୍ଣ୍ଣ ମିଛ। ଏ ସମ୍ପର୍କରେ ଉଚ୍ଛେଦ ସ୍କ୍ବାଡ୍‌ କେହି କିଛି ଜାଣିନାହାନ୍ତି। ମାତ୍ର ଏହାକୁ ବାହାନା କରି ହଠାତ୍‌ ଲୋକମାନେ ସେମାନଙ୍କୁ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର