ମୁମ୍ବାଇ ଇଣ୍ଡିଆନ୍ସର କୀର୍ତ୍ତିମାନ: ୨୦୦+ ସ୍କୋର୍‌କୁ ପିଛା କରି ସର୍ବାଧିକ ଥର ବିଜୟ ହାସଲରେ ପ୍ରଥମ ଦଳ

ମୁମ୍ବାଇ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସବୁଠୁ ଅଧିକ ଥର ୨୦୦+ ସ୍କୋର୍‌କୁ ପିଛା କରି ବିଜୟ ହାସଲ କରିବାର କୀର୍ତ୍ତିମାନ ରଚିଛି। ଏହି ଦଳ ମଙ୍ଗଳବାର ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୦୦ ରନ୍‌ ସ୍କୋର୍‌କୁ ପିଛା କରି ଜିତିବା ପରେ ଏହି ମାଇଲଖୁଣ୍ଟ ପ୍ରତି‌ଷ୍ଠା କରିଛି। ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ମୋଟ ଉପରେ ୪ ଥର ୨୦୦+ ସ୍କୋର୍‌ର ପିଛା କରିସାରିଛି। ସେଥିରୁ ୩ ଥର ସଫଳତାର ସହ ବିଜୟ ହାସଲ କରିଛି। ଏକ୍ଷେତ୍ରରେ ପ୍ରଥମ ଦଳ ହୋଇଯାଇଛି। ତେବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ୪ ଥର ୨୦୦+ ସ୍କୋର୍‌ ପିଛା କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ୟର୍କସାୟାରକୁ ପଛରେ ପକାଇଦେଇଛି। ଟ୍ବେଣ୍ଟି-୨୦ ବ୍ଲାଷ୍ଟ ପ୍ରତିଯୋଗିତାରେ ଗତବର୍ଷ ୟର୍କସାୟାର ୩ ଥର ୨୦୦+ ସ୍କୋର୍‌ର ପିଛା କରିଥିଲା।

ବଲ୍‌ ବ୍ୟବଧାନରେ ଦ୍ବିତୀୟ ବୃହତ୍‌ ବିଜୟ
ଆଇପିଏଲ୍‌ରେ ୨୦୦+ ସ୍କୋର୍‌କୁ ପିଛା କରୁଥିଲା ବେଳେ ବଳକା ବଲ୍‌ ବ୍ୟବଧାନରେ ବିଜୟ ହାସଲ କରିବାରେ ସରେ ପଛକୁ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ ଦଳ ହୋଇଛି। ମୁମ୍ବାଇ ମଙ୍ଗଳବାର ବାଙ୍ଗାଲୋରକୁ ୨୧ ବଲ୍‌ ବାକି ଥାଇ ପରାସ୍ତ କରିଥିଲା। ଯାହାକି ଆଇପିଏଲ୍‌ରେ ବଲ୍‌ ବ୍ୟବଧାନରେ ସର୍ବବୃହତ୍‌ ବିଜୟ ରେକର୍ଡ। ଏହା ପୂର୍ବରୁ ୨୦୧୭ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ଦିଲ୍ଲୀ ଡେୟାରଡେଭିଲ୍ସ ୧୭.୩ ଓଭରରେ ୨୦୯ ରନ୍‌କୁ ପିଛା କରି ଜିତିଥିଲା। ଯାହାକି ବଲ୍‌ (୧୫ ବଲ୍‌ ବାକି ଥାଇ) ବ୍ୟବଧାନରେ ସର୍ବବୃହତ୍‌ ବିଜୟ ରହିଥିଲା। କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ମୁମ୍ବାଇର ୨୧ ବଲ୍‌ ପୂର୍ବରୁ ବିଜୟ ଦ୍ବିତୀୟରେ ରହିଛି। ୨୦୧୮ରେ ମିଡଲସେକ୍ସ ବିପକ୍ଷ ମ୍ୟାଚ୍‌ରେ ସରେ ୨୪ ବଲ୍‌ ବାକିଥାଇ ବିଜୟ ହାସଲ କରିଥିଲା। ଏହି ଦଳ ମିଡଲସେକ୍ସ ଛାଡ଼ିଥିବା ୨୨୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୬ ଓଭରରେ ହାସଲ କରିନେଇଥିଲା। ଯାହାକି ଏବେ ବି ‌ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବଲ୍‌ ବ୍ୟବଧାନରେ ବଡ଼ ବିଜୟର ରେକର୍ଡ ରହିଛି।

ରୟାଲ ଚ୍ୟାଲେଞ୍ଜର୍ସର ରେକର୍ଡ
ଗୋଟିଏ ଆଇପିଏଲ୍‌ ସଂସ୍କରଣରେ ସର୍ବାଧିକ ଥର ୨୦୦+ ସ୍କୋର୍‌ କରିବାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କୀର୍ତ୍ତିମାନ ରଚିଛି। ଏହି ଦଳ ୫ ଥର ଏଭଳି ସ୍କୋର୍‌ କରିବାରେ ପ୍ରଥମ ଦଳ ହୋଇଛି। ଏପରିକି ନିଜର ପୂର୍ବ ରେକର୍ଡକୁ ମଧ୍ୟ ଟପି ଯାଇଛି। ଏହା ପୂର୍ବରୁ କିଙ୍ଗ୍ସ ଇଲେଭେନ ପଞ୍ଜାବ (୨୦୧୪), କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଉଭୟେ ୨୦୧୮) ସପକ୍ଷରେ ସର୍ବାଧିକ ୪ ଥର ୨୦୦+ ସ୍କୋର୍‌ରେ ରେକର୍ଡ ରହିଥିଲା। ସେହିପରି ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜା‌ଏଣ୍ଟସ୍‌, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଲେଖାଏଁ ୨୦୦+ ସ୍କୋର୍‌ କରିସାରିଲେଣି।

ସମ୍ବନ୍ଧିତ ଖବର