ନିଆରା ଉଦ୍ୟମକୁ ନେଇ ଚର୍ଚ୍ଚା: ସରପଞ୍ଚ ଦେଲେ ୬ଶହ ଶ୍ରମିକଙ୍କୁ ରୋଜଗାର

ନୂଆପଡ଼ା : ମହାମାରୀ ସମୟରେ କାମ ନପାଇ ଶ୍ରମିକମାନେ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ନୂଆପଡ଼ା ଜିଲ୍ଲାର ଜଣେ ସରପଞ୍ଚ ୬ଶହ ଶ୍ରମିକଙ୍କୁ କର୍ମ ନିୟୋଜନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ନୂଆପଡ଼ା ପଞ୍ଚାୟତର ସରପଞ୍ଚ ହେଉଛନ୍ତି ବିଦ୍ୟାଧର ବୋଡ଼କିଆ। ଜିଲ୍ଲା ସଦର ମହକୁମାରୁ ୧୨୦ କିମି ଦୂର ଛତିଶଗଡ଼ ସୀମାକୁ ଲାଗିରହିଛି ଏହି ପଞ୍ଚାୟତ।

ଛୋଟବଡ଼ ୮ଟି ଗ୍ରାମକୁ ନେଇ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୧ଟି ୱାର୍ଡ ଅଛି। ପ୍ରାୟ ୩ ହଜାର ଲୋକ ଏଠାରେ ବସବାସ କରନ୍ତି। ମାତ୍ର ଅଧିକାଂଶ ଲୋକ ଦିନମଜୁରି କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏପରିକି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥା’ନ୍ତି। କରୋନା କାଳର ଲକ୍‌ଡାଉନ, ସଟ୍‌ଡାଉନ ଯୋଗୁଁ ଏମାନେ ଘରେ ହାତବାନ୍ଧି ବସି ରହିଥିଲେ। ଏହି ସମୟରେ ସରପଞ୍ଚ ବିଦ୍ୟାଧର ମନରେଗା ଯୋଜନାରେ ଏମାନଙ୍କୁ ବିଭିନ୍ନ ଛୋଟବଡ଼ କାର୍ଯ୍ୟରେ ୩ ମାସ ପର୍ଯ୍ୟନ୍ତ ନିଯୁକ୍ତି ଦେଇଛନ୍ତି। ମନରେଗା ଯୋଜନାକୁ ସଫଳ କରିବା ପାଇଁ ସରପଞ୍ଚଙ୍କୁ ପ୍ରତ୍ୟକ୍ଷ ଭାବେ ଜିଲ୍ଲାର ପ୍ରାଶାସନିକ ଅଧିକାରୀ ସହଯୋଗ କରିଛନ୍ତି। ଏଥିପାଇଁ ପଞ୍ଚାୟତର ବିକାଶ ସମ୍ଭବ ହେବା ସହ ଗାଁ ଲୋକେ ରୋଜଗାରକ୍ଷମ ହୋଇପାରିଛନ୍ତି। ପ୍ରାକୃତିକ ପରିବେଶରେ ଥିବା ପଞ୍ଚାୟତ ଏବେ ବିକାଶମୁଖୀ। ଏହି ପଞ୍ଚାୟତରେ ଗମ୍ଭାରୀଗୁଡ଼ା ଗ୍ରାମ ଚୁଆଁଡୋଲି ବନ୍ଧ ଉନ୍ନତୀକରଣ, ପତିଆଲପଡ଼ା ହାଇସ୍କୁଲ୍‌ ଖେଳପଡ଼ିଆ ଉନ୍ନତୀକରଣ, ଗୁଏଲପାଣି ପୋଲ ନିର୍ମାଣ, ଆଦର୍ଶ ଗାଈଗୁହାଳ, ଡଗୱେଲ୍‌, ଜମି ମରାମତି ଭଳି ମନରେଗା ଯୋଜନାରେ ଏକାଧିକ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇପାରିଛି। ନୂଆପଡ଼ା, ଗମ୍ଭାରୀଗୁଡ଼ା, ଅର୍ସାପଡ଼ା, ପୀଠାପଡ଼ା, ପତିଆଲପଡ଼ା, ଗୋଏଲପାଣି ଗ୍ରାମର ୬ଶହ ଶ୍ରମିକଙ୍କୁ ଲକ୍‌ଡାଉନ୍‌ ସମୟରେ ରୋଜଗାର ଦେଇପାରିଛନ୍ତି ବୋଲି ସିନାପାଲି ବିଡିଓ ପ୍ରକାଶ କରିଛନ୍ତି। ସରପଞ୍ଚଙ୍କ ଏପରି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଖୁବ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର