ପୁରୁଷ ହକି ବିଶ୍ବକପ୍‌: ପୁଣି ଅଷ୍ଟ୍ରେଲିଆର ବିଶାଳ ବିଜୟ, ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଅନ୍ୟ ଏକ ପୁଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ  ପରାସ୍ତ କରିଛି। ଶୁକ୍ରବାର ଦିନର ପ୍ରଥମ ମ୍ୟାଚ୍‌ରେ ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ଟି ଗୋଲ୍‌ ଦେଇଥିଲା ବେଳେ ହାଫ୍‌ ସମୟ ବେଳକୁ ୭ଟି ଗୋଲ୍‌ ମାରିସାରିଥିଲା। ଅନ୍ତିମ ଅଧ ଘଣ୍ଟ ଦକ୍ଷିଣ ଆଫ୍ରିକାର ଟିମ୍‌ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଏହା ପୂର୍ବରୁ କଙ୍ଗାରୁ ଦଳର ଖେଳାଳିମାନେ ଭାରି ପଡ଼ିସାରିଥିଲେ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିଶ୍ବକପ-୨୦୨୩ର ଅଭିଯାନ ବିଜୟରୁ ଆରମ୍ଭ କରିଥିଲା। ଗତ ୧୩ ତାରିଖ ଦିନ ଫ୍ରାନ୍ସକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର