ପ୍ରଥମ ଜାତୀୟ ମହିଳା ହକି ଲିଗ୍‌ ୩୦ରୁ, ହରିୟାଣା ବିପକ୍ଷରୁ ଓଡ଼ିଶାର ଅଭିଯାନ

ନୂଆଦିଲ୍ଲୀ: ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ‌ମଙ୍ଗଳବାର ଆଉ ଏକ ନୂଆ ପଦକ୍ଷେପ ନେଇଛି। ଜାତୀୟ ହକି ମହିଳା ଲିଗ୍‌ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛି। ଏହି ଲିଗ୍‌ର ପ୍ରଥମ ପର୍ଯ୍ୟାୟ ଲାଗି ସୂଚୀ ଘୋଷଣା କରିଛି ହକି ଇଣ୍ଡିଆ। ଚଳିତ ମାସ ୩୦ରୁ ମେ’ ୯ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଏହି ଲିଗ୍‌ ଖେଳାଯିବ। ଭାରତର ଏହା ପ୍ରଥମ ଘରୋଇ ମହିଳା ହକି ଲିଗ୍‌। ଏଥିରେ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଶ୍ରେଷ୍ଠ ୮ରେ ଥିବା ଦଳ ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ, ମିଜୋରାମ, ମଣିପୁର ଓ ଓଡ଼ିଶା ଭାଗ ନେଉଛନ୍ତି।

ଏହି ଲିଗ୍‌ରେ ୨୧ ବର୍ଷରୁ କମ୍‌ ବୟସ୍କ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବ। ଓଡ଼ିଶା ଉଦ୍‌ଘାଟନୀ ଦିବସରେ ହରିୟାଣା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ମେ’ ୧ରେ ମଧ୍ୟପ୍ରଦେଶ, ୩ରେ ମଣିପୁର, ୪ରେ ଝାଡ଼ଖଣ୍ଡ, ୬ରେ ମହାରାଷ୍ଟ୍ର, ୭ରେ ବେଙ୍ଗଲ ଏବଂ ୯ରେ ମିଜୋରାମ ବିପକ୍ଷରେ ଖେଳିବ। ଲିଗ୍‌ ସୂଚୀ ଘୋଷଣା ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସମ୍ପାଦକ ଭୋଳାନାଥ ଚୌହାନ କହିଛନ୍ତି ଯେ ‘‘ଜାତୀୟ ମହିଳା ହକି ଲିଗ୍‌ ବିଶେ‌ଷ କରି ଆମ ମହିଳା ‌ଖେଳାଳିଙ୍କ ସହ ଭାରତୀୟ ହକି ପାଇଁ ଏକ ସ୍ବତନ୍ତ୍ର ମୁହୂର୍ତ୍ତ ହେବ। ଦେଶରେ ମହିଳା ହକିର ବିକାଶ ଲାଗି ଆମର ଉଦ୍ୟମର ଏହା ଏକ ପ୍ରମାଣ’’।

ସମ୍ବନ୍ଧିତ ଖବର