ସେମିରେ ଭାରତ, ଚତୁର୍ଥ ଶତକ ସହ ରୋହିତଙ୍କ କୀର୍ତ୍ତିମାନ

ବୁମ୍‌ରାଙ୍କୁ ୪ ୱିକେଟ୍‌, ଲଢ଼େଇ କରି ବିଦାୟ ନେଲା ବାଂଲାଦେଶ

ବର୍ମିଂହାମ: ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ଓ ବୁମ୍‌ରାଙ୍କ ଦମଦାର ବୋଲିଂ ‌ବଳରେ ଭାରତ ଚଳିତ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ପଡ଼ୋଶୀ ବାଂଲାଦେଶକୁ ୨୮ ରନ୍‌ରେ ହରାଇ ‌କୋହଲି ବାହିନୀ ସେମିଫାଇନାଲ୍ ଯିବାରେ ଅଷ୍ଟ୍ରେଲିଆ ପରେ ଦ୍ବିତୀୟ ଦଳ ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶର ସେମିଫାଇନାଲ ଆଶା ମଉଳି ଯାଇଛି। ଭାରତ ୮ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ୧୩ ପଏଣ୍ଟ୍‌ ପାଇ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ବାଂଲାଦେଶ ୮ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ୭ ପଏଣ୍ଟ ପାଇଥିବାରୁ ଦୌଡ଼ରୁ ବାଦ ପଡ଼ିଛି। ମଙ୍ଗଳବାରର ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା‌େର ରୋହିତ ଶର୍ମା ପୁଣିଥରେ ଏକ ଚିତ୍ତାକର୍ଷକ ଶତକ (୧୦୪) ସହିତ ଗୋଟିଏ ବିଶ୍ବକପ୍‌ରେ ୪ଟି ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ସେହିଭଳି ବାଂଲାଦେଶ ଇନିଂସର ୪୮ତମ ଓଭରର ‌‌ଶେଷ ଦୁଇ ବଲ୍‌ରେ ଯଶପ୍ରୀତ ବୁମରା ଲଗାତାର ଦୁଇଟି ୱିକେଟ୍ ନେଇ ଭାରତକୁ ବିଜୟ ଉପହାର ଦେଇଥି‌ଲେ। ଶତକୀୟ ଇନିଂସ୍‌ ପାଇଁ ରୋହିତ ମ୍ୟାନ୍‌-ଅଫ୍-ଦି-ମ୍ୟାଚ୍‌ ବିବେଚିତ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ ଆଜି ବାଂଲାଦେଶ ସମ୍ମୁଖରେ ୩୧୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ବାଂଲାଦେଶ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ୪୮ ଓଭରରେ ୨୮୬ ରନ୍ କରି ପରାଜିତ ହୋଇଥିଲା। ଏହି ବିଜୟ ସହ ଭାରତ ମଧ୍ୟ ୨୦୦୭ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେଇଥିଲା। ୨୦୦୭ରେ ବାଂଲାଦେଶଠାରୁ ହାରିବା ପରେ ଭାରତ ଲିଗ୍ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନ ଥିଲା। ୧୨ ବର୍ଷ ପରେ ବାଂଲାଦେଶର ସେମିଫାଇନାଲ ବାଟକୁ ଭାରତ ଠିକ୍ ସେହିଭଳି ବନ୍ଦ କରି ଦେଇଛି। ୩୧୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ତା’ର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ (୨୨) ଓ ସୌମ୍ୟ ସରକାର (୩୩)ଙ୍କୁ ୭୪ ରନ୍‌ରେ ହରାଇଥିଲା। ଦୁଇ ଅଭିଜ୍ଞ ତାରକା ସକିବ-ଅଲ୍-ହାସନ (୬୬) ଓ ମୁସଫିକର ରହିମ (୨୪) ଲଢ଼ିଥିଲେ। ବିଶେଷ କରି ଚଳିତ ବିଶ୍ବକପ୍‌ର ଅନ୍ୟତମ ଅଗ୍ରଣୀ ସ୍କୋରର ସକିବ ୫୮ ବଲ୍‌ରୁ ଅର୍ଧଶତକ ଅଜର୍ନ କରି ଭାରତର ଚିନ୍ତା ବଢ଼ାଇଥିଲେ। ତେବେ ହାର୍ଦିକ ପାଣ୍ଡ୍ୟା (୧୦-୦-୬୦-୩) , ୟୁଜବେନ୍ଦ୍ର ଚହଲ (୧୦-୦-୫୦-୧) ଓ ଯଶପ୍ରୀତ ବୁମରା (୧୦-୧-୫୫-୪) ନିମୟିତ ୱିକେଟ୍ ନେଇ ବାଂଲାଦେଶ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସୌମ୍ୟ ସରକାର, ସକିବ ଓ ଲିଟନ ଦାସ (୨୨)ଙ୍କୁ ଆଉଟ୍ କରି ପାଣ୍ଡ୍ୟା ଭାରତର ଆଶା ବଢ଼ାଇଥି‌ଲେ। ବୁମରା ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ନେଇ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ୧୭୯ ରନ୍‌ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲଶ ବାଂଲାଦେଶ। ତେବେ ସପ୍ତମ ୱିକେଟ୍‌ରେ ସବିର ରହମାନ (୩୬) ଓ ମହମ୍ମଦ ସୈଫଉଦ୍ଦିନ (୫୧*) ୬୬ ରନ୍ ଯୋଡ଼ିଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ‌ବୋଲରଙ୍କୁ ନୟାନ୍ତ କରିଥିଲେ। ଦୁହେଁ ୫୬ ବଲ୍‌ରୁ ୬୬ ରନ୍‌ର ଭାଗୀଦାରି କରିଥିଲେ। ତେବେ ବୁମରା ନିଜ ଶେଷ ସ୍ପେଲର ପ୍ରଥମ ବଲ୍‌ରେ ରହମାନଙ୍କୁ ବୋଲ୍ଡ କରି ଭାରତର ପଲ୍ଲା ଭାରି କରି ଦେଇଥିଲେ। ଦ୍ବିତୀୟ ଅର୍ଧଶତକ ଅର୍ଜନ କରିଥିବା ସୈଫଉଦ୍ଦିନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବୁମରା ଆଜି ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ୍ ପକାଇବା ଅନ୍ୟତମ ଆକର୍ଷଣ ଥିଲା।

ସମ୍ବନ୍ଧିତ ଖବର