୩ରୁ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଉଦ୍‌ଘାଟନ କରିବେ ଅମିତାଭ ଘୋଷ, ଯୋଗଦେବେ ରାଜ୍ୟ ତଥା ରାଜ୍ୟ ବାହାରର ବିଖ୍ୟାତ ଲେଖକ

ଭୁବନେଶ୍ବର: ଆସନ୍ତା ୩ ତାରିଖରୁ ଭୁବନେଶ୍ବର କ୍ଲବ୍ ପରିସରରେ ଅନୁଷ୍ଠିତ ହେବ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବର ସପ୍ତମ ସଂସ୍କରଣ। ‘ସମ୍ବାଦ’ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ସାହିତ୍ୟ ସମାବେଶକୁ ଜ୍ଞାନପୀଠ ବିଜେତା ଲେଖକ ଅମିତାଭ ଘୋଷ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ଅଧିବେଶନରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଟାଟା ଷ୍ଟିଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ୍‌ ଚାଣକ୍ୟ ଚୌଧୁରୀ ଯୋଗ ଦେବେ।

ପ୍ରଥମ ଦିନରେ ବିଶିଷ୍ଟ ନୃତ୍ୟଶିଳ୍ପୀ ମଲ୍ଲିକା ସରାଭାଇ ଯୋଗଦେଇ ତାଙ୍କର ପୁସ୍ତକ ‘ଇନ୍ ଫ୍ରି ଫଲ୍’ ସମ୍ପର୍କରେ ଆଲୋଚନା କରିବେ। ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳ ଶଇଳ’ ସମ୍ପର୍କରେ ଅଭିନେତ୍ରୀ ସୋଫିଆ ଆଲମ ଏବଂ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ପଞ୍ଚମୀ ମାନୁ ଉକିଲ। ସେହିପରି ୪ ତାରିଖରେ ଓଡ଼ିଆ ଗଳ୍ପ ‘ବାପା’ର ଚଳଚ୍ଚିତ୍ର ରୂପ ‘ପ୍ରତୀକ୍ଷା’କୁ ନେଇ ଗଳ୍ପର ଲେଖକ ଗୌରହରି ଦାସ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁପମ ପଟ୍ଟନା‌ୟକଙ୍କ ସହ ଆଲୋଚନା କରିବେ ରତିକାନ୍ତ ଶତପଥୀ। ଅନ୍ୟ ଏକ ଅଧିବେଶନରେ ଯୁବ ଲେଖକ ସୁଜିତ ଶତପଥୀ, ନିଖିଳେଶ ମିଶ୍ର, ସ୍ବାଗତିକା ମିଶ୍ର ଏବଂ ଶ୍ରୀମା ଶତପଥୀ ଯୋଗଦେଇ ସ୍ବରଚିତ କବିତା ପାଠ କରିବେ। ଜଗଦୀଶ ମହାନ୍ତିଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବେ ହିମାଂଶୁ ମହାପାତ୍ର, ସରୋଜିନୀ ସାହୁ ଏବଂ ପରେଶ ପଟ୍ଟନାୟକ। ରାଜ୍ୟ ଭିତରେ ଏବଂ ବାହାରେ ଓଡ଼ିଆ‌ ସାହିତ୍ୟର ପ୍ରଭାବ ବିଷୟରେ ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଲେଖିକା ପାରମିତା ଶତପଥୀ, ଗାୟତ୍ରୀବାଳା ପଣ୍ଡା ଏବଂ ମୋନାଲିସା ଜେନାଙ୍କ ସହ ଆଲୋଚନା କରିବେ ଶକ୍ତି ମହାନ୍ତି।

ଓଡ଼ିଆ ଭାଷାର ଅଧିବେଶନଗୁଡ଼ିକ ସହ ଏକାଧିକ ଇଂରାଜୀ ପୁସ୍ତକ ସମ୍ପର୍କ‌ରେ ଆଲୋଚନା କରାଯିବ। ସେ ମଧ୍ୟରେ ରହିଛି କିଶୋର କୁମାରଙ୍କ ଆତ୍ମଜୀବନୀ ଏବଂ ବେରି ଓବ୍ରାଏନ୍‌ଙ୍କ ପୁସ୍ତକ। ବ୍ରିଟିସ୍‌ ସଂଗ୍ରହାଳୟର ପୂର୍ବତନ ନିର୍ଦ୍ଦେଶକ ରିଚାର୍ଡ ବ୍ଲର୍ଟନଙ୍କ ସହ ଆଲୋଚନା କରିବେ ପ୍ରଫେସର୍‌ ଯତୀନ୍ଦ୍ର କୁମାର ନାୟକ। ବିଶିଷ୍ଟ ଲେଖିକା ଚିତ୍ରିତା ବାନାର୍ଜୀ ଭାରତର ଖାଦ୍ୟ-ଇତିହାସ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ଉପରେ ଆଲୋଚନା କରିବେ। ସୁଫିବାଦ ଉପରେ ରଚିତ ମୋଇନ ମିରଙ୍କ ପୁସ୍ତକ ‘ଦି ଲଷ୍ଟ ଫ୍ରେଗରେନ୍ସ ଅଫ ଇନ୍‌ଫିନିଟି’ ଏବଂ ନନ୍‌ସେନ୍ସ ଭର୍ସ ଉପରେ ରଚିତ ସୁମନ୍ୟୁ ଶତପଥୀଙ୍କ ପୁସ୍ତକ ସମ୍ପର୍କିତ ଆଲୋଚନା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି।

ସେହିପରି ବିଶିଷ୍ଟ ଲେଖକ ଜେରି ପିଣ୍ଟୋଙ୍କ ସହ ଆଲୋଚନା କରିବେ ମାଳବିକା ବାନାର୍ଜୀ। ୪ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର କ୍ଲବ୍ ପରିସରରେ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ସୁଜାତ ଖାନ। ୫ ତାରିଖ ସନ୍ଧ୍ୟାରେ ରେଲ୍‌ୱେ ପ୍ରେକ୍ଷାଳୟରେ ପରିବେଷିତ ହେବ ବିଶିଷ୍ଟ ଅଭିନେତା ପଙ୍କଜ କପୁରଙ୍କ ଏକକ ଅଭିନୟ ‘ଦୋପହରୀ’। ୪ ତାରିଖର ଏକ ଅଧିବେଶନରେ ସାହିତ୍ୟର ଚରିତ୍ରକୁ ନେଇ ଅଭିନୟ ସମ୍ପର୍କରେ ଆଲୋଚନା କରିବେ ପଙ୍କଜ କପୁର ଏବଂ ସୁପ୍ରିୟା ପାଠକ କପୁର। ଅନ୍ୟ ବର୍ଷ ପରି ଏଥର ମଧ୍ୟ ସାହିତ୍ୟ, ସାମ୍ପ୍ରତିକ ପ୍ରସଙ୍ଗ, ଚଳଚ୍ଚିତ୍ର ଏବଂ କଳାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକୁ ନେଇ ଉତ୍ସବରେ ଆଲୋଚନା କରାଯିବ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ଆଲୋଚନା କରିବେ ଏବଂ ଉପସ୍ଥିତ ଦର୍ଶକଙ୍କ ସହ ମତ ବିନିମୟ କରିବେ। ଏହି ସାହିତ୍ୟ ସମାବେଶରେ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେବା ପାଇଁ ଟାଟା ଷ୍ଟିଲ୍‌ ଓ ‘ସମ୍ବାଦ’ ତରଫରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର କ୍ଲବ୍‌ ପରିସରରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେବା ପାଇଁ କୌଣସି ପ୍ରବେଶିକା ଦେୟ ନାହିଁ କିମ୍ବା ପାସ୍‌ ବା ନିମନ୍ତ୍ରଣପତ୍ରର ପ୍ରୟୋଜନ ନାହିଁ। କେବଳ ୫ତାରିଖ ସନ୍ଧ୍ୟାରେ ରେଲ୍‌ୱ ପ୍ରେକ୍ଷାଳୟର ପଙ୍କଜ କପୁରଙ୍କ ନାଟକ କାର୍ଯ୍ୟକ୍ରମ ପାଇଁ ପାସ୍ ଆବଶ୍ୟକ। ଏଥିପାଇଁ ସିମ୍ଫୋନି ମଲ୍‌ର ଅକ୍ସଫୋର୍ଡ ବୁକ୍ ଷ୍ଟଲ୍‌ରେ ପାସ୍ ପ୍ରଦାନ କରାଯାଉଛି ବୋଲି ଉତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର