ଖେଳାଳିଙ୍କ ପାଇଁ ସୁଲଭ ଓ ଉପାଦେୟ ମିଲେଟ୍‌: ବିଭିନ୍ନ ଅଧିବେଶନରେ ଆଲୋଚନା

ଭୁବନେଶ୍ବର: ଭୁବନେଶ୍ବରରେ ଉଦ୍‌ଯାପିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଶେଷ ଓ ଦ୍ବିତୀୟ ଦିନର ଏକ ଅଧିବେଶନରେ ଆଜି କ୍ରୀଡାବିତ୍‌ମାନଙ୍କର ଖାଦ୍ୟରେ ପୁଷ୍ଟିଶସ୍ୟ ପୋଷକତତ୍ତ୍ୱର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
କ୍ରୀଡା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ଆର. ଭିନିଲ କ୍ରୀଷ୍ଣା, ବିଭାଗୀୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, କ୍ରୀଡ଼ା ବ୍ୟକ୍ତିତ୍ବ କେ. ରବି କୁମାର, ଅନୁପମା ସ୍ୱାଇଁ, ପୁଷ୍ଟି ବିଶେଷଜ୍ଞ ଅଞ୍ଜଳି ୱାଙ୍ଗେ ଓ ଲକ୍ଷ୍ମୀଶ୍ରୀ ପାଣ୍ଡରଲା କ୍ରୀଡାବିତ୍‌ମାନଙ୍କର ଖାଦ୍ୟରେ ପୁଷ୍ଟିଶସ୍ୟର ପୌଷ୍ଟିକ ଗୁଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଖେଳାଳିମାନଙ୍କ ପାଇଁ ଏହା ସୁଲଭ ଓ ଉପାଦେୟ ବୋଲି ସମସ୍ତେ ଏକମତ ହୋଇଥିଲେ। ସେହିପରି ଏକ ଆଲୋଚନାଚକ୍ରରେ ରାଜ୍ୟରେ କୃଷି ଉତ୍ପାଦକ ସଂଗଠନଗୁଡ଼ିକୁ ପୁଷ୍ଟିଶସ୍ୟ ସେବାକେନ୍ଦ୍ର ଭାବରେ କ୍ରିୟାଶୀଳ କରିବାକୁ ମତପ୍ରକାଶ ପାଇଛି। ମିସନର ଯୋଜନା ଅଧିକାରୀ କଳ୍ପନା ପ୍ରଧାନଙ୍କ ପରିଚାଳନାରେ ବୃକ୍ଷ ଆରାଧନା ଅନୁଷ୍ଠିତ ହୋଇଥିଲା। ଉଦ୍ୟାନ ନିର୍ଦେଶକ ରୋହିତ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାରେ ଆପିକଲର ନିର୍ବାହୀ ଯନ୍ତ୍ର (କୃଷି) ରଘୁନାଥ ବେହେରା, ଭାରତୀୟ କୃଷି ଗବେଷଣା ପରିଷଦ (ହାଇଦ୍ରାବାଦ)ର ପ୍ରମୁଖ ବିଜ୍ଞାନୀ ଡ. କେ. ଶ୍ରୀନିବାସ ବାବୁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର କଳ୍ପନା ରାୟଗୁରୁ, ଭାରତୀୟ କୃଷି ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ଡ. ଦେବବନ୍ଦ୍ୟ ମହାପାତ୍ର, ଆଗ୍ରୋ ବିଜିନେସ୍‌ ଓ ଇନୋଭେଟିଭ୍‌ ପ୍ଲାଟଫର୍ମର ସହକାରୀ ବୈଜ୍ଞାନିକ ଡ. ଶାଶ୍ୱତ କୁମାର ପାଣି ଓ ବିଶ୍ୱଜିତ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଅନ୍ୟ ଏକ ଅଧିବେଶନରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକମାନଙ୍କର ଚାଷଗୀତ ଦର୍ଶକଙ୍କ ହୃଦୟ ଜିଣିଥିଲା। ଗୁଜରାଟର ଗୀତିକାର ବିନୟ ମହାଜନ ଓ ଚାରୁ ଭରୱାଡ଼ା, ଲୋକକବି ପଦ୍ମଶ୍ରୀ ହଳଧର ନାଗ ଆକର୍ଷଣର କେନ୍ଦ୍ର ଥିଲେ। ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଅବସରରେ ଆଜି ଆୟୋଜିତ ଖାଦ୍ୟପର୍ବ ଥିଲା ଅତ୍ୟନ୍ତ ଆକର୍ଷଣୀୟ। ‘ଉପଭୋକ୍ତାଙ୍କ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ’ ଶୀର୍ଷକ ଏକ ଆଲୋଚନାରେ ହାଇଦ୍ରାବାଦସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର ନିର୍ଦ୍ଦେଶକ ଡ. ସି. ତାରା ସତ୍ୟବତୀ ଓ ଇଣ୍ଟରନ୍ୟାସନାଲ କ୍ରପସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚୁ୍ୟଟ୍‌ ଫର ଦି ସେମିଏରିଡ୍‌ ଟ୍ରପିକ୍ସର କାର୍ଯ୍ୟକର୍ତ୍ତା ଡ. ରୂପା ବାନାର୍ଜୀ, ୟୁନିସେଫର ସୁଶ୍ରୀ ସୋନାଲି ସିହ୍ନା, ଜାତୀୟ ପୋଷଣ ବୈଷୟିକ ବୋର୍ଡର ଡ. ରାଜ ଭଣ୍ଡାରୀ, ଶ୍ରେଷ୍ଠା ଅଗ୍ରାନିକ୍‌ର ବାଲା ସୁବ୍ରମଣ୍ୟମ୍‌, ସେଣ୍ଟ୍ରାଲ ଫୁଡ୍‌ ଟେକ୍‌ନୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ପ୍ରମୁଖ ବିଜ୍ଞାନୀ ଡ. ଏମ୍‌. ଏସ୍‌. ମୀରା, ହୋଟେଲ ଓ ରେସ୍ତୋଁରା ଆସୋସିଏସନ୍‌ ଓଡ଼ିଶାର ସଂପାଦକ ନୀଳମାଧବ ପୃଷ୍ଟି ଓ କୋରାପୁଟ ଜିଲ୍ଲା ରାଜପୁରର ଗ୍ରାମପଞ୍ଚାୟତ ମହାସଂଘର ଉଦିର ଶଙ୍କର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଜି ଏକ ରନ୍ଧନ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଏଥିରେ ସେଫ୍‌ ମାଇକେଲ, ସେଫ୍‌ ଗୌରବ, ଆଇଆଇଏମ୍‌ର ବୈଜ୍ଞାନିକ ଡ. ସଙ୍ଗାପା, ହୋଟେଲ ମେ ଫେୟାରର ଅଧ୍ୟକ୍ଷ ସୂର୍ଯ୍ୟ ସାହୁ, ତାଜ ବିଭାନ୍ତର ମୁଖ୍ୟ ସେଫ୍‌ ସାୟନ୍ତନ ଚକ୍ରବର୍ତ୍ତୀ, ପୁରୀ ହଲିଡେର ରାଜକିଶୋର ପାତ୍ର ଓ କଳିଙ୍ଗ ଷ୍ଟୋରିଜ୍‌ର ପ୍ରତିଷ୍ଠାତା ମଧୁଲିକା ଦାସ ବିଚାରକ ଭାବେ ଯୋଗଦେଇଥିଲେ। ରନ୍ଧନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୌଭାଗ୍ୟ ବାରିକ, ଜୟଶ୍ରୀ କୌର ଓ ଅମ୍ବିକା ନନ୍ଦ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ମଧ୍ୟରେ ବିନୋଦିନୀ ପ୍ରଧାନ, ସବିତା ରାଉତ ଓ ଦେବଯାନୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର