ଅଢ଼େଇ ଲକ୍ଷରେ ଶିଶୁ ବିକ୍ରି, ମଧ୍ୟସ୍ଥି ଗିରଫ: ଆର୍ଥିକ ଅନଟନରୁ କଠୋର ନିଷ୍ପତ୍ତି ନେଲେ ବାପା-ମା’

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ପୁଣି ଏକ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ରମଜାନ ଶେଖ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରି ଶୁକ୍ରବାର ରାତି‌ ୧୦ଟାରେ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ଝାଙ୍କରପଡ଼ାର ସନ୍ତୋଷ ପୁଟେଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ପୁଟେଲ ଏକ ହୋଟେଲରେ କାମ କରି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ। ପାଖରେ ଏକ ଭଡ଼ାଘରେ ରହୁଥିବା ରମଜାନ ଶେଖ ଓ ତାଙ୍କ ସ୍ତ୍ରୀ ଜରିନା ବେଗମଙ୍କ ସହ ସେମାନଙ୍କର ଉତ୍ତମ ସମ୍ପର୍କ ରହିଥିଲା। ପୁଷ୍ପାଙ୍କର ପୂର୍ବରୁ ୩ଟି ସନ୍ତାନ ଥିବା ବେଳେ ସେ କିଛିଦିନ ପୂର୍ବରୁ ସ୍ଥାନୀୟ ଡାକ୍ତରଖାନାରେ ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଗର୍ଭବତୀ ସମୟରେ ଜରିନା ଗରିବ ପୁଷ୍ପାଙ୍କ ସେବାସୁଶ୍ରୂଷା କରିବା ସହ ୮ହଜାର ଟଙ୍କାର ଔଷଧ ଖର୍ଚ୍ଚ ମଧ୍ୟ ତୁଲାଇଥିଲେ। ତେବେ କରଜରେ ବୁଡ଼ି ରହିଥିବା ସନ୍ତୋଷଙ୍କ ପରିବାରର ଆର୍ଥିକ ଅବସ୍ଥା ଦେଖି ଉକ୍ତ ନବଜାତ ଶିଶୁକୁ ପାଳନ କରିବାକୁ ଜରିନା ନିଜଆଡୁ ପ୍ରସ୍ତାବ ଦେଇଥିଲେ। ପୁଷ୍ପା ମଧ୍ୟ ତାଙ୍କ ଆର୍ଥିକ ସ୍ଥିତିକୁ ଦେଖି ୨ରୁ ୩ ଲକ୍ଷ ଟଙ୍କା ପାଇଲେ ଶିଶୁକୁ ବିକ୍ରି କରିଦେବେ ବୋଲି କହିଥିଲେ।

ଡାକ୍ତରଖାନାରୁ ଫେରିବା ପରେ ଉକ୍ତ ଦମ୍ପତି ରମଜାନ ଓ ଜରିନାଙ୍କ ମଧ୍ୟସ୍ଥତାରେ କଳାହାଣ୍ଡିର ଏକ ନିସନ୍ତାନ ଦମ୍ପତିଙ୍କୁ ଅଢ଼େଇ ଲକ୍ଷ ଟଙ୍କାରେ ଶିଶୁପୁତ୍ରଟିକୁ ବିକ୍ରି କରିଦେଇଥିଲେ। ଏହି କିଣାବିକାରେ ମଧ୍ୟସ୍ଥତା ପାଇଁ କ୍ରେତା ଜରିନା ବେଗମକୁ ୨୦ ହଜାର ଟଙ୍କା ଦେଇଥିଲେ। ଏ ସଂପର୍କରେ ରମଜାନ ରହୁଥିବା ଘରର ଜଣେ ପଡ଼ୋଶୀଙ୍କ ଠାରୁ ପୁଲିସ ସୂଚନା ପାଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା। ଏହା ଜାଣିବା ପରେ ରମଜାନ ଓ ଜରିନା ଫେରାର ହୋଇଯାଇଥିଲେ। ପୁଲିସ ରମଜାନଙ୍କ ଫୋନ୍‌ ଟ୍ରାକ୍‌ କରି ତାଙ୍କୁ ଗତ ୧ ତାରିଖ ରାତିରେ ଗିରଫ କରିଥିଲା। ଗୁରୁବାର ସନ୍ଧ୍ୟାରେ ସ୍ୱାମୀଙ୍କୁ ଦେଖା କରିବାକୁ ଜରିନା ଥାନାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ରାତି ୨ଟା ପର୍ଯ୍ୟନ୍ତ ପୁଲିସ ଅଟକ ରଖିଥିଲା। ଅପରପକ୍ଷରେ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିବାକୁ ପୁଲିସ ଦଳ କଳାହାଣ୍ଡି ଯାଇଥିବା ସୂଚନା ମିଳିଛି। ଏନେଇ ଜରିନାଙ୍କ କହିବା କଥା ହେଲା ଶିଶୁ ଜନ୍ମ ହେବା ସମୟରେ ସେ ଆର୍ଥିକ ସାହାଯ୍ୟ କରିଥିବାରୁ ତାଙ୍କୁ ଖୁସିରେ ପୁଷ୍ପା ପିଲାଟି ଦେଇଥିଲେ। ଏହି କାରବାର ସ୍ଥାନୀୟ କୁମୁଡ଼ା ପାହାଡ଼ ନିକଟରେ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଝାଙ୍କରପଡ଼ାରେ ଏକ ଅଢ଼େଇ ବର୍ଷର ଶିଶୁ ୧୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ଏହି ଦୃଷ୍ଟିରୁ ଏଠାରେ ଏକ ଶିଶୁ ବିକ୍ରି ରାକେଟ୍‌ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର