ମୌଳିକ ସୁବିଧାରୁ ବଞ୍ଚିତ ସୁନାମୁହିଁ ପର୍ଯ୍ୟଟନସ୍ଥଳ

ଖଣ୍ଡପଡ଼ା: ଖଣ୍ଡପଡ଼ାରୁ ନୟାଗଡ଼ ଯାଇଥିବା ପୂର୍ତ୍ତ ରାସ୍ତାକଡ଼ରେ ଅବସ୍ଥିତ ସୁନାମୁହିଁ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ପରିବେଶ ସାଙ୍ଗକୁ ମନୋଲୋଭା ଘଞ୍ଚ ସବୁଜିମା ମଧ୍ୟରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ପାଲଟିଥିବା ବେଳେ ଏହା ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କ ଜମି ଜଳସେଚନ କରାଇବା ଲକ୍ଷ୍ୟରେ ନିର୍ମାଣ କରାଯାଇଥିଲା ଏହି ଡ୍ୟାମ୍‌। ପରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ସହ ମନୋରଞ୍ଜନ ନିମନ୍ତେ ଏକ ପାର୍କ ନିର୍ମାଣ କରାଯାଇଥିଲା। ମାତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାର ଦୀର୍ଘବର୍ଷ ପରେ ମଧ୍ୟ ଏହା ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ଭଳି ମୌଳିକ ସୁବିଧା ନ ଥିବା ଦୈନିକ ଶହଶହ ପର୍ଯ୍ୟଟକ ଏଠାକୁ ଆସି ଏହାର ମନୋଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିବା ବେଳେ ମୌଳିକ ସୁବିଧା ନ ଥିବାରୁ ପର୍ଯ୍ୟଟକ ନାକ ଟେକୁଥିବା ସୂଚନା ମିଳିଛି। ଉକ୍ତ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଖେଳଣା ଉପକରଣ ସାଙ୍ଗକୁ ବରିଷ୍ଠ ନାଗରିକଙ୍କ ପାଇଁ ଶାରୀରିକ ପରିଶ୍ରମ ନିମନ୍ତେ ବିଭିନ୍ନ ମୂଲ୍ୟବାନ ଉପକରଣ ଲଗାଯାଇଛି। ମାତ୍ର ଏହାର ସୁରକ୍ଷା ବ୍ୟବସ୍ଥା ସହ ମୌଳିକ ସୁବିଧା ଦିଗରେ ପଦକ୍ଷେପ ନିଆଯାଇନଥିବାରୁ ଲକ୍ଷାଧିକ ଟଙ୍କାର ଉପକରଣର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନ ଉଠାଇଛନ୍ତି କାଉନସିଲର ସରୋଜ କୁମାର ପ୍ରଧାନ।

ସେହିଭଳି ଏନ୍‌ଏସି ପକ୍ଷରୁ ସେଠାରେ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ ନିୟମ ଥିବାବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ସନ୍ଧ୍ୟା ସମୟରେ ଏପରିକି ଦିନବେଳେ ମଧ୍ୟ ପର୍ଯ୍ୟଟକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ବିଶେଷକରି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଏସ୍‌ଡିଓ ଅଶ୍ୱିନୀ କୁମାର ଶାନ୍ତଙ୍କୁ ପଚାରିବାରେ ଜଳସେଚନ ପ୍ରକଳ୍ପର ଉନ୍ନତି ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ମାତ୍ର ମୌଳିକ ସୁବିଧା ବ୍ୟବସ୍ଥା ଏନ୍‌ଏସି କର୍ତ୍ତୃପକ୍ଷଙ୍କର ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର