୭୫ ବର୍ଷର ଇତିହାସ : ବିକ୍ରମଦେବ କଲେଜ ହେଲା ବିଶ୍ବବିଦ୍ୟାଳୟ

ଜୟପୁର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ଆଗେଇ ନେବାକୁ ଜୟପୁରରେ ଆରମ୍ଭ ହୋଇଥିଲା ପ୍ରଥମ ମହାବିଦ୍ୟାଳୟ। ସ୍ବାଧୀନତା ପୂର୍ବର ଏହି ମହାବିଦ୍ୟାଳୟ ୧୯୪୭ ମସିହା ଜୁଲାଇ ୧ତାରିଖରେ ‘ଜୟପୁର କଲେଜ’ ନାମରେ ସ୍ଥାପନ ହୋଇଥିଲା। ମହାବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ସହ କୋଠା ଜୟପୁର ରାଜା ରାଜର୍ଷି ବିକ୍ରମ ଦେବ ବର୍ମା ପ୍ରଦାନ କରିଥିଲେ। ପ୍ରଥମ‌ ବ୍ୟାଚ୍‌ରେ ୪୯ଜଣ ଛାତ୍ର ନାମ ଲେଖାଇଥିବା ବେଳେ ୯ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏପରିକି ୨୦ଜଣ ବିଦ୍ୟାର୍ଥୀ ରହିବା ପାଇଁ ଛାତ୍ରାବାସ ଆରମ୍ଭ ହୋଇଥିଲା। ସ୍ବତନ୍ତ୍ର ପ୍ରଶାସକ ଭାବେ ଜି.ସି. ମହାନ୍ତିଙ୍କୁ ମହାବିଦ୍ୟାଳୟ ଦାୟିତ୍ବ ଦେଇଥିଲେ ତତ୍କାଳୀନ ସରକାର। ୧୯୪୭ ମସିହା ଜୁଲାଇ ୬ତାରିଖରେ ପ୍ରଥମ ଅଧ୍ୟକ୍ଷ ଭାବେ କେ.ଏମ୍‌. ଦ୍ବିବେଦୀ ଆନୁଷ୍ଠାନିକ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ମହାଦ୍ରୁମର ପତ୍ର ଭଳି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଲା ଏବଂ ଶାଖା ଭଳି ନୂଆ ବିଭାଗ ଖୋଲିବାରେ ଲାଗିଲା।

୧୯୫୧ ମସିହାରେ କଲେଜର ନାମ ପରିବର୍ତ୍ତନ କରି ବିକ୍ରମଦେବ ମହାବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଥିବା ନିଷ୍ପତ୍ତିକୁ ସରକାର କାର୍ଯ୍ୟକାରୀ କରିଥିଲେ। ୧୯୬୧ ମସିହାରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇ ୧୯୬୮ ମସିହା ପରେ (ସମ୍ମାନ) ପାଠ୍ୟକ୍ରମରେ ପଢ଼ିବାର ସୁଯୋଗ ପାଇଲେ ଛାତ୍ରଛାତ୍ରୀ। ୧୯୭୯ ମସିହାରେ ଇତିହାସ ବିଭାଗରେ ପ୍ରଥମ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଥିଲା। ୧୯୮୩ ମସିହାରେ ଅର୍ଥନୀତି, ବାଣିଜ୍ୟ, ୧୯୯୦ ମସିହାରେ ରାଜନୀତି ବିଜ୍ଞାନ, ୧୯୯୩ ମସିହାରେ ରସାୟନ ବିଜ୍ଞାନ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଉଦ୍ଭିଦ ବିଜ୍ଞାନ, ଇଂରାଜୀ, ଗଣିତ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ସମାଜ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ୨୦୧୮ ମସିହାରେ ଦର୍ଶନଶାସ୍ତ୍ର ଓ ୨୦୨୨ ମସିହାରେ ଗୃହ ବିଜ୍ଞାନ ସ୍ନାତକୋତ୍ତର ବିଷୟ ଖୋଲିଥିଲା। ଅନ୍ୟପକ୍ଷରେ ୨୦୦୯ ମସିହାରେ ବିବିଏ, ବିସିଏ ପାଠ୍ୟକ୍ରମ ଆରମ୍ଭ ହୋଇ ୨୦୧୮ ମସିହାରେ ଏମ୍‌ସିଏସ୍, ଏମ୍‌ପିଏମ୍‌ଆଇଆର୍‌ ଓ ପରବର୍ତ୍ତୀ ସମୟରେ ବିଏଡ୍‌ ଭଳି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି।

