ମୁସୁମୁସୁ ମୁଢ଼ି ଭାରି ଭଢ଼ିଆ, ସଙ୍ଗେ ଯଦି ଥାଏ ଖଣ୍ଡ ନଡ଼ିଆ; ହାଣ୍ଡି ବଦଳରେ ମେସିନ୍‌ ଭାଜୁଛି, ସ୍ବାଦ ଏବେ ବି ଅତୁଟ

ବାଲେଶ୍ବର: ଓଡ଼ିଶାର ଘରେ ଘରେ ଉପଲବ୍ଧ ହେଉଥିବା ପରି ଖାଦ୍ୟ ମୁଢ଼ି। ବାଲେଶ୍ବର ଜିଲ୍ଲାର ଏହି ପ୍ରସିଦ୍ଧ ଖାଦ୍ୟକୁ ଲୋକେ ବିଭିନ୍ନ ପ୍ରକାରେ ଖାଇଥାନ୍ତି। କେହି କେହି ଏହାକୁ ଚୁନା କରି ଛତୁଆ କରି ଖାଆନ୍ତି ତ କେହି କେହି ଏଥିରେ ଖିର ମିଶାଇ ଖାଆନ୍ତି। ପୁଣି କେହି ମୁଢ଼ିରେ ମିକ୍ସଚର ଗୋଳାଇ ଖାଆନ୍ତି ତ ଆଉ କେହି ମୁଢ଼ିରେ ଶୋରିଷ ତେଲ୍‌ ସଙ୍ଗକୁ କଞ୍ଚାଲଙ୍କା ଓ ପିଆଜ ଗୋଳାଇ ଖାଇଥାନ୍ତି। ବିଶେଷ କରି ବର୍ଷା ଦିନିଆ ଓଡ଼ିଶାବାସୀଙ୍କର ଏହା ହୋଇଥାଏ ଏକ ପ୍ରଧାନ ଖାଦ୍ୟ। ଆଜିକାଲି ସହରମାନଙ୍କରେ ମୁଢ଼ି ମାଂସ ଓ ମୁଢ଼ି ଆଳୁଦମ ବେଶ୍‌ ଲୋକପ୍ରିୟତା ସାଉଁଟିବା‌ରେ ଲାଗିଛି। ପୂର୍ବରୁ ଲୋକେ ବର୍ଷା ସଂଧ୍ୟାରେ ମୁଢ଼ି ସଙ୍ଗକୁ ଖଣ୍ଡ ନଡ଼ିଆ ମିଶାଇ ଖାଇବାର ମଜା ସାଉଁଟିବାର ସୁଯୋଗ ଆଦୌ ବି ହାତଛଡ଼ା କରୁନଥିଲେ।

Happy Bellyfish

ଅବଶ୍ୟ ସମୟ ବଦଳିଛି। ମୁଢ଼ି ପ୍ରତି ଲୋକଙ୍କ ଭଲପାଇବା କମିଛି। ବଜାରରେ ବିଭିନ୍ନ ରକମର ଜଳଖିଆ ଉପଲବ୍ଧ ହେବା ପରେ ଆଉ ଘରେ ଘରେ ‌ପୂର୍ବପରି ମୁଢ଼ି ଦେଖାଯାଉନି। ହେଲେ ଆଜି ବି ବାଲେଶ୍ବରବାସୀଙ୍କର ପ୍ରଧାନ ଖାଦ୍ୟ ଭାବେ ମୁଢ଼ି ରହିଛି। ଲୋକ ସେ ସମୟରେ ଛୋଟ ଏକ ମାଟି ହାଣ୍ଡିକୁ ଭରସା କରି ରହିଥିବା ବେଳେ ଆଜି ଧୀରେ ଧୀରେ ବାଲେଶ୍ବରରେ ମୁଢ଼ି କାରଖାନା ଦେଖିବାକୁ ମିଳିଛି।

ପୂର୍ବରୁ ଘରର ସ୍ତ୍ରୀ ଲୋକମାନେ ଚାଉଳକୁ କଢ଼େଇରେ ଅଳ୍ପ ଲୁଣ ଓ ପାଣି ଛିଞ୍ଚି ଭାଜି ଦଉଥିଲେ। ସେହି ଭଜା ଚାଉଳକୁ ତତଲା ବାଲି ହାଣ୍ଡିରେ ପକାଇ ପିଞ୍ଛ ସାହାଯ୍ୟରେ ଭାଜୁଥିଲେ। ମାତ୍ର ସେପରି ଭଜା ଶୈଳୀ ଆଉ ପ୍ରାୟତଃ ନାହିଁ। ହାଣ୍ଡି ଭିତରୁ ମୁଢ଼ି ଆସି ପହଞ୍ଚିଲାଣି କାରଖାନାରେ। ଏବେ ମେସିନ୍‌ ଭାଜୁଛି ମୁଢ଼ି।

 

ସମ୍ବନ୍ଧିତ ଖବର