ସନ୍ଦେହରେ କୃଷି ନିର୍ଦେଶାଳୟ: ୧.୨୩ ଲକ୍ଷ ଟଙ୍କାରେ କିଣିଛନ୍ତି ୪୨ ହଜାରର ବିହନ ବୁଣା ମେସିନ୍

ଭୁବନେଶ୍ବର: ସ୍ବତନ୍ତ୍ର ରିଆତି ଜରିଆରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପର ଜଳବାୟୁ ସହନଶୀଳ କୃଷି ଯୋଜନାରେ କୃଷି ଯନ୍ତ୍ରପାତି କ୍ରୟ ଆଳରେ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଘଟଣା ପଦାରେ ପଡ଼ିଲାଣି। ପୂର୍ବରୁ ୫୦ ହଜାର ଟଙ୍କାର ସ୍ବତନ୍ତ୍ର ଧରଣର ଟ୍ରାକ୍ଟର (ଟ୍ରାକ୍ଟର ଡ୍ରନ ୱିଥ ହୁପର କଭର-୯ ରୋ)କୁ ୧ ଲକ୍ଷ ୩୫ ହଜାର ଟଙ୍କାରେ କିଣାଯାଇ ପାଣି ପଞ୍ଚାୟତକୁ ଦିଆଯାଇଥିଲା। ଏବେ ୪୨ ହଜାର ଟଙ୍କାର ବିହନ ବୁଣା ମେସିନ ବା ‘ସିଡ୍ ଡ୍ରିଲ’କୁ ୧ ଲକ୍ଷ ୨୩ ହଜାର ୧୯୮ ଟଙ୍କାରେ କିଣାଯାଇଛି। ଏକ୍ଷେତ୍ରରେ କୃଷି ନିର୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ କୃଷି ଶିଳ୍ପ ନିଗମର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୃଷି ବିଭାଗର ସୂଚନା ଅନୁସାରେ, ଏଯାଏ ରାଜ୍ୟରେ ୨୪ ହଜାର ୬୯୩ କୃଷି ଯନ୍ତ୍ର ପାଇଁ ୧୫୧.୨୦୧ କୋଟି ଟଙ୍କା ରିଆତି ହିତାଧିକାରୀଙ୍କୁ ଦିଆଯାଇଛି। ୨୦୨୩ ମସିହାରେ ୭୦ ହଜାର କୃଷି ଉପକରଣ ପାଇଁ ୪୫୦ କୋଟି ରିଆତି ଦିଆଯିବା ଲକ୍ଷ୍ୟ ରହିଛି। କୃଷି ଯାନ୍ତ୍ରିକୀକରଣ ପ୍ରକ୍ରିୟାରେ ଚାଷୀ ସମ୍ପୂର୍ଣ୍ଣ ଦରରେ କୃଷିଯନ୍ତ୍ର କିଣନ୍ତି। ସରକାରଙ୍କ ଇଣ୍ଡିକେଟିଭ ଦରର ୪୦ରୁ ୬୫ ପ୍ରତିଶତ ହିସାବରେ ଡିବିଟି ମାଧ୍ୟମରେ ରିଆତି ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହୁଏ। ଏହି କୃଷି ଯନ୍ତ୍ର ମଧ୍ୟରୁ ଅନ୍ୟତମ ହେଲା, ସିଡ୍ ଡ୍ରିଲ୍‌ ବା ମଲ୍ଟି କ୍ରପ୍‌ ସିଡର। ୨୦୨୨ ମସିହା ଫେବ୍ରୁଆରି ୨୪ ତାରିଖର କୃଷି ନିର୍ଦେଶାଳୟ ସର୍କୁଲାର ଅନୁସାରେ, ଏହି ମେସିନର ଇଣ୍ଡିକେଟିଭ୍‌ ଦର ୩୦ ହଜାରରୁ ୪୮ ହଜାର ୫୦୦ ଟଙ୍କା ମଧ୍ୟରେ ଥିଲା। ବଜାରରେ ଏହା ୫୦ ହଜାରରୁ ୬୦ ହଜାର ମଧ୍ୟରେ ବିକ୍ରି ହୁଏ। ୨୦୨୩ ମସିହା ମେ’ ମାସରେ ରାଜ୍ୟ କୃଷି ଶିଳ୍ପ ନିଗମ ୧ ଲକ୍ଷ ୧୮ ହଜାର ୪୬୦ ଟଙ୍କାରେ ଲୁଧିଆନାର କମ୍ପାନି ନେସନାଲ ଆଗ୍ରୋ ଇଣ୍ଡଷ୍ଟ୍ରି ପାଖରୁ ୧୧୩ଟି ମେସିନ କିଣିଛନ୍ତି। ଏହି ମେସିନର ଇଣ୍ଡିକେଟିଭ୍‌ ଦର ୪୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏଣେ କିନ୍ତୁ ଓଡ଼ିଶା କୃଷି ଶିଳ୍ପ ନିଗମ ୪ ପ୍ରତିଶତ ଲାଭ ରଖି ୪୨ ହଜାର ଟଙ୍କାର ସାମଗ୍ରୀକୁ ୧ ଲକ୍ଷ ୨୩ ହଜାର ୧୯୮ ଟଙ୍କାରେ ବିକ୍ରି ଘଟଣା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୃଷିରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ରାଜ୍ୟରେ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପର ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକାରୀ କରାଯାଉଛି। ବିଶ୍ବବ୍ୟାଙ୍କ ଅନୁଦାନରେ ବାଲେଶ୍ବର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ, ନବରଙ୍ଗପୁର, ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଏହା କାର୍ଯ୍ୟକାରୀ ହେଉଛି। ୫୩୮ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧୀନ ୫୬ ହଜାର ୪୦୦ ହେକ୍ଟରର କମାଣ୍ଡ ଏରିଆ, ୭୦ ହଜାର ହେକ୍ଟରର ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳକୁ ଶସ୍ୟଶ୍ୟାମଳା କରାଯିବ। ଏଥିପାଇଁ କୃଷି ବିଭାଗକୁ ମିଳିଥିବା ୧୭୦ କୋଟି ଟଙ୍କାକୁ ୩ ବର୍ଷ(୨୦୨୫) ସୁଦ୍ଧା କାର୍ଯ୍ୟକାରୀ କରିବାକୁ ନିର୍ଦେଶ ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ମୁକାବିଲା ନାମରେ କୃଷି ନିର୍ଦେଶାଳୟ କେବଳ ଗୋଟିଏ ପରେ ଗୋଟିଏ ମେସିନ ଲୁଧିଆନାର ଏକ କମ୍ପାନି ଠାରୁ କିଣିବା ସ୍ଥିତିକୁ ଗୋଳମାଳ କରୁଛି। କୃଷି ଯନ୍ତ୍ର କ୍ରୟ ନେଇ କାହିଁକି ତଦନ୍ତ ନିର୍ଦେଶ ଦିଆଯାଉ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର