ଚଢ଼ଉ ସମୟରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ଆସିଲେ ବୋମାମାଡ଼ ଧମକ

ବାଙ୍କୀ : ବାଙ୍କୀ ଥାନା ବରପୁଟ ଶବରସାହିକୁ ଚଢ଼ଉ ପାଇଁ ଯାଇଥିବା ଅବକାରୀ କର୍ମଚାରୀମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଅବକାରୀ କର୍ମଚାରୀମାନେ ଆସିଲେ ବୋମାମାଡ଼ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିବା ଏତଲ‌ାରେ ଦର୍ଶାଯାଇଛି।

ବାଙ୍କୀ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଆଠଗଡ଼ ରେଞ୍ଜ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଜି ମିଳିତ ଭାବେ ବରପୁଟ ପଞ୍ଚାୟତର ଶବରସାହିରେ ଚଢ଼ଉ କରାଯାଇଥିଲା। ଅବକାରୀ କର୍ମଚାରୀମାନେ ମଦ ରନ୍ଧା ଯାଉଥିବା ସ୍ଥାନରେ ମଦ ଓ ପୋଚ ନଷ୍ଟ କରୁଥିଲା ବେଳେ ଗ୍ରାମର ବହୁ ମହିଳା ଓ ପୁରୁଷ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବାଙ୍କୀ ଥାନାରେ ଅଭିଯୋଗ କରାଯାଇଛି। ଆକ୍ରମଣରେ ଅବକାରୀ କର୍ମଚାରୀ ନିରଞ୍ଜନ ଖଟୁଆ ଆହତ ହୋଇଥିଲେ। ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସମସ୍ତ କର୍ମଚାରୀ ସେଠାରୁ ଫେରି ଆସିଥିଲେ। ଗ୍ରାମର ଅର୍ଜୁନ ବେହେରା, ଚଗଲା ବେହେରା, ପରମାନନ୍ଦ ବେହେରା, ରମେଶ ବେହେରା ଓ ନିକଟସ୍ଥ ପଶାଣିଆ ଗ୍ରାମର ଛବି ପ୍ରଧାନଙ୍କ ସହ ସେମାନଙ୍କ ସହଯୋଗୀମାନେ ଏହି ଆକ୍ରମଣ କରିଥିଲେ ବୋଲି ବାଙ୍କୀ ଅବକାରୀ ବିଭାଗ ଉପନିରୀକ୍ଷକ ଦୀପକ କୁମାର ମାରାଣ୍ଡି ସୂଚନା ଦେଇଛନ୍ତି। ଏପିର କି ଗ୍ରାମରେ ଅବକାରୀ ବିଭାଗ ଗାଡ଼ି ପୂରାଇ ଦିଆଯିବ ନାହିଁ ଏବଂ ଅବକାରୀ କର୍ମଚାରୀ ଆସିଲେ ବୋମାମାଡ଼ ସହ ହାଣି ଦିଆଯିବ ବୋଲି ଧମକ ଦିଆଯାଇଥିଲା ବୋଲି ଉପନିରୀକ୍ଷକ ଶ୍ରୀ ମାରାଣ୍ଡି ଏତଲାରେ ଦର୍ଶାଇଛନ୍ତି।

ସୀମିତ କର୍ମଚାରୀଙ୍କୁ ନେଇ ଚଢ଼ଉ ନିରାପଦ ହେଉ ନ ଥିବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମାରଣ୍ଡି ବାଙ୍କୀ ଥାନାଧିକାରୀଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର