ଫରଫର ଉଡ଼େ ଆକାଶେ ନେତ…

ଡାହୁକ ବୋଲି ନଦେଲେ ଗଡ଼େନି ରଥ

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସେବାୟତ, ପ୍ରଶାସନ, ପୁଲିସ- ସମସ୍ତେ ପ୍ରସ୍ତୁତ। ହେଲେ ବିଶ୍ବା ରହିଛି ଯେ ରଥରେ ଡାହୁକ ବୋଲି ନହେବାଯାଏ ରଥ ଇଞ୍ଚେ ଗଡ଼ିବ ନାହିଁ! କାଳ କାଳ ଧରି ମହାପ୍ରଭୁମାନଙ୍କ ପାଖରେ ଏହି ଅନନ୍ୟ ସେବା ପ୍ରଚଳିତ। ରଥରେ ରଥ ଡାହୁକ ବା କାଳେସୀ ବୋଲି ଦେଲେ ହିଁ ଘିରିଘିରି ହୋଇ ଚାଲେ ରୁକୁଣା ରଥ। ଡାହୁକ ସେବା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ଏକ ପ୍ରଧାନ ସେବା। ଯେମିତି ଗାଡ଼ି ଚଳାଇବା ପାଇଁ ଗାଡ଼ି ଚାଳକର ଆବଶ୍ୟକତା ରହିଛି, ଠିକ୍‌ ସେହିପରି ରଥରେ ଡାହୁକଙ୍କ ଭୂମିକା। ଦୀର୍ଘ ୫୮ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କର ଏହି ନିଆରା ସେବା କରିଛନ୍ତି ‘ରଥ ଡାହୁକ’ ନାମରେ ପରିଚିତ ନରସିଂହ ଖୁଣ୍ଟିଆ। ପୂର୍ବରୁ ତାଙ୍କ ବାପା ହରି ଖୁଣ୍ଟିଆ ରଥରେ ବୋଲି ଦେଉଥିଲେ। ଏମିତି କାଳକାଳ ଧରି ଏହି ପରିବାର ଠାକୁରଙ୍କ ସେବା କରୁଛନ୍ତି।

ନରସିଂହ ଖୁଣ୍ଟିଆ କହନ୍ତି, ‘‘ଏ ସେବାର ଅନୁଭୂତି ଅପୂର୍ବ ଓ ଅଲୌକିକ। ଅନେକ ନୀତି ନିୟମ ମାନି ଚଳିବାକୁ ପଡ଼ିଥାଏ । ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସମସ୍ତ କାମ ହୋଇଥାଏ। ଡାହୁକ ଗୀତରେ କାଳକାଳରୁ ଅଶ୍ଳୀଳ ଭାଷା ପ୍ରୟୋଗର ଏହି ପରମ୍ପରା ଚାଲି ଆସୁଛି । ଏହିଭଳି ଗୀତ ଗାଇ ବେତ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଦେଖାଇବା ପରେ ହିଁ ରଥ ଗଡ଼ିଥାଏ। …ପିଲାବେଳେ ମୁଁ ବହୁତ ଦୁଷ୍ଟ ଥିଲି। ସପ୍ତମରୁ ପାଠ ଛାଡ଼ିଥିଲି। ରଥ ଯାତ୍ରାବେଳେ ବାପା ଡାହୁକ ବୋଲି ଦିଅନ୍ତି। ମୁଁ ତାଙ୍କ ସହ ରଥରେ ବସୁଥିଲି। ମତେ ଏବେ ୮୨ ବର୍ଷ ହେଲାଣି। ୧୯୬୧ ମସିହାରୁ ପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛି। ବାପା କାମରୁ ଓହରିବା ପରେ ଡାହୁକ ବୋଲି ପାଇଁ ମତେ ଡକରା ଆସିଥିଲା। ମୁଁ ଲଜ୍ଜାରେ ତ ବାପାଙ୍କୁ ପଚାରି ପାରିଲିନି, ବାପା ମଧ୍ୟ ମତେ ଅଶ୍ଳୀଳ କଥା କହିଲେନି। ବାପା ତାଙ୍କର ଲେଖାସବୁକୁ ଲୁଚେଇ ରଖିଲେ। ମୁଁ ରଥ ସମୟରେ ଯାହା ଶୁଣି ମନେ ରଖିଥିଲି, ତା’ ସହିତ ଆଉ କିଛି ସାଙ୍ଗସାଥୀଙ୍କ ସହ ମିଶି ନିଜେ ପ୍ରାୟ ୨ ଶହ ବୋଲି ଲେଖିଛି। ପ୍ରଥମେ ଅଶ୍ଳୀଳ ଭାଷାରେ ବୋଲି ଡାକିବାକୁ ସଂକୋଚ ଲାଗୁ ଥିଲା। ହେଲେ ପ୍ରଭୁ ଲିଙ୍ଗରାଜଙ୍କ କୃପା ଅପାର! ଯେମିତି ରଥକୁ ଚଢ଼ିଲି, ମୋ ଦେହରେ ଏକ ଅଦ୍ଭୂତ ଶିହରଣ ଖେଳିଗଲା। ଆଖି ଆଗରେ କିଛି ଦେଖାଗଲା ନାହିଁ। ମତେ ଲାଗିଲା, ପ୍ରଭୁ ଲିଙ୍ଗରାଜ ହିଁ ମୋ କଣ୍ଠରେ ବସିଛନ୍ତି! ମୋର ପୁରୁଣା ଭୁବନେଶ୍ବରରେ ଜନ୍ମ। ପୁଅ, ଝିଅ, ବନ୍ଧୁ ସମସ୍ତେ ରଥ ଦେଖିବାକୁ ଯାଆନ୍ତି। ହେଲେ ପ୍ରଭୁଙ୍କ ସେବା ପାଇଁ ସବୁକିଛି ଭୁଲି ଯିବାକୁ ପଡ଼େ।

ରଥଯାତ୍ରା ଦିନ ସକାଳୁ ସ୍ନାନସାରି ରାଜା ଲିଙ୍ଗରାଜ ଓ ମନ୍ତ୍ରୀ କପିଳେଶ୍ବରଙ୍କ ଅନୁମତି ନେବା ପରେ ଠାକୁରଙ୍କ ଆଜ୍ଞାମାଳ ନେଇ ରଥର ଘୋଡ଼ା ଉପରେ ବସି ବୋଲି ଦିଆଯାଏ।’’ ଶ୍ରୀ ଖୁଣ୍ଟିଆ ଆହୁରି କହନ୍ତି, ‘‘ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନଥିଲେ ଏ କାମ କରିବା ସହଜ ହେବନାହିଁ। କାରଣ ‌ରଥର ଘୋଡ଼ା ଉପରେ ବସି ଗୋଟିଏ ହାତରେ ଘୋଡ଼ାର କାନକୁ ଧରେ ଏବଂ ଆଉ ଗୋଟେ ହାତରେ ବେତ ଧରି ବୋଲି ଡକା ହୁଏ। ଅତ୍ୟନ୍ତ ବିପଦଜନକ ସ୍ଥିତିରେ ଥିଲେ ବି କିଛି କ୍ଷତି ହୁଏ ନାହିଁ। ୫୮ ବର୍ଷର ସେବା ଭିତରେ କେବେ ବଡ଼ ଅଘଟଣ ହୋଇନି। ଶେଷଥର ୨୦୧୯ ମସିହାରେ ମୁଁ ରଥ ଉପରେ ଥଣ୍ଡା ପିଇବା ସମୟରେ ଅଇଁଠା ରଥରେ ପଡ଼ି ଯାଇଥିଲା। କିଛି ସମୟ ପରେ ରଥ ଚାଲିଲାବେଳେ ମୁଁ ତଳକୁ ଖସି ପଡ଼ିଲି। ହେଲେ ପ୍ରଭୁଙ୍କ ଅସୀମ କୃପାରୁ କିଛି ହେଲାନାହିଁ।’’ ମଝିରେ ଅନେକ ଥର ଅଶ୍ଳୀଳ ଭାଷା କହି ଡାହୁକ ବୋଲି ବନ୍ଦ କରାଯାଇଛି। ସେଥର ରଥ ଗଡ଼ିନାହିଁ, ବାରମ୍ବାର ରଥ ଦଉଡ଼ି ଛିଣ୍ତିଛି। ଶେଷରେ ବୋଲି ଦେବାପରେ ରଥ ଗଡ଼ିଛି ବୋଲି ଶ୍ରୀ ଖୁଣ୍ଟିଆ କହନ୍ତି। ସୂଚନାଯୋଗ୍ୟ ଯେ ନରସିଂହଙ୍କ ବୟସ ହୋଇଯିବା ପରେ ତାଙ୍କ ପୁଅ ବିଭୂତି ଭୂଷଣ ଖୁଣ୍ଟିଆ କିଛି ବର୍ଷ ହେବ ପରିବାରର ପରଂପରା ଅନୁସରଣ କରି ଡାହୁକ କାମ କରୁଛନ୍ତି।

ସମ୍ବନ୍ଧିତ ଖବର