ରକ୍ତ ପିଉଛି ଜୟଦେବବିହାର-ନନ୍ଦନକାନନ ରାସ୍ତା: ୩ ମାସରେ ୩୬ ଦୁର୍ଘଟଣାରେ ୮ ମୃତ, ଶତାଧିକ ଆହତ

ହମ୍ପସ୍‌ ଉଠାଇ ପୁଣି ତିଆରି କରିବାକୁ ଭୁଲିଗଲେ, ରାତିରେ ବଢ଼ୁଛି ଦୁର୍ଘଟଣା

ଚନ୍ଦ୍ରଶେଖରପୁର: ଜନଗହଳିପୂର୍ଣ୍ଣ ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ କମାଇବାକୁ ୨ଟି ସମାନ୍ତରାଳ ରାସ୍ତା ନିର୍ମାଣ ଚାଲିଛି। ସାଲିଆସାହି ବ୍ୟତୀତ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତା’ସତ୍ତ୍ବେ ମଧ୍ୟ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଦୁର୍ଘଟଣା ବନ୍ଦ ହେଉନାହିଁ। ପ୍ରତିଦିନ ଏହି ଅଞ୍ଚଳରେ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି। ମୁଣ୍ଡ ବି ଗଡ଼ୁଛି। ‘ମୋ ବସ୍‌’ ଦୁର୍ଘଟଣା ତ ଏହି ରାସ୍ତାରେ ନିତିଦିନିଆ କଥା ହୋଇଗଲାଣି। ରାତିରେ ସ୍ଥିତି ଆହୁରି ଭୟଙ୍କର ହୋଇ ଯାଉଛି। ଗତ ୧୦ ଦିନ ମଧ୍ୟରେ ନାଲ୍‌କୋ ଛକ ନିକଟରେ ହିଁ ରାତିରେ ୩ଟି ଦୁର୍ଘଟଣା ଘଟି ୫ରୁ ଅଧିକ ଆହତ ହେଲେଣି।

ତ୍ରିଶୁଳିଆ ବ୍ରିଜ୍‌ ହେବା ପରେ ଏହି ରାସ୍ତା ଏବେ କଟକ-ଭୁବନେଶ୍ବର ସହର ପାଇଁ ଲାଇଫ୍‌ ଲାଇନ୍‌ ପାଲଟିଛି। ବାଟ କମ୍‌ ପଡ଼ୁଥିବାରୁ ଦ୍ବୈତନଗରୀର ଲୋକେ ଏହି ରାସ୍ତାରେ ଯିବା ଆସିବା କରିବାକୁ ପସନ୍ଦ କରୁଛନ୍ତି। ଏହା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ପାଲଟିଛି। ସକାଳ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ନାହିଁ ନଥିବା ଗହଳି ହେଉଛି ଓ ଦୁର୍ଘଟଣା ମଧ୍ୟ ଘଟୁଛି। ପୁଣି ରାତି ୧୧ଟା ପରେ ଟ୍ରାଫିକ୍‌ ହଟିବା କ୍ଷଣି ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ରୁ ୧୦୦ କିମି ବେଗରେ ଯାଉଛି। ତେଣୁ ରାତି ଦୁର୍ଘଟଣାର ସଂଖ୍ୟା ବଢ଼ିଚାଲିଛି। ରାତି ଦୁର୍ଘଟଣାର ଏକ ମୁଖ୍ୟ କାରଣ ହେଉଛି, ପ୍ରାୟ ୨ମାସ ହେଲା ଏହି ରାସ୍ତାରୁ ହମ୍ପସ୍‌ ଉଠାଇ ଦିଆଯାଇଛି। ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ତ୍ରିଶୁଳିଆ ଯିବାକୁ ଥିବାରୁ କିଟ୍‌ ଛକରୁ ତ୍ରିଶୁଳିଆ ଛକ ମଧ୍ୟରେ ଥିବା ହମ୍ପସ୍‌ଗୁଡ଼ିକ ଉଠାଇ ରାସ୍ତାକୁ ସମାନ କରି ଦିଆଯାଇଥିଲା। କାର୍ଯ୍ୟକ୍ରମ ପରେ ଆଉ ହମ୍ପସ୍‌ ନିର୍ମାଣ କରାଯାଇ ନାହିଁ। ସେଥିପାଇଁ ରାତିରେ ଗାଡ଼ିଗୁଡ଼ିକ କ୍ଷୀପ୍ରଗତିରେ ଯିବା ଆସିବା କରୁଛି। ତେଣୁ ମୁଖ୍ୟତଃ କାର୍‌ଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛି। ରାତିରେ ଟ୍ରକ୍‌ ମଧ୍ୟ ଏହି ରାସ୍ତାରେ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ଯାଉଛନ୍ତି। କେବେ କେବେ ସମ୍ପୂର୍ଣ୍ଣ ରାସ୍ତାକୁ ୨-୩ଟି ଟ୍ରକ୍‌ ଅକ୍ତିଆର କରି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ଏମିତି ପ୍ରତିଦିନ ହେଉଥିଲେ ହେଁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କଟକଣା ଲଗାଯାଉନାହିଁ। ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ସାଜିଛନ୍ତି ବୁଲା ଗାଈଗୋରୁ। ଅବଶ୍ୟ ଜୟଦେବ ବିହାର ଛକରୁ ପଟିଆ ବିଗ୍‌ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଆଗଭଳି ଗାଈଗୋରୁଙ୍କୁ ଦେଖିବାକୁ ମିଳୁନି। ତେବେ ପଟିଆଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ଏବେ ବୁଲା ଗାଈଗୋରୁଙ୍କ କବ୍‌ଜାରେ। ଦିନ ରାତି ସବୁ ସମୟରେ ରାସ୍ତାକୁ କବ୍‌ଜା କରି ଗୋରୁମାନେ ଶୋଇ ରହୁଛନ୍ତି। ସେମାନଙ୍କୁ ହଟାଇବା ଦିଗରେ କେହି ଗୁରୁତ୍ବ ଦେଉ ନାହାନ୍ତି। ନିଜ ଅଞ୍ଚଳ ହୋଇ ନ ଥିବା କହି ବିଏମ୍‌ସି କର୍ତ୍ତୃପକ୍ଷ ନିରବ ରହୁଥିବାବେଳେ ପୁଲିସ ତାହା ତା’ଦାୟିତ୍ବ ନୁହେଁ ବୋଲି କହି ଖସି ଯାଉଛି। ମୋଟ୍‌ ଉପରେ ଏହି ରାସ୍ତା ଦୁର୍ଘଟଣାପ୍ରବଣ ଭାବେ ପରିଚିତ ହୋଇ ସାରିଲା ପରେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ବଡ଼ ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଫଳରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। କମିସନରେଟ୍‌ ପୁଲିସର ତଥ୍ୟ ଅନୁଯାୟୀ, ଗତ ୩ ମାସ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ରାସ୍ତା ଓ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାରେ ୩୬ଟି ବଡ଼ ଦୁର୍ଘଟଣା ହୋଇଛି।

ସେଥିରେ ୮ଜଣଙ୍କର ପ୍ରାଣ ଗଲାଣି ଓ ଶତାଧିକ ଆହତ ହୋଇଛନ୍ତି। ଏହା ଭିତରୁ ମୈତ୍ରୀବିହାର ଥାନା ଅଧୀନ ୨୦୦ ଫୁଟିଆ ରୋଡ୍‌ରେ ୧୨ଟି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଥାନା ଅଧୀନ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ୯ଟି ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଯଦି ଚନ୍ଦ୍ରଶେଖରପୁର ଥାନା କଥା ଦେଖିବା, ଏହି ୩ମାସରେ ୭ଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଇନ୍‌ଫୋସିଟି ଥାନା ଅଧୀନରେ ମଧ୍ୟ କମ୍‌ ଦୁର୍ଘଟଣା ହୋଇନାହିଁ। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ୬ଟି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି। ଇନ୍‌ଫୋସିଟି-ଶିଖରଚଣ୍ଡୀ ରୋଡ୍‌ରେ ୨ଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର