ଚନ୍ଦ୍ରଶେଖରପୁର: ମିସନ୍ ଆଦିତ୍ୟ ପାଇଁ ଆରମ୍ଭ ହୋଇଛି ଅବଗଣନା। ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ପିଏସ୍ଏଲ୍ଭି-ସି୫୭ରେ ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍୧’ ଉତ୍କ୍ଷେପଣ ହେବ। ଏଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି। କାରଣ ଚନ୍ଦ୍ରଯାନ-୩ ଭଳି ‘ଆଦିତ୍ୟ-ଏଲ୍୧’ରେ ମଧ୍ୟ ଏଠାରୁ ତିଆରି ହୋଇଥିବା ଯନ୍ତ୍ରାଂଶ ଲଗାଯାଇଛି। ଆଦିତ୍ୟ-ଏଲ୍୧ ସହ ପିଏସ୍ଏଲ୍ଭି-ସି୫୭ର ଅଧିକାଂଶ ଯନ୍ତ୍ରାଂଶ ସିଟିଟିସି ପକ୍ଷରୁ ଇସ୍ରୋକୁ ଯୋଗାଇ ଦିଆଯାଇଛି। ଏହି ଦେଢ଼ ଟନ୍ ଓଜନର ମହାକାଶଯାନ ସୂର୍ଯ୍ୟ ନିକଟକୁ ଯାଉଥିବାରୁ ସେଥିରେ ଲାଗିଥିବା ଉପକରଣଗୁଡ଼ିକୁ ହାଇ ହିଟ୍ ରେଜିଷ୍ଟାଣ୍ଟ୍ ବା ଉଚ୍ଚତାପ ସହନ ଶକ୍ତି ଥିବା କାଚ, କ୍ୱାର୍ଜ ଓ ଇଙ୍କୋନେଲରେ ଗଢ଼ାଯାଇଛି। ଲଞ୍ଜ ଭେଇକିଲ୍ର ବିଭିନ୍ନ ପାର୍ଟରେ ଲାଗୁଥିବା ସାମଗ୍ରୀ ଏଠାରୁ ପଠାଯାଇଛି। ଯନ୍ତ୍ରାଂଶ ତିଆରିରେ ଏଠାକାର କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ମିସନ୍ ଆଦିତ୍ୟର ସଫଳତା ନେଇ ଆମେ ଆଶାବାଦୀ ଥିବା ସିଟିଟିସି ପ୍ରଡକ୍ସନ ହେଡ୍ କେ ବିଜୟ କୁମାର କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଜ୍ଞାନିକମାନଙ୍କ କହିବାନୁଯାୟୀ ସୂର୍ଯ୍ୟ ଉପରେ ଗବେଷଣା ପାଇଁ ପ୍ରଥମ ଭାରତୀୟ ସ୍ପେସ୍ ଅବର୍ଜର୍ଭେଟରି ପଠାଯାଉଥିବାରୁ ସମସ୍ତେ ଉତ୍ସାହିତ। ଆଦିତ୍ୟ-ଏଲ୍୧ରେ ଲାଗିଥିବା ୭ଟି ଯନ୍ତ୍ରରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ମୁହଁ କରି ତାହାର ୩ଟି ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ଜାଣିବାକୁ ଚେଷ୍ଟା କରିବ ଯେ, ଫଟୋସ୍ଫିୟରର ତାପମାତ୍ରା ୫ହଜାର ୫ଶହ ଡିଗ୍ରି ସେଲସିୟସ ହୋଇଥିବା ବେଳେ ବାହ୍ୟମଣ୍ଡଳ କରୋନାର ତାପମାତ୍ରା ପ୍ରାୟ ୧୦ରୁ ୨୦ ଲକ୍ଷ ଡିଗ୍ରି ସେଲସିୟସ କାହିଁକି ରହୁଛି। ଏଥିରେ ଲାଗିଥିବା ଆଉ ୩ଟି ଯନ୍ତ୍ର ସୂର୍ଯ୍ୟରୁ ଆସୁଥିବା ସୋଲାର୍ ୱିଣ୍ଡ୍ ବା ସୌର ପବନ ଓ ଚାର୍ଜ କଣିକା ଆଦିକୁ ଛୁଇଁ ତାହା ଉପରେ ଗବେଷଣା କରିବ। ବିପଜ୍ଜନକ ସୌରଝଡ଼ର ଆକଳନ ଓ ମୁକାବିଲା ଦିଗରେ ଏହା ବଡ଼ ଖୁଲାସା କରିପାରେ ବୋଲି ଆଶା କରାଯାଉଛି।
ସିଟିଟିସି ଦ୍ବାରା ପ୍ରସ୍ତୁତ ବହୁ ପରିମାଣର ଯନ୍ତ୍ରାଂଶ ଚନ୍ଦ୍ରଯାନ-୩ରେ ବ୍ୟବହାର ହୋଇଥିଲା। ଲ୍ୟାଣ୍ଡର୍ ଓ ରୋଭରରେ ଲାଗିଥିବା ଯନ୍ତ୍ରପାତିଗୁଡ଼ିକ ସିଟିଟିସି ପ୍ରସ୍ତୁତ କରି ଇସ୍ରୋକୁ ଯୋଗାଇଥିଲା। ସିଟିଟିସି ୭୫ ହଜାର ଯନ୍ତ୍ରାଂଶ ନିର୍ମାଣ କରିଥିଲା। ନିର୍ମାଣ ହୋଇଥିବା ଯନ୍ତ୍ରାଂଶରେ ୧୫୦ କର୍ମଚାରୀ ଓ ଟ୍ରେନିଂ ସାମିଲ ଥିଲେ। ଚନ୍ଦ୍ରୟାନ-୩ର ସବୁଠାରୁ ଜଟିଳ ଯନ୍ତ୍ରାଂଶ ସିଟିଟିସି ନିର୍ମାଣ କରିଛି। ଲ୍ୟାଣ୍ଡର୍ର ସମସ୍ତ ଜଟିଳ ଯନ୍ତ୍ରାଂଶ ମଧ୍ୟ ଏହା ନିର୍ମାଣ କରିଛି। ଚନ୍ଦ୍ରୟାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନସର ଲାଗିଛି। ଏ ଯନ୍ତ୍ରାଂଶଗୁଡ଼ିକୁ ଲଞ୍ଚ ଭେହିକିଲରେ ଫିଟିଂ କରିବା ଯାଏଁ ଭୂମିକା ନିଭାଇଛି ସିଟିଟିସି। ଗତ ୨୫ ବର୍ଷ ହେଲା ଇସ୍ରୋ ସହ ସମନ୍ବୟ ରକ୍ଷା କରି ସିଟିଟିସି କାମ କରୁଛି। ପୂର୍ବରୁ ଅନ୍ୟ ମହାକାଶ ଅଭିଯାନ ପାଇଁ ମଧ୍ୟ ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି। ଆଗକୁ ଇସ୍ରୋ ପକ୍ଷରୁ ପଠାଯିବାକୁ ଥିବା ଗଗନଯାନରେ ବି ଏଠାକାର ଯନ୍ତ୍ରାଂଶ ଲାଗିବ ବୋଲି ଜଣାପଡ଼ିଛି।