ନିଲାମ ହେଲା ମରୀଚିକୁଣ୍ଡ ପାଣି: ପ୍ରଥମ କଳସକୁ ୨୪ହଜାର ୫୦୦

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ଆଜି ମରୀଚିକୁଣ୍ଡ ପାଣି ଯାଇଥିଲା। ରାତି ପ୍ରାୟ ୧୦ଟାରେ ମରୀଚିକୁଣ୍ଡ ପାଣି ରଥ ପ୍ରତିଷ୍ଠା କାମ ପାଇଁ ଯାଇଥିଲା। ପରଂପରା ଅନୁସାରେ ରଥ ପ୍ରତିଷ୍ଠା ପାଇଁ ପାଣି ଯିବାପରେ ରାତି ୧୨ଟାରୁ ମରୀଚିକୁଣ୍ଡ ପାଣି ନିଲାମ ହୋଇଥିଲା। ପ୍ରଥମ କଳସ ପାଣିକୁ ୨୧ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇଥିଲା। ସେହି ପ୍ରଥମ କଳସକୁ ୨୪ହଜାର ୫୦୦ ଟଙ୍କାରେ ଜଗତସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଧରିଥିଲେ। ତା’ରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡ଼ୁ ନିଯୋଗ ପକ୍ଷରୁ ନିଲାମ ହୋଇଥିଲା।

ଉଲ୍ଲେଖନୀୟ ଯେ ନେତ୍ର ଉତ୍ସବ ବା ରୁକୁଣା ରଥ ପ୍ରତିଷ୍ଠା ଅବସରରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣସ୍ଥିତ ମରୀଚି କୁଣ୍ଡ ଜଳରେ ସ୍ନାନକଲେ, ନିଃସନ୍ତାନଙ୍କୁ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି କାହିଁ କେଉଁ କାଳରୁ ବିଶ୍ବାସ ବଞ୍ଚି ରହିଆସିଛି। ‌ତେଣୁ ପ୍ରତିବର୍ଷ ମରୀଚି କୁଣ୍ଡ ଜଳ ନିଲାମ କରାଯାଉଛି ଏବଂ ମାନସିକଧାରୀମାନେ ହଜାର ହଜାର ଟଙ୍କା ଦେଇ ଏହି ଜଳ ନିଲାମ ନେଉଛନ୍ତି। ବଡ଼କଥା ହେଉଛି, ଏହି ନିଲାମ ପ୍ରକ୍ରିୟାରେ କେବଳ ଓଡ଼ିଆ ନୁହନ୍ତି, ସ୍ଥାନୀୟ ଓ ବାହାରୁ ଆସି ଅନେକ ଅଣଓଡ଼ିଆ ଦମ୍ପତି ମଧ୍ୟ ଭାଗ ନିଅନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ରାତିରେ ମରୀଚି କୁଣ୍ଡରୁ ପ୍ରଥମ କଳସ ପାଣି ସେବାୟତମାନେ ନିଅନ୍ତ। ଏହାପରେ ମରୀଚି କୁଣ୍ଡ ପାଣି ନିଲାମ କରାଯାଏ। ବିଧି ମୁତାବକ ମାନସିକଧାରୀ ଦମ୍ପତି ଶ୍ରୀଲିଙ୍ଗରାଜଙ୍କୁ ଗୁଆ, ନଡ଼ିଆ ଦେଇ ସଂକଳ୍ପ କରନ୍ତି। ଏହାପରେ ଆଜ୍ଞା ପ୍ରସାଦ ପାଇ ନିଲାମରେ ସାମିଲ ହୁଅନ୍ତି। ସର୍ବାଧ‌ିକ ମୂଲ୍ୟରେ ନିଲାମ ନେଇଥିବା ଦମ୍ପତିଙ୍କୁ ପ୍ରଥମ ଗରା ପାଣି ଦିଆଯାଏ। ଏହାପରେ କ୍ରମାନୁଯାୟୀ ଦ୍ବିତୀୟ ଓ ତୃତୀୟ ପାଣି ଗରା ଦିଆଯାଏ। ଶେଷରେ ଏକ ସର୍ବନିମ୍ନ ନିର୍ଦ୍ଧାରିତ ଦରରେ ଅପେକ୍ଷାରତ ଅବଶିଷ୍ଟ ଦମ୍ପତିଙ୍କୁ ପାଣି ମାଠିଆ ମିଳିଥାଏ।

ସମ୍ବନ୍ଧିତ ଖବର