ଦିବ୍ୟାଙ୍ଗଙ୍କୁ ଏତେ ଘୃଣା କାହିଁକି? ବିଏମ୍‌ସି ପ୍ରତାରଣାର ଶିକାର ଦୃଷ୍ଟିବାଧିତ ବ୍ୟବସାୟୀ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କୁ ଏତେ ଘୃଣା କାହିଁକି? ସରକାରୀ ଜାଗା ମାଡ଼ି ବସି ବିଏମ୍‌ସି ଅଧିକାରୀଙ୍କୁ କୋର୍ଟ ପର୍ଯ୍ୟନ୍ତ ଟାଣି ନେଉଥିବା ଜବରଦଖଲକାରୀଙ୍କୁ ସୁରକ୍ଷା ଦେଇ ବିଏମ୍ସି ଦୃଷ୍ଟିବାଧିତ ବ୍ୟବସାୟୀଙ୍କ ଉପରେ କି ପ୍ରକାର ରାଗ ସୁଝାଉଛି? ଶହ ଶହ ଭେଣ୍ଡିଂ ଜୋନ୍‌ରେ ନିଜ ଲୋକଙ୍କୁ ଥଇଥାନ କରିଥିବା ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କର ଏମାନଙ୍କ ପ୍ରତି କାହିଁକି ଦରଦ ନାହିଁ? ଗତ ମାସ ୨୫ ତାରିଖରେ ଏମାନେ ବିଏମ୍‌ସି ଅଫିସ୍‌ ଆଗରେ ହକ୍‌ ପାଇଁ ଧାରଣା ଦେଉଥିବା ବେଳେ ମାନବାଧିକାର ଉଲ୍ଲଂଘନ କରି ବିଏମ୍‌ସି ସେମାନଙ୍କୁ ଜବରଦସ୍ତ ଉଠାଇ ନେଇଥିଲା। ଅନ୍ଧାର ଘରେ ଧମକଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତଥାପି ସେମାନଙ୍କର ଦୁଃଖ ବୁଝିନଥିଲା। ଏବେ ପୁଣି ଥରେ ସେମାନେ ସପରିବାର ବିଏମ୍‌ସି ଅଫିସ ଆଗରେ ଧାରଣା ଦେଇଛନ୍ତି।

ଦୃଷ୍ଟିହୀନ ଉଠାଦୋକାନୀଙ୍କୁ ୩ ମାସ ଭିତରେ ଭେଣ୍ଡିଂଜୋନ୍‌ ଯୋଗାଇ ଥଇଥାନ କରିବାକୁ ୨୦୨୨ ଅଗଷ୍ଟରେ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଭେଣ୍ଡିଂଜୋନ୍‌ ତ ଦୂରର କଥା ଏପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଏକ ସୁରକ୍ଷିତ ସ୍ଥାନ ମଧ୍ୟ ପ୍ରଦାନ କରାଯାଇ ପାରିନାହିଁ। ଏହାର ପ୍ରତିବାଦରେ ଗତ ଜାନୁଆରି ୨୫ ତାରିଖରେ ଦୃଷ୍ଟିହୀନ ବ୍ୟବସାୟୀମାନେ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ୬ ଦିନ ଧରି ଧାରଣାରେ ବସିବା ପରେ ବିଏମ୍‌ସି ଦାବି ପୂରଣ କରିବ କଣ, ରାତିକାଳୀନ ଆଶ୍ରୟ ଶିବିରର କର୍ମଚାରୀମାନେ ଜବରଦସ୍ତ ସେମାନଙ୍କୁ ଉଠାଇ ନେଇଥିଲେ। ବିଏମ୍‌ସି ଦ୍ୱାରା ପରିଚାଳିତ ସଂସ୍ଥା ଓଡ଼ିଶା ପତିତ ଉଦ୍ଧାର ସମିତିର କର୍ମକର୍ତ୍ତାମାନେ ଏମାନଙ୍କୁ ଟଣାଓଟରା କରିବା ସହ ଯେଉଁଭଳି ଭାବରେ ଟେକି ନେଇଥିଲେ ତାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ୍‌ ପ୍ରକାଶ ପାଇଥିଲା। ୧୮ଜଣ ବ୍ୟବସାୟୀଙ୍କ ମଧ୍ୟରୁ ସନ୍ନ୍ୟାସୀ ବେହେରା, ଅକ୍ଷୟ ପ୍ରଧାନ, ରମେଶ ମହାପାତ୍ର ଓ ରାଜୀବ ସାହୁଙ୍କ ପତ୍ତା ମିଳିନଥିଲା। ତାଙ୍କ ପରିବାରବର୍ଗ ବିଏମ୍‌ସିରେ ପହଞ୍ଚିବା ପରେ ମେୟର ସୁଲୋଚନା ଦାସ ମୁହଁ ଖୋଲିଥିଲେ। ଶିତକାକରରେ ସେମାନେ ବସିଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆମେ ଉଠାଇ ନେଇଛୁ ବୋଲି କହିଥିଲେ। କିନ୍ତୁ ଦାବି ପୂରଣ ହୋଇନଥିଲା। ଦୀର୍ଘ ଦିନ ଧରି ଏହି ବ୍ୟବସାୟୀମାନେ ମାର୍କେଟ୍‌ ବିଲ୍ଡିଂରେ ବ୍ୟବସାୟ କରୁଥିଲେ। କିନ୍ତୁ ସ୍ଥାୟୀ ଓ ଉଠାଦୋକାନୀ ଗଣ୍ଡଗୋଳରେ ଏମାନେ ବଳି ପଡ଼ିଥିଲେ। ବିଏମ୍‌ସି ଏମାନଙ୍କୁ ପୁରୁଣା ବସ୍‌ଷ୍ଟାଣ୍ଡ କଡ଼ରେ ଜାଗା ଦେଇଥିଲା। କିନ୍ତୁ ତାହା ଖୋଲା ପରିସାଗ୍ରାର ହୋଇଥିବାରୁ ସେଠାରେ ବସିବା ସମ୍ଭବ ନଥିଲା। ଏଣୁ ଏମାନେ ଭେଣ୍ଡିଂ ଜୋନ୍‌ ପାଇଁ ବିଏମ୍‌ସିକୁ ଲେଖିଥିଲେ। ବିଏମ୍‌ସିର ମାର୍କେଟ ଦାୟିତ୍ବରେ ଥିବା ଡେପୁଟି କମିସନର ଅଶୋକ ଲେଙ୍କା ୨ ଥର ସେମାନଙ୍କ ସହ ଆଲୋଚନା କରିଥିଲେ। ହେଲେ କିଛି ଲାଭ ହୋଇ ନାହିଁ।

ସମ୍ବନ୍ଧିତ ଖବର