୨୪.୭୬୦ ଏକର ଜମିରେ ବିସ୍ତୃତ କଲେଜ

ଛାତ୍ରଛାତ୍ରୀ ପାଇଁ ରହିଛି ୮ହଷ୍ଟେଲ

ବର୍ତ୍ତମାନର ବାଣିଜ୍ୟ ବିଭାଗ କୋଠାରେ ପ୍ରଥମ କରି ଆରମ୍ଭ ହୋଇଥିଲା ବିକ୍ରମ ଦେବ ମହାବିଦ୍ୟାଳୟ। ସ୍ଥାନ ଅଭାବ ହେବାରୁ ପରବର୍ତ୍ତୀ ସମୟରେ ଜୟପୁର ରାଜାଙ୍କ ଦିୱାନ ମହଲରେ ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଥିଲା। ଏହାପରେ ନୂତନ‌ କୋଠା ନିର୍ମାଣ କରାଇଥିଲେ ସରକାର। ମହାବିଦ୍ୟାଳୟ ମୋଟ ୨୪.୭୬୦ ଏକର ଜମିରେ ବିସ୍ତୃତ। ସେଥିମଧ୍ୟରେ ରହିଛି ୫୦ଟି ଶ୍ରେଣୀଗୃହ, ୫ଟି ସେମିନାର ହଲ୍ ଓ ୮ଟି ଲେକ୍‌ଚର ହଲ୍ ଗ୍ୟାଲେରି। ଏହାବ୍ୟତୀତ ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ୩ଟି ଲେଖାଏଁ ଲ୍ୟାବ୍‌, ରସାୟନ ବିଜ୍ଞାନ ବିଭାଗର ୪ଟି ଲ୍ୟାବ୍‌, ବିସିଏ ଓ ଏମ୍‌ସିଏସ୍‌ ପାଇଁ ୩ଟି ଲ୍ୟାବ୍‌, ନୃତତ୍ତ୍ବ ବିଜ୍ଞାନ, ଭୂଗ‌ୋଳ ଓ କମ୍ପ୍ୟୁଟର ସାଇନ୍ସ, ଇଂରାଜୀ, ଆସିଟି ପାଇଁ ଗୋଟିଏ ଲେଖାଏଁ ଲ୍ୟାବ୍‌ ରହିଛି। ସ୍ନାତକୋତ୍ତର ବିଭାଗର ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, କମ୍ପ୍ୟୁଟର ସାଇନ୍ସ, ବାଣିଜ୍ୟ, ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥନୀତି, ଇଂରାଜୀ, ଓଡ଼ିଆ, ସମାଜ ବିଜ୍ଞାନ, ଦର୍ଶନଶାସ୍ତ୍ର, ବିଏଡ୍‌, ଶିକ୍ଷା, ବିସିଏ ଓ ବିବିଏ ବିଭାଗ ପାଇଁ ଷ୍ଟାଫ୍‌ ରୁମ୍‌ ରହିଛି।

ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ମୋଟି ୮ଟି ଛାତ୍ରାବାସ ରହିଛି। ବିକ୍ରମଦେବ ଛାତ୍ରାବାସରେ ୪୦, ଉତ୍କଳମଣି ଛାତ୍ରାବାସରେ ୨୦୦, ଉତ୍କଳ ଗୌରବ ଛାତ୍ରାବାସରେ ୧୦୦, ବିବେକାନନ୍ଦ ଛାତ୍ରାବାସରେ ୩୦୦ ଛାତ୍ର ରହିବା ବ୍ୟବସ୍ଥା କରାଯାଇଛି। ଛାତ୍ରୀଙ୍କ ପାଇଁ ୫ଟି ଛାତ୍ରୀନିବାସ ରହିଥିବା ବେଳେ ବର୍ତ୍ତମାନ ୪ଟି ଛାତ୍ରୀନିବାସରେ ୪ଶହ ଛାତ୍ରୀ ରହୁଛନ୍ତି। ମହାବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ସହ ୧୯ଟି ବିଭାଗର ନିଜସ୍ବ ସେମିନାର ଲାଇବ୍ରେରି ରହିଛି। କେନ୍ଦ୍ରୀୟ ପାଠାଗାରରେ ୫୨ହଜାରରୁ ଊର୍ଦ୍ଧ୍ବ ପୁସ୍ତକ ସ୍ଥାନ ପାଇଛି। ଅନେକ ଦୁର୍ଲଭ ପୁସ୍ତକ ବି ଏହି ପୁରାତନ ଲାଇବ୍ରେରିରେ ରହିଛି।

୩୫୯୦ଜଣ ଛାତ୍ରଛାତ୍ରୀ, ୪୭ଜଣ ସ୍ଥାୟୀ ଅଧ୍ୟାପକ

ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ତିନି ବର୍ଷିଆ ସ୍ନାତକ ପାଠ୍ୟକ୍ରମରେ ରହିଛି ମୋଟ ୨୬୮୮ ସିଟ୍। ସେହିପରି ସ୍ନାତକୋତ୍ତର ପାଇଁ ୮୦୦ ସିଟ୍ ରହିଥିବା ବେଳେ ସେଲଫ୍ ଫାଇନାନ୍ସ କୋର୍ସର ସ୍ନାତକ ପାଇଁ ୩୬୦ଟି ସିଟ୍‌, ସ୍ନାତକୋତ୍ତର ପାଇଁ ୧୨୦ଟି ଓ ବିଏଡ୍‌ ପାଇଁ ୧୦୦ ସିଟ୍ ରହିଛି। ମୋଟ ୪୦୦୪ଟି ସିଟ୍ ରହିଥିବା ବ‌େଳେ ବର୍ତ୍ତମାନ ୩୫୯୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ସ୍ନାତକରେ ୨୫୨୦ଜଣ, ସ୍ନାତକୋତ୍ତରରେ ୬୩୫ ଜଣ, ସେଲଫ୍‌ ଫାଇନାନ୍ସ କୋର୍ସରେ ୩୬୩ ଜଣ ଓ ବିଏଡ୍‌ରେ ୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ସେହିପରି ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ମୋଟ ୧୮୦୦ ସିଟ୍‌ ରହିଛି। ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ୬୪ଜଣ ଅଧ୍ୟାପକ, ଅଧ୍ୟାପିକା ପଦବି ଅନୁମୋଦିତ ହୋଇଥିଲେ ସୁଦ୍ଧା ୪୭ଜଣ ସ୍ଥାୟୀ ଅଧ୍ୟାପକ ରହିଛନ୍ତି। ୧୭ଟି ଅଧ୍ୟାପକ ପଦବି ଫାଙ୍କା ପଡିଛି। ଏହାବ୍ୟତୀତ ୭୦ଜଣ ଅତିଥି ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ଦିଆଯାଇଛି। ମହାବିଦ୍ୟାଳୟରେ ୭୪ଟି ଅଣଶିକ୍ଷକ ପଦବି ରହିଥିବା ବେଳେ ୩୬ଟି ପଦବି ପୂରଣ ହୋଇଛି ଓ ୩୮ଟି ପଦବି ଖାଲି ପଡ଼ିଛି।

