ପ୍ରଶିକ୍ଷକ ପାର୍କଙ୍କଠୁ ଅଲଗା ହେଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ତାଙ୍କର ଦକ୍ଷିଣ କୋରିଆ ପ୍ରଶିକ୍ଷକ ପାର୍କ ଟାଇ ସାଙ୍ଗ୍‌ ପରସ୍ପରଠୁ ଅଲଗା ହୋଇଛନ୍ତି। ଏସଂପର୍କରେ ପାର୍କ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ନିକଟରେ ଖେଳାଯାଇଥିବା କିଛି ମ୍ୟାଚ୍‌ରେ ସିନ୍ଧୁଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି। ଜଣେ ପ୍ରଶିକ୍ଷକ ଭାବେ ଏଥିପାଇଁ ସେ ହିଁ ନିଜ ମୁଣ୍ଡକୁ ସବୁ ଦୋଷ ନେଇଯାଇଛନ୍ତି। ତଥାପି ସିନ୍ଧୁ ପ୍ରଶିକ୍ଷକ ପରିବର୍ତ୍ତନ ପାଇଁ ଆଗ୍ରହ ଦେଖାଇଛନ୍ତି। ତେଣୁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସିନ୍ଧୁଙ୍କଠୁ ଅଲଗା ହେଉଥିବା ପାର୍କ ତାଙ୍କ ପୋଷ୍ଟରେ ‌ଉଲ୍ଲେଖ କରିଛନ୍ତି। ୨୦୧୯ରେ ପାର୍କ ସିନ୍ଧୁଙ୍କ ସହ ‌ଯୋଡ଼ି ହୋଇଥିଲା ବେଳେ ତାଙ୍କ ପ୍ରଶିକ୍ଷଣରେ ଏହି ଭାରତୀୟ ସଟଲର୍‌ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ତେବେ ପରବର୍ତ୍ତୀ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସିନ୍ଧୁଙ୍କ ସହିତ ସେ ରହିପାରିବେନି, ତଥାପି ଦୂରରେ ଥାଇ ବି ତାଙ୍କୁ ସମର୍ଥନ କରିବେ ବୋଲି ପାର୍କ ଲେଖିଛନ୍ତି।

ବିଶ୍ବ ମାନ୍ୟତାର ୯ ନମ୍ବରରେ ଥିବା ସିନ୍ଧୁ ଚଳିତ ବର୍ଷ ମାଂସପେଶୀ ଜନିତ ଆଘାତକୁ ମୁକୁଳିବା ପରେ ଲୟକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ନିକଟରେ ‌ଶେଷ ହୋଇଥିବା ଏସୀୟ ମିଶ୍ରିତ ଦଳଗତ ପ୍ରତିଯୋଗିତାରେ ଚୀନ୍‌ ବିପକ୍ଷ ଭାରତର ସେମିଫାଇନାଲ୍‌ ମ୍ୟାଚ୍‌ରେ ତାଙ୍କଠୁ କମ୍‌ ମାନ୍ୟତାପ୍ରାପ୍ତ ଯୁବ ଖେଳାଳି ଗାଓ ଫାଙ୍ଗଝିଙ୍କଠୁ ହାରିଥିଲେ। ତେବେ ଆଗକୁ ମାଲେସିଆ ଖେଳାଳି ହାଫିଜ୍‌ ହାସିମ୍‌ଙ୍କ ସହିତ ସେ ଅଭ୍ୟାସ କରିବେ ବୋଲି ଜଣାପଡ଼ିଥିଲା ବେଳେ ମାର୍ଚ୍ଚରେ ଖେଳାଯିବାକୁ ଥିବା ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଉଭୟ ପ୍ରସ୍ତୁତି କରିବେ।

ସମ୍ବନ୍ଧିତ ଖବର