କ୍ୟାପିଟାଲ କ୍ରାଇମ: ବୋଲେରୋରୁ ଚୋରି ଅଭିଯୁକ୍ତ ଗିରଫ

ବାଲିପାଟଣା: ଏକ ବୋଲେରୋରୁ ମ୍ୟୁଜିକ୍‌ ସିଷ୍ଟମ୍‌ ଓ ୫ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ବାଲିପାଟଣା ଥାନା ପୁଲିସ ବେଙ୍ଗବତି ବସ୍ତିର ସଦାମ୍‌ ଖାଁ(୨୩)କୁ ଗିରଫ କରିଛି। ତା’ଠାରୁ ଚୋରି ମ୍ୟୁଜିକ୍‌ ସିଷ୍ଟମ ଜବତ କରାଯାଇଛି। ସୂଚନାନୁଯାୟୀ ୨୬ ତାରିଖ ରାତିରେ ସ୍ଥାନୀୟ ମହୁଖଣ୍ଡାର ସନ୍ତୋଷ କୁମାର ହାତି(୪୧) ଯାତ୍ରା ଦେଖିବାକୁ ଅଠାନ୍ତର ନୂଆଗାଁ ଆସିଥିଲେ। ସେ ତାଙ୍କ ବୋଲେରୋ( ଓଡି-୦୨-ଏଆର୍-୯୭୦୦)କୁ ଏକ ଦୋକାନ ସମ୍ମୁଖରେ ରଖି ଯାତ୍ରା ଦେଖୁଥିଲେ। ଯାତ୍ରା ସରିବା ପରେ ସନ୍ତୋଷ ଗାଡ଼ି ପାଖକୁ ଆସିବା ବେଳେ ଚୋରି ହୋଇଥିବା ଜାଣିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ସଦାମ୍‌ ଜଣେ ପେସାଦାର ଚୋର ଏବଂ ପୂର୍ବରୁ ଅନେକଥର ଜେଲ୍‌ ଯାଇଛି।

ବିଦ୍ୟୁତ୍‌ କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଆଉ ଜଣେ ଗିରଫ

ବାଲିଅନ୍ତା: ବାଳକାଟି ବିଦ୍ୟୁତ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ଝିଣ୍ଟିଶାସନ ପଞ୍ଚାୟତ ଜେନାସାହିର ଗିରଫ ଅଭିଯୁକ୍ତ ସୋମନାଥ ଜେନା ଓରଫ ପପୁ( ୩୨)କୁ ଗିରଫ କରିଛି। ଗଣ୍ଡଗୋଳ ଘଟଣା ପରଦିନ ପୁଲିସ ଅନ୍ୟ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ ଏହି ମାମାଲାରେ ଏବେ ସୁଦ୍ଧା ୧୨ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। ସୂଚନା ଅନୁସାରେ ଗତ ୨୬ ତାରିଖ ବେଆଇନ ଭାବେ ବିଦ୍ୟୁତ ନେଇଥିବା କିଛି ପରିବାରଙ୍କ ବିଦ୍ୟୁତ ସଂଯୋଗକୁ ଏନଫୋର୍ସମେଣ୍ଟ ଟିମ କାଟିଦେବାକୁ କେନ୍ଦ୍ରକରି ଗ୍ରାମର ଉତ୍ତ୍ୟକ୍ତ ଯୁବକମାନେ ବାଳକାଟି ବିଦ୍ୟୁତ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ଏନେଇ ସହକାରୀ ଯନ୍ତ୍ରୀ ବିକାଶ କୁମାର ସ୍ବାଇଁ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ।

ନିର୍ମାଣାଧୀନ କୋଠାରୁ ଚୋରି, ଜଣେ ଗିରଫ

ଭୁବନେଶ୍ବର: ନିର୍ମାଣାଧୀନ କୋଠାରୁ ଚୋରି କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର କେଦାରପଲ୍ଲୀ ବସ୍ତିର ମଣ୍ଟୁ ଓରଫ ପ୍ରିୟବନ୍ଧୁ ସାହୁ (୨୦)। ପୁଲିସ ସୂଚନା ଅନୁଯାୟୀ ନିଉ ଫରେଷ୍ଟପାର୍କ ଅଞ୍ଚଳରେ ଥିବା ଆରଏନ ସିଗନେଚର ଠାରେ ନିର୍ମାଣାଧୀନ କୋଠାରୁ ଆଜି ସକାଳେ ମଣ୍ଟୁ ଘର ତିଆରି ସାମଗ୍ରୀ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ହାତରେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର