ଭରତପୁର ଜଙ୍ଗଲ ପାଚେରି ଦୁର୍ବଳ! ହାତୀଆଶୁଣିରେ ହାତୀଙ୍କ ପାଇଁ ବାଟ ମୁକୁଳା

ଗଣେଶ ଘାଟ ନିକଟ ଜଙ୍ଗଲରେ ୨୦ ଫୁଟ୍‌ର ଗାତ

ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠରେ ଉତ୍ପାତ କରୁଛନ୍ତି ହାତୀ। କେତେବେଳେ ଅନ୍ଧାରୁଆରେ ତ ଆଉ କେବେ ଶିଖରଚଣ୍ଡୀରେ ପଶୁଛନ୍ତି। ସାଲିଆସାହିକୁ ବି ମାଡ଼ି ଆସୁଛନ୍ତି। ଏବେ ସୁଦ୍ଧା ସେତେ ପରିମାଣର ଧନଜୀବନ କ୍ଷତି କରି ନଥିଲେ ମଧ୍ୟ ରାତି ସମୟରେ ଚଳପ୍ରଚଳ କରୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଲାଣି। ଲୋକଙ୍କ ଘର ସମ୍ମୁଖରେ ହାତୀ ଚଳପ୍ରଚଳ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଭରତପୁର ପାଚେରିର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁ ବର୍ଷ ତଳେ ନିର୍ମାଣ କରାଯାଇଥିବା ରାଜଧାନୀ ଉପକଣ୍ଠର ଏହି ଜଙ୍ଗଲ ପାଚେରି ଦୁର୍ବଳ ସ୍ଥିତିକୁ ଆସିଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ହାତୀଗୁଡ଼ିକ ଧକ୍କା ମାରି ତାହାକୁ ଭାଙ୍ଗି ଦେଉଛନ୍ତି।

ଗତ ମାର୍ଚ୍ଚ ମାସରେ ଶିଖରଚଣ୍ଡୀ ପାହାଡ଼କୁ ଆସିଥିବା ତିନିଟି ହାତୀ ତାର ଜାଲି ଘେରା ଯାଇଥିବା ଭରତପୁର ଜଙ୍ଗଲ ପାଚେରି ଭାଙ୍ଗି ଦେଇଥିବା ଏବେ ଦେଖିବାକୁ ମିଳିଛି। ଚୁନୁକୋଳି ବସ୍ତି-ପଥରଗାଡ଼ିଆ ରାସ୍ତା ତଥା ଗଣେଶ ଘାଟକୁ ସଂଯୋଗ କରୁଥିବା ରାସ୍ତାପାର୍ଶ୍ବରେ ଥିବା ପାଚେରି ଭଙ୍ଗା ଯାଇଥିବା ଅନୁଧ୍ୟାନ କରିବା ସମୟରେ ‘ସମ୍ବାଦ’ ଟିମ୍‌ ନଜରକୁ ଆସିଥିଲା। ତିନି ମାସ ହେଲା ପାଚେରି ଭାଙ୍ଗିଥିଲେ ମଧ୍ୟ ତାହାକୁ ମରାମତି କରାଯାଇନାହିଁ, ବରଂ ହାତୀ ପ୍ରବେଶ ରୋକିବା ପାଇଁ ପାଚେରି ନିକଟରେ ଭରତପୁର ଜଙ୍ଗଲ ଭିତରେ ପାଖାପାଖି ୫୦ ମିଟର ଲମ୍ବ, ୨୦ ଫୁଟ୍‌ ଗଭୀର ଗାତ ଖୋଳା ଯାଇଛି। ଏହାଦ୍ବାରା ହାତୀପଲ ଆଉ ପାଚେରି ପାଖକୁ ଆସିପାରିବେ ନାହିଁ କି ସହର ଉପକଣ୍ଠରେ ପଶିବେନି।

ମାସକ ତଳେ ହାତୀଆଶୁଣୀ ନିକଟରେ ଭରତପୁର ଜଙ୍ଗଲ ପାଚେରି ଭାଙ୍ଗି ରାଜଧାନୀରେ ପଶିଥିଲା ଦନ୍ତା। ମୈତ୍ରୀବିହାର ନିକଟ ୨୦୦ ଫୁଟିଆ ରାସ୍ତାରେ ଚାଲିଥିଲା। ସାଲିଆସାହି ଭିତରକୁ ପ୍ରବେଶ କରିବା ସହ ପଣସ, କଦଳୀ, ଆମ୍ବ ମଧ୍ୟ ଖାଇଥିଲା। କାହାର କୌଣସି କ୍ଷତି କରି ନଥିଲେ ମଧ୍ୟ ଲୋକଙ୍କ ଘର ଆଗରେ ଚଳପ୍ରଚଳ କରୁଥିବାରୁ ରାତି ଅଧରେ ସାଲିଆସାହି ବସ୍ତିରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ଦନ୍ତା ଘର ଭାଙ୍ଗିଦେବ, ସେହି ଭୟରେ ଯିଏ ଯୁଆଡ଼େ ପାରିଲେ ଧାଇଁଥିଲେ। ହାତୀ ମୁହଁକୁ ଲାଇଟ୍‌, ଟର୍ଚ୍ଚ ଆଦି ପକାଇଥିଲେ। ପାଖାପାଖି ଦେଢ଼ ଘଣ୍ଟା ଧରି ସାଲିଆସାହିରେ ଆତଙ୍କ ‌ଖେଳାଇଥିଲା ଦନ୍ତା। ୪ଟି ହାତୀ ପ୍ରବେଶ କରିଥିବା ବେଳେ ଦନ୍ତାଟି ଫେରି ନ ପାରି ରହିଯାଇଥିବା କୁହାଯାଇଥିଲା। ତେବେ ହାତୀଙ୍କ ପ୍ରବେଶ ଲାଗି ଏଠାରେ ସମସ୍ତ ପ୍ରକାର ସୁବିଧା‌ ରହିଥିବା ନଜରକୁ ଆସିଛି। ହାତୀଆଶୁଣି ପଡ଼ିଆକୁ ଲାଗି ଥିବା ପାଚେରି ଭାଙ୍ଗି ଯାଇଛି। ଯେକୌଣସି ବନ୍ୟଜନ୍ତୁ ବିନା ପ୍ରତିବନ୍ଧକରେ ଏପାଖରୁ ସେପାଖ ହୋଇପାରିବ।

ବହୁ ଦିନ ଧରି ପାଚେରି ଭାଙ୍ଗିଥିଲେ ମଧ୍ୟ ତାହାର ମରାମତି କରାଯାଉ ନ ଥିବାରୁ ଗତ ମାସରେ ହାତୀ ଦୁଇଥର ରାଜଧାନୀରେ ପ୍ରବେଶ କରିଥିଲା। ଏବେ ମଧ୍ୟ ପାଚେରି ମୁକୁଳା ରହିଥିବାରୁ ଯେକୌଣସି ସମୟରେ ହାତୀ ପ୍ରବେଶ କରିପାରେ ବୋଲି ଲୋକେ କହିଛନ୍ତି। ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ମରାମତି କରିବାକୁ ଦାବି ହୋଇଛି।

ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଜଙ୍ଗଲ ପାଖରେ ଥିବା ଟ୍ରେଞ୍ଚକୁ ବାରମ୍ବାର ଖୋଳା ଯାଉଥିଲେ ମଧ୍ୟ ବସ୍ତିବାସିନ୍ଦାମାନେ ତାହାକୁ ଅଳିଆ ପକାଇ ପୋତି ଦେଉଛନ୍ତି। ଯେଉଁଥିପାଇଁ ହାତୀ ପାଚେରି ଭାଙ୍ଗିବା ସହ ସେହି ବାଟରେ ସହର ଭିତରକ ପଶୁଛନ୍ତି। ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟ ମଧ୍ୟରେ ଭରତପୁର ଜଙ୍ଗଲ ଆସୁଥିବାରୁ ହାତୀଙ୍କ ଚଳପ୍ରଚଳ ପାଇଁ କେବଳ ଅନ୍ଧାରୁଆ ନିକଟରେ ଗୋଟିଏ ବାଟ ରଖାଯାଇଛି। ଜଙ୍ଗଲର ଆଉ କୌଣସି ସ୍ଥାନରେ ବାଟ ରଖାଯାଇନାହିଁ। ଯେଉଁଠି ପାଚେରି ଭାଙ୍ଗୁଛନ୍ତି, ସଙ୍ଗେସଙ୍ଗେ ତାହାର ମରାମତି କରାଯାଉଛି। ଜଙ୍ଗଲ ଆଡ଼କୁ ଜନବସତି ମାଡ଼ି ଚାଲିଥିବାରୁ ବେଳେବେଳେ ଗୋଠଛଡ଼ା ହାତୀ ଏଣେତେ‌ଣେ ପଶି ଯାଉଛନ୍ତି।

ସମ୍ବନ୍ଧିତ ଖବର