ଏନସିସି, ରେଡକ୍ରସ, ଏନ୍‌ଏସ୍‌ଏସ୍‌

ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ପ୍ରଥମେ ଛାତ୍ରଙ୍କ ପାଇଁ ଏନ୍‌ସିସି ୱିଙ୍ଗ୍‌ ଆରମ୍ଭ ହୋଇଥିଲା। ବାରିଣୀପୁଟ ସ୍ଥିତ ୱାନ୍‌ ଓଡ଼ିଶା ଇନ୍‌ଫେଣ୍ଟଟ୍ରି ଇଣ୍ଡିପେ‌ଣ୍ଡେଣ୍ଟ କମ୍ପାନି ଅଧୀନରେ ମହାବିଦ୍ୟାଳୟର ଏନ୍‌ସିସି ୱିଙ୍ଗ୍‌ ରହିଛି। ୭୫ଜଣ କ୍ୟାଡେ୍‌ଟ ନିୟମିତ ସାମରିକ କୌଶଳ ଅଭ୍ୟାସ କରୁଛନ୍ତି। ସେହିପରି ୨୦୨୧ ମସିହାରେ ଏନ୍‌ସିସି ମହିଳା ୱିଙ୍ଗ୍‌ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ମହିଳା ୱିଙ୍ଗ୍‌ ରାୟଗଡା ଟୁ ଓଡ଼ିଶା ଗାଲର୍ସ ବାଟାଲିଆନ୍‌ ଅଧୀନରେ ରହିଛି। ମୋଟ ୫୨ଟି ସ୍ଥାନ ରହିଥିବା ବେଳେ ୩୪ଜଣ ମହିଳା କ୍ୟାଡେଟ୍‌ ରହିଛନ୍ତି। ସେହିପରି ଜାତୀୟ ସେବା ଯୋଜନା ୟୁନିଟ୍‌ରେ ୧୦୦ଜଣ ଛାତ୍ର ଏବଂ ୧୦୦ଜଣ ଛାତ୍ରୀ ସ୍ବେଚ୍ଛାସେବୀ ରହିଛନ୍ତି। ଏଥିସହ ଯୁବ ରେଡ୍‌କ୍ରସ୍‌ ମଧ୍ୟ ମହାବିଦ୍ୟାଳୟରେ ପରିଚାଳିତ ହେଉଛି। ବିଭିନ୍ନ ସମୟରେ ଏନ୍‌ସିସି କ୍ୟାଡେଟ୍‌ଙ୍କ ସହ ଏନ୍‌ଏସ୍‌ଏସ୍‌ ଓ ଯୁବ ରେଡ୍‌କ୍ରସ୍‌ ସ୍ବେଚ୍ଛାସେବୀ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।

ସ୍ନାତକ ଓ ସ୍ନାତକୋତ୍ତର ବିଭାଗ

ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ବିଭାଗ ଇଂରାଜୀ, ଓଡିଆ, ଇତିହାସ, ରାଜନିତୀ ବିଜ୍ଞାନ, ଅର୍ଥଶାସ୍ତ୍ର, ସମାଜ ବିଜ୍ଞାନ, ଦର୍ଶନଶାସ୍ତ୍ର, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ, ବାଣିଜ୍ୟ, ଭୂଗୋଳ, ନୃତତ୍ବ, ଶିକ୍ଷା, କମ୍ପ୍ୟୁଟର ସାଇନ୍ସ, ବିବିଏ, ବିସିଏ, ବିଏଡ୍‌ ପାଠ୍ୟକ୍ରମ ରହିଛି।

ସେହିପରି ସ୍ନାତକୋତ୍ତର ବିଭାଗରେ ଇଂରାଜୀ, ଓଡିଆ, ଇତିହାସ, ରାଜନିତୀ ବିଜ୍ଞାନ, ଅର୍ଥଶାସ୍ତ୍ର, ସମାଜ ବିଜ୍ଞାନ, ଦର୍ଶନଶାସ୍ତ୍ର, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ, ବାଣିଜ୍ୟ, ଗୃହ ବିଜ୍ଞାନ, ଏମ୍‌ଏସ୍‌ସି ସିଏସ୍‌, ଏମ୍‌ପି ଏମ୍‌ଆଇଆର୍‌ ପାଠ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର