ଶତକ ଜବାବରେ ଶତକ: କୋହଲି-୧୧୩*, ବଟଲର୍‌-୧୦୦*

ରୟାଲ୍‌କୁ ହରାଇଲା ରୟାଲ୍ସ

ଜୟପୁର: ବିରାଟ କୋହଲିଙ୍କ ଶତକକୁ ଫିକା କରିଦେଇଛନ୍ତି ଇଂଲିସ ବ୍ୟାଟର ଜୋସ୍‌ ବଟଲର୍‌। ଆର୍‌ସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୫ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତିନେଇଛି। ବଟଲର୍‌ ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଛନ୍ତି। ଫଳରେ ରାଜସ୍ଥାନ ଲଗାତାର ୪ ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିଛି। ଆର୍‌ସିବି ହ୍ୟାଟ୍ରିକ୍‌ ପରାଜୟ ପାଇ ଅଷ୍ଟମ ସ୍ଥାନରେ ସଂଘର୍ଷ ଜାରି ରଖିଛି। ପଶ୍ଚାତ୍‌ଧାବନ ବେଳେ ଯଶସ୍ବୀ ଜୟସ୍ବାଲ୍‌ ପାଳିର ଦ୍ବିତୀୟ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଚତୁର୍ଥ ଓଭର‌ର ଦ୍ବିତୀୟ ବଲ୍‌ରେ ଖରାପ ଲୟରେ ଗତି କରୁଥିବା ବଟଲର୍‌ଙ୍କୁ ଏକ ଜୀବନଦାନ ମିଳିଥିଲା। ୬ ରନ୍‌ରେ ବ୍ୟାଟିଂ କରୁଥିଲା ବେଳେ ସିରାଜଙ୍କୁ କଭର୍‌ ଉପରେ ବଡ ସଟ୍‌ ଖେଳିଥିଲେ ବଟଲର୍‌। କିନ୍ତୁ ବ୍ୟାଟ୍‌ରେ ଟାଇମିଂ ନହେବାରୁ ବଲ୍‌ ଦୂରକୁ ଯାଇନଥିଲା। କାମେରନ୍‌ ଗ୍ରିନ୍‌ କ୍ୟାଚ୍‌ ପାଇଁ ଯାଇଥିଲେ ମଧ୍ୟ ହାତରୁ ଖସାଇ ଦେଇଥିଲେ। ଏହା ଦଳକୁ ମହଙ୍ଗା ସାବ୍ୟସ୍ତ ହେବା ସହ ବଟଲର୍‌ଙ୍କ ସହିତ ସଞ୍ଜୁ ସାମସନ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୪୮ ରନ୍‌ ‌ଭାଗୀଦାରି ଗଢ଼ିଥିଲେ। ସଞ୍ଜୁ ଆଉଟ୍ ହେବା ପରେ ପଛକୁ ପଛ ରିୟାନ ପରାଗ (୪) ଓ ଧ୍ରୁବ ଜୁରେଲ (୨) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ବଟଲର୍‌ ଗୋଟିଏ ପଟରୁ ଭାର ନିଜ କାନ୍ଧରେ ନେବା ସହ ଦଳକୁ ଚତୁର୍ଥ ବିଜୟ ଭେଟି ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୮୩/୩ (ବିରାଟ କୋହଲି-୧୧୩*, ଫାପ୍ ଡୁ ପ୍ଲେସିସ୍-୪୪, ୟୁଝବେନ୍ଦ୍ର ଚହଲ-୨/୩୪, ଆ‌ନ୍ଦ୍ରେ ନର୍ଜର-୧/୩୩)। ରାଜସ୍ଥାନ ରୟାଲ୍ସ ୧୯.୧ ଓଭରରେ ୧୮୯/୪ (ଜୋସ୍ ବଟଲର୍-୧୦୦*, ସଂଜୁ ସାମସନ୍‌-୬୯, ସିମ୍ରନ ହେଟମେୟର-୧୧*, ରିସ୍ ଟପଲେ-୨/୨୭, ମହମ୍ମଦ ସିରାଜ-୧/୩୫, ୟଶ ଦୟାଲ-୧/୩୭)।

କୋହଲିଙ୍କ ମାଇଲ୍‌ଖୁଣ୍ଟ
ଆଇପିଏଲ୍‌ରେ ଆର୍‌ସିବି ବ୍ୟାଟର୍‌ ବିରାଟ କୋହଲି ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛନ୍ତି। ଆଇପିଏଲ୍‌ ଇତିହାସରେ ସର୍ବାଧିକ ସ୍କୋରର୍‌ ହୋଇସାରିଥିବା କୋହଲି ଶନିବାର ୭୫୦୦ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେ ଆଇପିଏଲ୍‌ର ଅଷ୍ଟମ ଶତକ ଅର୍ଜନ କରିବା ସହ ୭୨ ବଲ୍‌ରୁ ୧୧୩* ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। କିନ୍ତୁ ଯେତେବେଳେ ସେ ୩୪ ରନ୍‌ କରିଥି‌ଲେ, ସେତେବେଳେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲେ। ତାଙ୍କର ମୋଟ୍‌ ରନ୍‌ ୭୫୭୯ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଇପିଏଲ୍‌ରେ ଛକା ମାରିବାରେ ସେ ସିଏସ୍‌କେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ଶନିବାର ମ୍ୟାଚ୍‌ ପୂର୍ବରୁ କୋହଲି ଧୋନିଙ୍କ ସମକକ୍ଷ (୨୪୨) ହୋଇଥିଲା ବେଳେ ଏହି ମ୍ୟାଚ୍‌ରେ ସେ ୪ ଛକା ଓ ୧୨ ଚୌକା ମାରିଥିଲେ। ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ବୋଲିଂ କରିଥିଲା ବେଳେ କୋହଲିଙ୍କ ସହ ମିଶି ଫାଫ୍‌ ଡୁପ୍ଲେସିସ୍‌ (୪୪) ପ୍ରଥମ ୱିକେଟ୍‌ରେ ୧୪ ଓଭର ଖେଳି ୧୨୫ରନ୍‌ ଭାଗୀଦାରି କରିଥିଲେ। ପଛରେ ବ୍ୟାଟିଂ ଆସିଥିବା ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ (୧), ସୌରଭ ‌ଚୌହାନ (୯) ସଅଳ ଆଉଟ୍‌ ହୋଇଯାଇଥିଲେ। ତଥାପି କୋହଲି ଗୋଟିଏ ପଟରୁ ରକ୍ଷଣାତ୍ମକ ଖେଳି ଦଳକୁ ୧୮୩/୩ରେ ପହଞ୍ଚାଇଥିଲେ।

ଆୱେସ୍‌ଙ୍କୁ ଆଲିଙ୍ଗନ କଲେ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବ୍ୟାଟର୍‌ ବିରାଟ କୋହଲି ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଆୱେସ ଖାନ୍‌ଙ୍କୁ ଭେଟିଛନ୍ତି। ଉଭୟଙ୍କ ଭେଟ ପୂର୍ବରୁ ଏକ ମଜାଦାର ମୁହୂର୍ତ୍ତକୁ ରାଜସ୍ଥାନ ରୟାଲ୍ସ ‌ସାମାଜିକ ଗଣମାଧ୍ୟମରେ ସେୟାର କରିଛି। ଶନିବାର ସାୱାଇ ମାନସିଂହ ଷ୍ଟାଡିୟମ୍‌ରେ ଦୁଇ ଦଳର ମୁକାବିଲା ପୂର୍ବରୁ ଶୁକ୍ରବାର ଅଭ୍ୟାସ ବେଳେ କୋହଲିଙ୍କ ପାଖକୁ ଆୱେସ ଆସିଥିଲେ। ‌‘ଆଜା ଆଜା…ଐସା ମୌକା ଫିର୍‌ କାହାଁ ମିଲେଗା..’ ଗୀତ ଗାଇ କୋହଲି ତାଙ୍କୁ ଚିଡ଼ାଇଥିଲେ। ଏହା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଉଭୟ କୋହଲି ଓ ଆୱେସ ୨୦୨୩ ଆଇପିଏଲ୍‌ରେ ଚର୍ଚ୍ଚିତ ହୋଇଥିଲେ। ଆର୍‌ସିବି ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ କୋହଲିଙ୍କ ଦଳ ପରାଜିତ ହୋଇଥିଲା। ଆୱେସ୍‌ ଲକ୍ଷ୍ନୌକୁ ଜିତାଇବା ପରେ ହେଲ୍‌ମେଟ୍‌କୁ ଫୋପାଡ଼ି ବିଜୟ ଉତ୍ସବ ମନାଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଜରିମାନା ‌ହୋଇଥିଲା। କୋହଲି ଓ ନବୀନ ଉଲ୍‌ ହକ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ପୂର୍ବରୁ ଉକ୍ତ ବିବାଦ ଚର୍ଚ୍ଚିତ ହୋଇଥିଲା। ତେବେ ଦ୍ବିତୀୟ ଥର ପାଇଁ ହୋଇଥିବା ମୁକାବିଲାରେ ଆର୍‌ସିବି ବାଜି ମାରି ନେଇଥିଲା।

ସମ୍ବନ୍ଧିତ ଖବର