ସାଇବର ଠକ ସନ୍ତୋଷ ଗିରଫ: ନକଲି କଷ୍ଟମର୍‌ କେୟାର୍‌ ନମ୍ବରରେ ୩୫ ଲକ୍ଷ ଚଳୁ

ଭୁବନେଶ୍ବର: ୱେବ୍‌ ସାଇଟ୍‌ରେ ନକଲି କଷ୍ଟମର୍‌ କେୟାର୍‌ ନମ୍ବର ଦେଇ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଜଣେ ବଡ଼ ସାଇବର ଠକକୁ ଗିରଫ କରାଯାଇଛି। ଦୁଇ ଦିନ ପୂର୍ବେ ଖଣ୍ଡଗିରି ଜାଗମରା ଅଞ୍ଚଳର କି‌ଶୋର ଗନ୍ତାୟତଙ୍କ ୫ ଆକାଉଣ୍ଟରୁ ୩୫ ଲକ୍ଷ ଟଙ୍କା ଉଡ଼ାଇନେଇଥିବା ଧୂର୍ତ୍ତ ଠକକୁ ଭୁବନେଶ୍ବର ସାଇବର ଥାନା ପୁଲିସ କେନ୍ଦ୍ରାପଡ଼ାରୁ ଧରିଛି। ସେ ହେଲା କେନ୍ଦ୍ରାପଡ଼ା କୋଖରୀପଦାର ସନ୍ତୋଷ ସାହୁ। ତାକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଦୁଇ ଦିନ ତଳେ ଖଣ୍ଡଗିରି ଜାଗମରା ଅଞ୍ଚଳର କିଶୋର ତାଙ୍କ ଆକ୍ବାଗାର୍ଡ ମେସିନ୍‌ ମରାମତି କରାଇବା ପାଇଁ ଗୁଗଲ୍‌ରେ ଗ୍ରାହକ ସେବାକେନ୍ଦ୍ର ନମ୍ବର ଖୋଜିଥିଲେ। ସେଠାରୁ ଏକ ନମ୍ବର ପାଇବା ପରେ ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। କିନ୍ତୁ କେହି ଉତ୍ତର ଦେଇନଥିଲେ। କିଛି ସମୟ ପରେ ଏକ ଅଜଣା ନମ୍ବରରୁ କି‌ଶୋରଙ୍କୁ ଏକ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ଉକ୍ତ କମ୍ପାନିର ଇଂଜିନିୟର ବୋଲି ପରିଚୟ ଦେଇ ସମସ୍ୟା ବିଷୟରେ ବୁଝିଥିଲେ। କିନ୍ତୁ ଅସଲରେ ସେ ଥିଲା ସାଇବର ଠକ। ସେ କିଶୋରଙ୍କୁ ରଷ୍ଟ୍‌ ଡେସ୍କ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। କିଶୋର ଉକ୍ତ ଆପ୍‌ ଡାଉନ୍‌ଲୋଡ କରିବାର କିଛି ମିନିଟ୍‌ ପରେ ତାଙ୍କର ୫ ଆ‌କାଉଣ୍ଟରୁ ୩୫ଲକ୍ଷ ଟଙ୍କା ଉଡ଼ିଗଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ କିଶୋର ଖଣ୍ଡଗିରି ଓ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ପୁଲିସ କେସ୍‌ ନଂ-୧୦୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ତଥ୍ୟକୁ ଆଧାର କରି ପୁଲିସ ଠକ ସନ୍ତୋଷର ଠିକଣା ଠାବ କରିଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସ ଟିମ୍‌ କେନ୍ଦ୍ରାପଡ଼ାରେ ଚଢ଼ଉ କରି ସନ୍ତୋଷକୁ ଗିରଫ କରିଛି। ସନ୍ତୋଷ ଏମିତି ନକଲି କଷ୍ଟମର୍‌ କେୟାର୍‌ ନମ୍ବର ଦେଇ ବହୁ ଲୋକଙ୍କୁ ଚୂନ ଲଗାଇଥିବା ଜଣାପଡ଼ିଛି। ସାଇବର ଥାନା ପୁଲିସ ତା’ର ମୋବାଇଲ୍‌ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର