ଗଞ୍ଜେଇ ମାଫିଆଙ୍କ ଘରେ ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଆଲିସାନ କୋଠା

ସଇନ୍ତଳା: ଗଞ୍ଜେଇ ମାଫିଆ ବିରୋଧ‌ରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସଇନ୍ତଳା ବ୍ଲକ୍‌ ଫପସି ଛକସ୍ଥିତ ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାର ଆଲିସାନ କୋଠାକୁ ବୁଧବାର ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦେଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଗତ ଜୁନ୍‌ ମାସ ୩ ତାରିଖ ରାତିରେ ଟିଟିଲାଗଡ଼, ବଙ୍ଗୋମୁଣ୍ତା ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଚଢ଼ଉ କରି ଫପସୀ ଗ୍ରାମରୁ ୬ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଘନଶ୍ୟାମ ଜେନାର ଘରୁ ଜବତ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଘନଶ୍ୟାମର ବାପା ସନ୍ତୋଷ ଜେନା ବଡ଼ମାଳ ଗୋଳାବାରୁଦ କାରଖାନା ନିର୍ମାଣ ହେବା ପରେ ବ୍ରହ୍ମପୁର ଅଞ୍ଚଳରୁ ଚାଲିଆସି କାରଖାନାର ଗେଟ୍‌ ନିକଟରେ ସରକାରୀ ଜମିକୁ କବ୍‌ଜା କରି ଘର ନିର୍ମାଣ କରିବା ସହ ସେଠାରେ କବାଡ଼ିଖାନା କରି ପରିବାର ପ୍ରତିପୋଷଣ କରୁଥିଲା। ଗତ ୫ ବର୍ଷ ହେଲା ଘନଶ୍ୟାମ ଉକ୍ତ ଜାଗାରେ ବ୍ୟାପକ ଗଞ୍ଜେଇ କାରବାର କରୁଥିଲା।

ସେହିଭଳି ସରକାରୀ ଜମି ଉପରେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ଏକ ବିରାଟ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲା। ସରକାରୀ ଜମିରେ ଘର ନିର୍ମାଣ କରି ବେଆଇନ ଗଞ୍ଜେଇ ତଥା ନିଶା ବେପାର କରୁଥିବା ଯୋଗୁଁ ପ୍ରଶାସନ ତରଫରୁ ଘର ଭାଙ୍ଗିବା ପାଇଁ ନିର୍ଦେଶ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଗତ ୧୧.୭.୨୦୨୩ ତାରିଖ ଦିନ ସଂପୃକ୍ତ ଘରକୁ ମାସେ ମଧ୍ୟରେ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା। ଗୁରୁବାର ବଲାଙ୍ଗୀର ଏସ୍‌ପି ଖିଲାରୀ ଋଷିକେଶଙ୍କ ନିର୍ଦେଶକ୍ରମେ ସଇନ୍ତଳା ତହସିଲଦାର ତଥା ମାଜିଷ୍ଟ୍ରେଟ ମନସଫିଲ କେରକେଟାଙ୍କ ଉପସ୍ଥିତିରେ ପୁଲିସ ପ୍ରଶାସନ ଜେସିବି ମେସିନ ଲଗାଇ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ଘର ମଧ୍ୟରେ ଥିବା ଆସବାବପତ୍ର ବାହାର କରି ଅନ୍ୟତ୍ର ନେବାକୁ ଗତ ଦୁଇଦିନ ହେଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଣାଇଦିଆଯାଇଥିଲା। ନିଶା ତଥା ଗଞ୍ଜେଇ ବେପାରୀଙ୍କ ଉପରେ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅପରାଧୀ ତଥା ନିଶା ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର