ପ୍ରମୁଖ ପାର୍କରେ ଲାଇବ୍ରେରି ହେବ: ଫେବୃଆରି ଶେଷ ସୁଦ୍ଧା ବିଏସବିଟି ଲୋକାର୍ପଣ

ଜୁନ୍‌ ସୁଦ୍ଧା ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା

ଭୁବନେଶ୍ବର: ରାଜ୍ୟ ଖଣି ନିଗମ ପୁନରୁଦ୍ଧାର କରୁଥିବା ହରେକୃଷ୍ଣ ମହତାବ ରାଜ୍ୟ ପାଠଗାରର ଶିଳାନ୍ୟାସ ଆସନ୍ତା ୧୯ ତାରିଖରେ ହେବ। ବାପୁଜୀନଗରରେ ସନ୍ଥକବି ଭୀମଭୋଇ ଲାଇବ୍ରେରି ମଧ୍ୟ ୧୯ ତାରିଖରେ ଲୋକାର୍ପଣ ହେବ। ଉଭୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେବଳ ଏହି ଦୁଇ ଲାଇବ୍ରେରି ନୁହେଁ, ବରଂ ସହରର ପ୍ରମୁଖ ପାର୍କରେ ଲାଇବ୍ରେରି କରାଯିବ। ସହରରେ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ। ଅନ୍ୟ ଏକ ମେଗା ପ୍ରକଳ୍ପ ବରମୁଣ୍ଡା ଆନ୍ତରାଜ୍ୟ ବସ ଟର୍ମିନାଲର ନାମ ପରିବର୍ତ୍ତନ ହୋଇଛି। ଏହାକୁ ଡ. ବାବା ସାହେବ ଭୀମରାଓ ଆମ୍ବେଦକର (ବିଏସ୍‌ବିଟି) ନାମରେ ନାମିତ କରାଯାଇଛି। ଏହାକୁ ଚଳିତ ମାସ ଶେଷ ସୁଦ୍ଧା ଲୋକାର୍ପଣ ଯୋଜନା ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ପ୍ରସ୍ତୁତି ଚାଲିଛି। ଅନ୍ୟଏକ ମେଗା ପ୍ରକଳ୍ପ ହେଉଛି ଆନନ୍ଦବନ। ୧୦୦ ଏକର ଜାଗାରେ ପ୍ରସ୍ତୁତ ହେଉଥିବା ସହରର ଏହି ଅନ୍ୟତମ ପ୍ରମୁଖ ଆକର୍ଷଣ ମଧ୍ୟ ଖୁବ୍‌ଶୀଘ୍ର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ। ଏହା ଅବସର ବିନୋଦନର ଅନ୍ୟତମ ପ୍ରମୁଖ କେନ୍ଦ୍ର ହେବ। ସେହିଭଳି ୯୦ ଏକର ଜମିରେ ହେଉଥିବା ‘ଲେକ ଜୋନ୍‌ ପ୍ରୋଜେକ୍ଟ’ ମଧ୍ୟ ଲୋକମାନଙ୍କ ମନୋରଞ୍ଜନର ଅନ୍ୟତମ ଡେଷ୍ଟିନେସନ ହେବ। ତିନିଟି ଜୋନ୍‌ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଗୋଟିଏ ସ୍ଥାନରେ ସାଇକେଲିଂ ଟ୍ରାକ୍, ପ୍ରାତଃଭ୍ରମଣ, ଜଗିଂ ଟ୍ରାକ୍ ସହ ମୁକ୍ତାକାଶ ବ୍ୟାୟାମଶାଳା ସହ ପ୍ରତ୍ୟେକ ଶନିବାର-ରବିବାର ଏଠାରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ ଉପଲବ୍ଧ ହେବ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥୁବା ପର୍ଯ୍ୟଟକ ଏହି ଖାଦ୍ୟର ମଜା ବର୍ଷ ସାରା ନେଇ ପାରିବେ।

ଅନ୍ୟପଟେ ମାର୍ଚ୍ଚ ଶେଷ ସୁଦ୍ଧା ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା ମଧ୍ୟ କାର୍ଯ୍ୟକ୍ଷମ ହେବ। ପଟିଆ ବିଗ୍ ବଜାରଠାରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପୁନରୁଦ୍ଧାର କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ଡମଣାଠାରୁ ସୈନିକ ସ୍କୁଲ୍ ପଛ ପର୍ଯ୍ୟନ୍ତ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାସ ଶେଷ ସୁଦ୍ଧା ଏହି ୨ ରାସ୍ତା ଖୋଲିବାକୁ ଯୋଜନା ରହିଛି। ସେହିପରି ବାମ ସମାନ୍ତରାଳ ରାସ୍ତା ମଧ୍ୟ ୪ ମାସ ମଧ୍ୟରେ ବା ଜୁନ୍‌ ସୁଦ୍ଧା ଶେଷ କରିବାକୁ ଯୋଜନା ରହିଛି। ସହରର ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଲୋକ ସଂଖ୍ୟା ଅନୁପାତରେ ବୃକ୍ଷରୋପଣ ପାଇଁ ଯୋଜନା ହୋଇଛି। ସହରର ପରିବେଶ କିଭଳି ସନ୍ତୁଳିତ ରହିବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଖାଲି ସ୍ଥାନର ବିକାଶ ସହ ଖେଳପଡ଼ିଆର ବିକାଶ, ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯିବ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଜମି ପାଇଁ ସଂଯୁକ୍ତ ବିଭାଗଗୁଡ଼ିକ ସହ ବିଡିଏ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି। ସାଇକେଲ୍‌ ଟ୍ରାକ୍, ଶ୍ମଶାନ, କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ବିଡିଏ ଯୋଜନା କରିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର