କଲବଲ ହେଉଛନ୍ତି ଅବସରପ୍ରାପ୍ତ କର୍ମଚାରୀ

କ୍ଷମତା ଥାଇ ବି ଶୁଣୁନି ବିଏମ୍‌ସି, ସ୍ପଷ୍ଟ କଲେ ସରକାର

ଭୁବନେଶ୍ଵର: ପେନ୍‌ସନ୍‌ ମଞ୍ଜୁର କରିବା ପାଇଁ ବିଏମ୍‌ସି କମିସନରଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଅବସର ନେଉଥିବା କର୍ମଚାରୀମାନଙ୍କୁ ସେମାନଙ୍କର ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ କମିସନରଙ୍କୁ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ। କିନ୍ତୁ ଏଠାରୁ ଅବସର ନେଉଥିବା କର୍ମଚାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରିବାରେ ବିଏମ୍‌ସି ଅବହେଳା କରୁଛି। ଅବସରପ୍ରାପ୍ତ କର୍ମଚାରୀ ସଂଘ ମାଧ୍ୟମରେ ଏ ନେଇ ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିବା ପରେ ପେନ୍‌ସନ୍‌ ମଞ୍ଜୁର କରିବାକୁ କମିସନର କ୍ଷମତାସୀନ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ମର୍ମରେ ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି। ଚିଠି ଆସିବା ପରେ ଅବସରପ୍ରାପ୍ତ କର୍ମଚାରୀମାନେ ଆଶ୍ବସ୍ତ ହୋଇଛନ୍ତି। ଏଥର ଅବସରକାଳୀନ ସହାୟତା ବା ପେନ୍‌ସନ୍‌ ପାଇବାରେ ସମସ୍ୟା‌ ହେବ ନାହିଁ ବୋଲି ସେମାନେ ଆଶା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଏମ୍‌ସିରୁ ଅବସର ନେବା ପରେ ଅନେକ କର୍ମଚାରୀ ଅବସରକାଳୀନ ସୁବିଧା ପାଇବାକୁ ବିଏମ୍‌ସି ଅଫିସ୍‌ ଦଉଡ଼ୁଛନ୍ତି। ବିଭିନ୍ନ କାରଣ ଦେଖାଇ ଏମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହେଉଥିଲା। ପୂର୍ବରୁ ବିଏମ୍‌ସିର କ୍ଷମତା ନାହିଁ କହି ବିଏମ୍‌ସି ଖସି ଯାଉଥିଲା। ଏବେ ସରକାରଙ୍କ ଚିଠି ଆସିବା ପରେ ବିଏମ୍‌ସି କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର