କାନଫଟା ଘଡ଼ଘଡ଼ି ସାଙ୍ଗକୁ ୨ ଘଣ୍ଟା ବର୍ଷିଲା; ଇସ୍କନ୍‌ ଆଗରେ ଭାସିଲା କାର୍‌, ଅଟୋ

ଲୋକଙ୍କ ଘରେ ପଶିଲା ଉଚ୍ଛୁଳା ଡ୍ରେନ୍‌ ପାଣି

ଭୁବନେଶ୍ବର: ଦିନକ ବ୍ୟବଧାନ ପରେ ଆଜି ରାଜଧାନୀରେ ପୁଣି ବର୍ଷା ହୋଇଛି। ଆଜି ଦିନ ସାରା ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ଥିବା ବେଳେ ଅପରାହ୍‌ଣରେ ପ୍ରାୟ ୨ଘଣ୍ଟା ଧରି ବର୍ଷିଥିଲା। ବିଜୁଳି, କାନଫଟା ଘଡ଼ଘଡ଼ି ସାଙ୍ଗକୁ ନିର୍ଧୁମ୍‌ ଛେଚିଥିଲା। ପୂରା ଭବୁନେଶ୍ୱରରେ ହାରାହାରି ୧୦ମିମି ବର୍ଷା ରେକର୍ଡ ହୋଇଥିଲେ ହେଁ ଅଧିକାଂଶ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷକରି ଇସ୍କନ୍‌ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ, ନୂଆପଲ୍ଲୀର ବିଭିନ୍ନ ଅଞ୍ଚଳ, ୨୨ ନମ୍ବର ୱାର୍ଡର ଜୋକଲେଣ୍ଡି ଓ ଶ୍ୟାମପୁର ପଣ୍ଡାକୁଦିଆ ବସ୍ତି, ଉତ୍ତର ଭୁବନେଶ୍ବରର ନନ୍ଦନବିହାର ଆଦି ଅଞ୍ଚଳରେ ଦୀର୍ଘ ସମୟ ଧରି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଏୟାରପୋର୍ଟ ଅଞ୍ଚଳରେ ୧୦.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବେଗୁନିଆ ଷ୍ଟେସନ୍‌ରେ ସର୍ବାଧିକ ୩୨ମିମି ରେକର୍ଡ ହୋଇଛି। ଏହାବ୍ୟତୀତ ରାଜୀବଭବନ ଅଞ୍ଚଳରେ ୨୯ ମିମି ଓ କିଟ୍‌ ପଟିଆରେ ୨୭ ମିମି ବର୍ଷା ହୋଇଛି। ସୂଚନାଯୋଗ୍ୟ, ଜୁନ୍‌ ୧ରୁ ଜୁଲାଇ ୪ ମଧ୍ୟରେ ରାଜଧାନୀରେ ମୋଟ ୩୫୪ ମିମି ବର୍ଷା ହୋଇଯାଇଛି। ଏହା ସ୍ବାଭାବିକଠାରୁ ଖୁବ୍‌ ଅଧିକ ବୋଲି କେନ୍ଦ୍ର କହିଛି।

ଆଜିର ବର୍ଷାରେ ଇସ୍କନ୍ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଜଳାଣ୍ଣବ ହୋଇଯାଇଥିଲା। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରିଥିଲା। ଏଥିପାଇଁ ଯାନବାହାନ ଯାତାୟାତରେ ବ୍ୟାହତ ହୋଇଥିଲା। ରାସ୍ତାକଡ଼ରେ ଥିବା ବାଇକ୍‌, କାର୍‌ ଓ ଅଟୋ ପାଣିରେ ଭାସିଥିଲା। ଏପରିକି ଟ୍ରକ୍‌ ଭଳି ବଡ଼ବଡ଼ ଗାଡ଼ି ମଧ୍ୟ ରାସ୍ତା ପାର୍‌ ହେବାକୁ ଚେଷ୍ଟା କରି ମଝିରେ ଫସି ଯାଇଥିଲେ। ତେବେ ସପ୍ତାହାନ୍ତ ସଟ୍‌ଡାଉନ୍‌ କାଁଭାଁ ଗାଡ଼ିମଟର ଯାତାୟାତ କରୁଥିବାରୁ ବେଶି ଲୋକ ଅସୁବିଧାର ସମ୍ମୁଖୀନ ହୋଇନଥିଲେ।

ସେହିଭଳି ୩୯ନଂ ଵାର୍ଡସ୍ଥିତ ବେହେରା ସାହି ଛକ, ଦମୟନ୍ତୀ ଆପାର୍ଟମେଣ୍ଟ ପଛ ପାର୍ଶ୍ବରେ ଥିବା ଗଳି ଓ ବିଭିନ୍ନ ଅଞ୍ଚଳରେ ଡ୍ରେନ୍ କାମ ଶେଷ ହୋଇଥିଲେ ହେଁ ପୁଣି ପାଣି ଘରେ ଲୋକଙ୍କ ଘରେ ପଶିଥିଲା। ଡ୍ରେନ୍ ପୂରି ରାସ୍ତାରେ ପାଣି ଚାଲିବା ସହିତ ଦୋକାନ, ଘର ଜଳମଗ୍ନ ହୋଇଥିଲା। ତେବେ ୩୮ନଂ ଵାର୍ଡରେ ପ୍ରାୟ ଶହେ ମିଟରରୁ ଅଧିକ ଜାଗାରେ ବିଏମ୍‌ସିର ଡ୍ରେନ୍ ନିର୍ମାଣ କାମ ଶେଷ ହୋଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବିଏମ୍‌ସିର କାମ ଶେଷ ହୋଇନଥିବା ଏହି ଶହେ ମିଟର ଜାଗା ଏକ ଘରୋଇ ଜମି ହୋଇଥିବାରୁ ଡ୍ରେନ୍ କାମ ଅଧା ରହିଛି। ଏଥିପାଇଁ କୋର୍ଟରେ କେସ୍ ଚାଲିଥିବାରୁ ବିଏମ୍‌ସି ଉକ୍ତ ବ୍ୟକ୍ତିଠାରୁ ନା ଜମି କିଣୁଛି ନା କିଛି ସମାଧାନ ରାସ୍ତା ବାହାର କରୁଛି। ଫଳରେ ହଜାର ହଜାର ଲୋକଙ୍କ ଘରେ ପାଣି ପଶିବା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଜଗନ୍ନାଥ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନୂଆପଲ୍ଲୀ ବେହେରାସାହି ଓ ଇସ୍କନ୍‌ ମନ୍ଦିର ସାମ୍ନା ରାଜପଥରୁ ସହଜରେ ବର୍ଷାଜଳ ନିଷ୍କାସନ ପାଇଁ ବିଏମ୍‌ସି ନିକଟରେ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ଆଜିର ଅସରାଏ ବର୍ଷା‌‌ରେ ତାହା ଫିକା ପଡ଼ି ଯାଇଛି।

ସମ୍ବନ୍ଧିତ ଖବର