ଖୋଲା ଝରକା: ଖଜୁରି

ଶରୀର ପାଇଁ ଖଜୁରି ବେଶ୍‌ ଲାଭଦାୟକ। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଖଜୁରି ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରାଇଥାଏ। ଏଥିରେ ଏପରି ତତ୍ତ୍ବ ରହିଛି, ଯାହା ଉଭୟ ସ୍ନାୟୁ କୋଷ ଓ ମସ୍ତିଷ୍କ କୋଷକୁ ପୋଷକ ତତ୍ତ୍ବ ଯୋଗାଏ। ଆମେ ସାଧାରଣତଃ ସକାଳ ଜଳଖିଆରେ ଏହାକୁ ସାମିଲ କରିଥାଉ। ଖଜୁରିର ଆଉ ଏକ ବିଶେଷତ୍ବ ରହିଛି ଯେ ଏହାକୁ ଖାଇଲେ ପାଚନ କ୍ରିୟା ଆହୁରି ଦୃଢ଼ ହୋଇଥାଏ। ବେଳେବେଳେ ଅତ୍ୟଧିକ ମାଂସ ଓ କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଆମର ଏସିଡିଟି ବଢ଼ିଯାଏ। ଏହାକୁ ସନ୍ତୁଳିତ କରିବା ପାଇଁ ମଧ୍ୟ ଖଜୁରିର ଭୂମିକା ରହିଛି। ଆବ୍‌ଡୋମିନାଲ୍‌ କ୍ୟାନ୍‌ସର୍‌, ହାର୍ଟରେ ସୃଷ୍ଟି ହେଉଥିବା ଷ୍ଟ୍ରୋକ୍‌ ଭଳି ମାରାତ୍ମକ ରୋଗଠାରୁ ଦୂରେଇ ରଖେ ବୋଲି ୟୁନିଭର୍ସିଟି ଅଫ୍‌ ୱାଶିଂଟନ୍‌ ପକ୍ଷରୁ ହୋଇଥିବା ଏକ ସେ‌େର୍ଭରୁ ଜଣାପଡ଼ିଛି। ଶରୀରର ଅସ୍ଥିଗୁଡ଼ିକୁ ଶକ୍ତ କରିବା ସହ ଓଜନ କମାଇବାରେ ମଧ୍ୟ ଖଜୁରି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଏକାକ୍ଷର ଶବ୍ଦ: ‘ବି’

ଗୋଟିଏ ଅକ୍ଷର ହେଲେ ବି ‘ବି’ ଏକ ବିଶେଷ୍ୟ। ଏହା ବେ+ଇ କୁ ନେଇ ଗଠିତ। ପୁଣି ଏ ଶବ୍ଦଟି ଦେଶଜ ଅର୍ଥରେ ସହିତ ଓ କିମ୍ବା ପାଇଁ ବ୍ୟବହୃତ ହୋଇଥାଏ। ସଂସ୍କୃତରେ ଅପି ଓ ମଧ୍ୟ, ସୁଦ୍ଧା, ଏବଂ କ୍ଷେତ୍ରରେ ମଧ୍ୟ ଏହାର ପ୍ରୟୋଗ ଦେଖିବାକୁ ମିଳିଥାଏ। ଏ ଶବ୍ଦର ବହୁଳ ପ୍ରୟୋଗ ଉଭୟ ଲିଖିତ ଓ କଥିତ କ୍ଷେତ୍ରରେ ଆମେ ଦେଖିଥାଉ। ତେବେ ଶବ୍ଦ ଦିଗରୁ ଏକ ବିଶେଷ୍ୟ ମନେ କରି ଆଲୋଚନା କଲେ ଏହାର ଅର୍ଥ ଅନେକ। ଯଥା: ଆକାଶ, ସ୍ବର୍ଗ, ପକ୍ଷୀ, ଉପସର୍ଗ ବିଶେଷ, ସମ୍ୟକ, ବିପରୀତ, ବିରହିତ, ବିକୃତ, ଅଭାବ, ବିଗତ ଓ ନିଷିଦ୍ଧ ପ୍ରଭୃତିି ଅର୍ଥରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ। ଏଇ ଯେମିତି ଆମେ ‘ମଧ୍ୟ’ ବଦଳରେ ଲେଖିପାରିବା, ‘‘ନିଷିଦ୍ଧ ଅର୍ଥରେ ବି ଏହା ବ୍ୟବହୃତ ହୋଇଥାଏ।’’

କଥା-ଫରୁଆ: ‘‘ବାପା ପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା।’’

‘ମୁଗୁରା’ ଏକ ମାଛଧରା ସରଞ୍ଜାମ। ଏହା ବେତ କିମ୍ବା ବାଉଁଶରେ ତିଆରି ଓ ଦେଖିବାକୁ ଏକ ପଞ୍ଜୁରି ଭଳି। ମୁଗୁରାର ମୁହଁ ବାଟେ ହାତ ପୂରାଇ ଭିତରୁ ମାଛମାନଙ୍କୁ ଧରାଯାଏ। ଆ‌ଗରୁ ଗାଆଁ ଗହଳରେ ପ୍ରାୟତଃ ଏ ପଦାର୍ଥଟି ଦେଖିବାକୁ ମିଳୁଥିଲା। ଯେମିତିକି ବଜା, ଫିଙ୍ଗାଜାଲ, ପୋଳୁହ, ଖାଳେଇ, ବନ୍‌ଶୀ ଇତ୍ୟାଦି। ଏ ସମସ୍ତ ମାଛ ଧରିବା ପାଇଁ ବିଲରେ ଓ ପୋଖରୀରେ ଆଗରୁ ବ୍ୟବହୃତ ହେଉଥିଲା। ଏଠାରେ ମୁଗୁରାର ପଛ ମେଲା କଥାଟି ମାଛ ଖସିଯାଇ କାମଟିକୁ ଅସଫଳ କରାଇବାର ନିଦର୍ଶନ ରୂପେ ବ୍ୟବହୃତ କରାଯାଇଛି। ମନକୁ ଆଣିବା ଯେ କେଉଁଠି ବାପପୁଅ ମୁଗୁରା ନେଇ ମାଛ ଧରିବାକୁ ଯାଇଛନ୍ତି। ରାତିସାରା ଅନିଦ୍ରା। ମାତ୍ର ମୁଗୁରାଟିର ପଛ ମେଲା ହୋଇଥିବା କାରଣରୁ ରାତିସାରା ପରିଶ୍ରମ କରିଥିଲେ ମଧ୍ୟ ଅସଫଳ ହୋଇଛନ୍ତି। ତେଣୁ କଠିନ ପରିଶ୍ରମ ପରେ ବି ଯେଉଁଠି ପରିଣାମ ଅସଫଳତାରେ ପରିଣତ ହୁଏ ସେଠାରେ କୁହାଯାଏ, ‘‘ବାପପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା।’’

ସମ୍ବନ୍ଧିତ ଖବର