ଅଶ୍ଳୀଳତା କଟକଣା ପରେ ବି ଉତ୍ସାହ କମିନି

ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇରେ ଆଜି ଦ୍ବିତୀୟ ରଜନୀରେ ମଇଦାନକୁ ଓହ୍ଲାଇଥିବା ୫ ଅପେରା ପାର୍ଟି ସାଇସମ୍ରାଟ, କୋଣାର୍କ, କଳିଙ୍ଗ, ଦୁର୍ଗାମନ୍ଦିର ଓ ଗୌରୀ ଗଣନାଟ୍ୟ ନିଜ ନିଜର ଚର୍ଚ୍ଚିତ ନାଟକ ମଞ୍ଚସ୍ଥ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଆଜି ମହତାବ ପେଣ୍ଡାଲରେ ଅପେରା ସାଇସମ୍ରାଟ୍‌ ମଞ୍ଚସ୍ଥ କରିଥିବା ନାଟକ ‘ଦେବଦାସୀ ହେବି ତୋରି ପାଇଁ’ ପୁଣି ରିପିଟ୍‌ ହୋଇଛି। ରହସ୍ୟରେ ଭରପୂର ଏହି ନାଟକ ଦର୍ଶକଙ୍କୁ ରାତି ପାହିବା ଯାଏଁ ବାନ୍ଧି ରଖିଥିଲା। ସନାତନ ସେବା ସମିତି ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ପୁଣି ମଞ୍ଚସ୍ଥ କରିଛି ‘ସେଇ ଗୋଟିଏ ଭୁଲ୍‌ ପାଇଁ’। ହର ପ୍ରସାଦଙ୍କ ରଚିତ ନୂଆ ସ୍ବାଦର ଏହି ନାଟକରେ ଦୈତାରି ପଣ୍ଡା ଦର୍ଶକଙ୍କ ଆଖିରେ ଲୁହର ବନ୍ୟା‌ କରୁଥିବା ଚର୍ଚ୍ଚା ହେଉଛି। ଜାଗମରା ପଡ଼ିଆରେ ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ପେଣ୍ଡାଲରେ କଳିଙ୍ଗ ଗଣନାଟ୍ୟର ‘କାନ୍ଦେନାରେ ବାଇଆ ମନ’ ୨ୟ ରାତିରେ ମଧ୍ୟ ହଇଚଇ ସୃଷ୍ଟି କରିଛି।

ନାଟ୍ୟ ଦୁନିଆର ନାମୀ ଅଭିନେତା ସୁରେଶ ପଣ୍ଡାଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳୁଛି। ସୁରେଶଙ୍କ କାନ୍ଦ ବି ଦର୍ଶକଙ୍କୁ ବହୁତ କନ୍ଦାଉଛି। ସେହିପରି ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ଅପେରା ଦୁର୍ଗାମନ୍ଦିର ମଞ୍ଚସ୍ଥ କରିଥିବା ନାଟକ ‘କାନ୍ଦେନା ଲୁହ ସରିଯିବ’ ଓ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ଗୌରୀ ଗଣନାଟ୍ୟ ପକ୍ଷରୁ ‘ରାଣୀ ପଣ୍ଡାକୁ ଖଣ୍ଡଗିରି ମନା’ ନାଟକ ମଧ୍ୟ ‌ଦର୍ଶକଙ୍କୁ ଶେଷଯାଏଁ ବ‌ାନ୍ଧି ରଖୁଛି। ‌ ତେବେ ଗୋଟିଏ ବଡ଼ କଥା ହେଉଛି, ଏଥର ଚଳିତ ବର୍ଷ ଅଶ୍ଳୀଳତା ବାବଦରେ ପ୍ରତିବନ୍ଧକ ଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀର ଅଳ୍ପ ସଂଖ୍ୟକ ଯାତ୍ରା ରସିକଙ୍କୁ ରେକର୍ଡ ଡ୍ୟାନ୍ସ ଟିକେ କମ୍‌ ପ୍ରଭାବିତ କରୁଛି। ସେମାନେ ନିରାଶ ହେଉଛନ୍ତି ବୋଲି କହି ବୁଲୁଛନ୍ତି। କିନ୍ତୁ ତା’ଠୁ ବହୁତ ଗୁଣ ଅଧିକ କଳାପ୍ରେମୀ ଦର୍ଶକ ପ୍ରତିବନ୍ଧକକୁ ସ୍ବାଗତ କରୁଛନ୍ତି। ଫଳରେ କଟକଣା, ଦର୍ଶକ ସଂଖ୍ୟା ଉପରେ କୌଣସି ପ୍ରଭାବ ପକାଇବାଭଳି ମନେ ହେଉନାହିଁ।

ବାପା ପରୀକ୍ଷାରେ ପାସ୍‌ କରିବୁରେ
‘‘ଏ ସମାଜ ଆଜି ପର୍ଯ୍ୟନ୍ତ ଏ ଶୂଳିଆ ପଣ୍ଡାର ଯେତେ ପରୀକ୍ଷା ନେଇଛି, ସବୁଥିରେ ସେ ଫେଲ୍‌ ହେଇଛି। ହେ ଭଗବାନ! ତୁ ମୋତେ ଫେଲ୍‌ କରିଛୁ। ଏତେ ପରେ ମଧ୍ୟ କ’ଣ ତୋର ମନ ବୁଝୁନି? ସବୁ ପରୀକ୍ଷାରେ ଫେଲ୍‌ ହେ‌ଲି, ହେଲେ ବାପା ପରୀକ୍ଷାରେ ଫେଲ୍‌ ହେବାକୁ ଦେବୁନି। ବାପା ପରୀକ୍ଷାରେ ପାସ୍‌ କରିବୁରେ…।’’ କଳିଙ୍ଗ ଗଣନାଟ୍ୟର ‘କାନ୍ଦେନାରେ ବାଇଆ ମନ’ରେ ପର ସନ୍ତାନ ପାଇଁ ମୁଖ୍ୟ ଭୂମିକାରେ ଥିବା ସୁରେଶ ପଣ୍ଡାଙ୍କର ଏ ଆକୁଳ ନିବେଦନ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା।

କାନ୍ଦେନା ଲୁହ ସରିଯିବ
ଅପେରା ଦୁର୍ଗାମନ୍ଦିର ମଞ୍ଚସ୍ଥ କରୁଥିବା ନାଟକ ‘କାନ୍ଦେନା ଲୁହ ସରିଯିବ’ ନାଟକର ଗୋଟିଏ ଦୃ‌‌ଶ୍ୟ ଆଜି ଅନେକ ଦର୍ଶକଙ୍କୁ କନ୍ଦାଇ ପକାଇଥିଲା। ବୋହୂ ଭୂମିକାରେ ଥିବା ଅଭିନେତ୍ରୀ କଣ୍ଢେଇ କାନ୍ଦି କାନ୍ଦି ନିଜ ଶ୍ବଶୂରଙ୍କୁ କହୁଛନ୍ତି, ‘‘ବୋହୁରାଣୀ ହେବାର ଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ ବାପା! ତା’ ଛଡ଼ା ଏହା ତ କପାଳ ଲେଖା। ଏହାକୁ ଲେଖିବା ବେଳେ ଇଶ୍ବରଙ୍କ କଲମରୁ ବୋଧେ କାଳି ସରିଯାଇଥିଲା! ସେଇଥିପାଇଁ ‌ଦୁଃଖ ଛଡ଼ା ମୋ’ ଭାଗ୍ୟରେ ଆଉ କିଛି ନାହିଁ। ଏହାର ଉତ୍ତରରେ ଶ୍ବଶୁର ଭୂମିକାରେ ଥିବା କଳାକାର ଅଶୋକ ଉତ୍ତରରେ କହୁଛନ୍ତି, ‘‘ମା’ରେ, ଗରିବ ମଣିଷର ସାହା ହେଲା ଦୁଃଖ। ଆଉ ଦୁଃଖର ସାଥୀ ହେଲା ଲୁହ। ଲୁହଗୁଡ଼ିକ ଚାଲିଗଲା ପରେ ଏ ଅଭାବୀ ମଣିଷଟା ଏକୁଟିଆ ହୋଇଯାଏ। ମା, କାନ୍ଦେନାରେ… ଲୁହ ସରିଯିବ…।’’

ରେକର୍ଡ ଡ୍ୟାନ୍ସରେ ଲୋକନୃତ୍ୟ
ଚଳିତ ବର୍ଷ ଏହି ‌ଅପେରା ଲଢ଼େଇରେ କିଛି ନୂଆକଥା ଦେଖିବାକୁ ମିଳୁଛି। ଅଶ୍ଳୀଳତା ଉପରେ କଟକଣା ଲାଗୁ ହେବାପରେ ସବୁ ମଣ୍ଡପରେ ରେକର୍ଡ ଡ୍ୟାନ୍‌ସ ନୂଆ ରୂପରେ ଆସୁଛି। କିଛି ମଞ୍ଚରେ ଦେଶଭକ୍ତିର ନୃତ୍ୟ ଦର୍ଶକଙ୍କୁ ବିଭୋର କରୁଛି। ଅପେରା ସାଇସମ୍ରାଟ୍‌ର ଓ ଅପେରା ଦୁର୍ଗାମନ୍ଦିରର ମେଲୋଡି ଦର୍ଶକଙ୍କୁ ବିମୋହିତ କରୁଛି। ସେହିଭଳି ନିଆଁ କଳସ ମୁଣ୍ଡରେ ରଖି ମହିଳା ନୃତ୍ୟଶିଳ୍ପୀମାନେ ଲୋକନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏହି ଚମତ୍କାର ନୃତ୍ୟ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଷ୍ଟଣ୍ଟ୍‌ ମଧ୍ୟ ଚର୍ଚ୍ଚାରେ ରହୁଛି। ଏସବୁକୁ ନୂଆ ରୂପରେ କରିବାଲାଗି ପାର୍ଟିଗୁଡ଼ିକ ଭରପୂର ପ୍ରୟାସ କରୁଛନ୍ତି।

ଠିଆ ଯେତିକି, ସିଟ୍‌ରେ ସେତିକି
ସାଇସମ୍ରାଟ, କୋଣାର୍କ, କଳିଙ୍ଗ, ଦୁର୍ଗାମନ୍ଦିର ଓ ଗୌରୀ ଦ୍ବିତୀୟ ରାତିରେ ସମସ୍ତେ ମାତ୍ରାଧିକ ଦର୍ଶକ ସାଉଁଟିଥିବା ଦେଖା‌ଦେଇଥିଲା। କିଛି ପେଣ୍ଡାଲରେ ପରିସ୍ଥିତି ଏମିତି ହୋଇଥିଲା ଯେ, ରାତି ୨ପରେ ବସିବା ପାଇଁ ଚଉକି ଅଭାବ ପଡ଼ିଥିଲା।

ସଂଳାପ ଟିକେ ଫିକା!
ଚଳିତ ବର୍ଷ ମଞ୍ଜସ୍ଥ ହେଉଥିବା ନାଟକସବୁ ଚମତ୍କାର ହୋଇଛି। ଦର୍ଶକମାନେ କାହାଣୀ ଓ ଅଭିନୟକୁ ପସନ୍ଦ ଅବଶ୍ୟ କରୁଛନ୍ତି। କିନ୍ତୁ ସଫଳ ଯାତ୍ରା ସଂଳାପ ବୋଲି ଯାହା କୁହାଯାଏ, ଏଥର ତା’ର ଅଭାବ ଅନୁଭୂତ ହେଉଛି। ମନେ ରଖିବା ଭଳି ସଂଳାପ ଏଥର ଶୁଣିବାକୁ ମିଳୁନଥିବା ଅନେକ ଯାତ୍ରାପ୍ରେମୀ ମତ ଦେଉଛନ୍ତି।

ଅସହାୟଙ୍କୁ ରାଣୀଙ୍କ ଦାନ
ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅଭିନେତ୍ରୀ ରାଣୀ ପଣ୍ଡା ଏଥର ମଧ୍ୟ ଗୋଟିଏ ଘୋଷଣା କରି ଚର୍ଚ୍ଚିତ ହୋଇଛନ୍ତି। ତା’ ହେଉଛି, ସେ ନିଜ ଆ‌ୟର ପ୍ର‌ାୟ ୪୦ ପ୍ରତିଶତ ଅଭାବରେ ଥିବା ଲୋକଙ୍କୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର