ବଦଳିବ ବଡ଼ଦାଣ୍ଡର ରଙ୍ଗ: ସବୁ କୋଠା ହେବ ଫିକା ଗୋଲାପି, ରଙ୍ଗ ଚୟନ କଲେ ୫-ଟି ଅଧ୍ୟକ୍ଷ

ପୁରୀ: ବଦଳିବ ବଡ଼ଦାଣ୍ଡର ରଙ୍ଗ। ଆସିବ ସମାନତା(ୟୁନିଫର୍ମିଟି)। ସେ ବ୍ୟବସାୟିକ ଘର ହେଉ କି ବ୍ୟକ୍ତିଗତ ଘର, ଗୋଟିଏ ରଙ୍ଗରେ ସଜେଇ ହେବ ସବୁ କୋଠା। ସବୁ କୋଠା ହେବ ଫିକା ଗୋଲାପି। ଆଜି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ପୁରୀ ଗସ୍ତ କାଳରେ ଅଧିକାରୀଙ୍କ ସହ ଆଲୋଚନା କରି ଏହି ରଙ୍ଗ ଚୂଡ଼ାନ୍ତ କରିଛନ୍ତି। ଖୁବଶୀଘ୍ର ବଡ଼ଦାଣ୍ଡରେ ସମାନତା ଆଣିବାକୁ ଏହି ଅଭିଯାନ ଆରମ୍ଭ ହେବ। ବଡ଼ଦାଣ୍ଡରେ ବସବାସ କରୁଥିବା ଅବା ବ୍ୟବସାୟ କରୁଥିବା ଲୋକମାନଙ୍କୁ ସେମାନଙ୍କ କୋଠାର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି। ଯଦି ଲୋକେ ନ କରନ୍ତି, ପ୍ରଶାସନ ଏହି ରଙ୍ଗ କାମ କରିବ, କିନ୍ତୁ ସଂପୃକ୍ତ ଲୋକେ ଏହି ଖର୍ଚ୍ଚ ଭରଣା କରିବେ ବୋଲି ଶୁଣିବାକୁ ମିଳୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏକ ନୂଆ ରୂପରେ ପରସିବାକୁ ଯୋଜନା କରାଯାଇଛି।

ଆଜି ବଡ଼ି ଭୋରରୁ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ଙ୍କ ସହ ଅନ୍ୟ ଅଧିକାରୀମାନେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ପରେ ବଡ଼ଦାଣ୍ଡକୁ ସମାନ ରଙ୍ଗ ଦେବା ପାଇଁ ଶ୍ରୀମନ୍ଦିର କାନ୍ଥରେ ଲାଗିଥିବା ଏକାଧିକ ରଙ୍ଗକୁ ଅନୁଧ୍ୟାନ କରିଥିଲେ। ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଛି। ଓବିସିସି ପକ୍ଷରୁ ନମୁନା ଆକାରରେ ଏହି ରଙ୍ଗ ସବୁ ନମ୍ବରିଂ କରାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରବେଶ ପଥ ଡାହାଣ ପାର୍ଶ୍ବ କାନ୍ଥରେ ଲଗାଯାଇଥିଲା। କାନ୍ଥକୁ ରଙ୍ଗ ବ୍ରସରେ ଠିକା ସଂସ୍ଥାମାନେ ରଙ୍ଗ ଦେଇଥିଲେ। ସବୁ ରଙ୍ଗ ଅନୁଧ୍ୟାନ ପରେ ଫିକା ଗୋଲାପି ରଙ୍ଗ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟୀକରଣ ଓ ସମାନତା ପାଇଁ ଗୋଟିଏ ରଙ୍ଗ ସବୁ କୋଠାକୁ କରିବାକୁ ଯୋଜନା କରାଯାଇଛି। ୫-ଟି ଅଧ୍ୟକ୍ଷ ଆଜି ଆସି ଏହି ରଙ୍ଗ ସବୁ ଦେଖିଥିଲେ। ଫିକା ଗୋଲାପି ଚୟନ କରାଯାଇଛି। ଯଦି ଆବଶ୍ୟକ ପଡ଼େ, ଏହା ବଦଳିପାରେ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ଅରବିନ୍ଦ ଅଗ୍ରୱାଲ୍‌ ପୁରୀ ଜିଲ୍ଲାପାଳ ଥିବା ସମୟରେ ବଡ଼ଦାଣ୍ଡରେ ସମାନତା ଆଣିବାକୁ ପଦକ୍ଷେପ ନିଆଯାଇଥିଲା। ଫିକା ହଳଦିଆ ରଙ୍ଗରେ ବଡ଼ଦାଣ୍ଡର ସବୁ କୋଠାକୁ ରଙ୍ଗ କରାଯାଇଥିଲା। କ୍ରମେ ଏହି ରଙ୍ଗ ସବୁ ଲୁଚିଗଲାଣି। କୋଠାଗୁଡ଼ିକ ବିଭିନ୍ନ ରଙ୍ଗରେ ଘର ରଙ୍ଗ ଦେଲେଣି। ୫୦ ପ୍ରତିଶତ ସ୍ଥାନରେ ଏହି ରଙ୍ଗ ଥିବାବେଳେ ବାକି ଘର ଅନ୍ୟ ରଙ୍ଗକୁ ବଦଳି ଗଲାଣି। ଏଣୁ ପୁଣିଥରେ ବଡ଼ଦାଣ୍ଡରେ ସମାନତା ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର