ପୁଣି ପଦାରେ ପଡ଼ିଲା କଂଗ୍ରେସ ଗୋଷ୍ଠୀ କନ୍ଦଳ

ରାଉରକେଲା: କଂଗ୍ରେସ କନ୍ଦଳର ଏକାଧିକ ନଜିର ରହିଛି। ପୂର୍ବରୁ କନ୍ଦଳ କୋଠରୀ ଭିତରେ ସୀମିତ ରହୁଥିବାବେଳେ ଏବେ ଏହା ସର୍ବସମ୍ମୁଖରେ ହେବାରେ ଲାଗିଛି। କିଛି ଦିନ ପୂର୍ବେ ଚୌକି ପାଇଁ ଦୁଇ ବରିଷ୍ଠ ନେତା ପିଟାପିଟି ହୋଇଥିଲେ। ଆଜି ଦଳର ବିକ୍ଷୋଭ କାର୍ଯ୍ୟକ୍ରମରେ ପୁଣି ମୁଁହାମୁହିଁ ହୋଇଛନ୍ତି ଦଳୀୟ ନେତା।
ହକି ବିଶ୍ୱକପ ନାଁ ରେ ନିମ୍ନମାନର କାମ ଓ ଦୁର୍ନୀତି ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମ ଗେଟ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ତେବେ, ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୂର୍ବତନ ବିଧାୟକ ଓ ଯୁବ କଂଗ୍ରେସ ସଭାପତି ମୁଁହାମୁହିଁ ହେବା ଓ ଉଭୟଙ୍କ ମଧ୍ୟରେ ବଚସା, କଥା କଟାକଟି, ଆକ୍ଷେପ ଓ ପ୍ରତ୍ୟାକ୍ଷେପ ଦେଖିବାକୁ ମିଳିଥିଲା।
ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ ବିରୋଧ କରିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା। ସେଠାରେ ଉପସ୍ଥିତ ଦଳର ସଭାପତି ଦେବବ୍ରତ ବିହାରୀ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ କହିଥିଲେ; କିନ୍ତୁ ଶ୍ରୀ ମହାପାତ୍ର ତାଙ୍କୁ ମଧ୍ୟ କଟାକ୍ଷ କରିଥିଲେ। ଏହାପରେ ଦୁଇ ଗୋଷ୍ଠି ମୁଁହାମୁହିଁ ହୋଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୁଲିସ  ଓ ଅନ୍ୟ ଦଳୀୟ ନେତା ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏମିତିକି ସ୍ମାରକପତ୍ର ପ୍ରଦାନବେଳେ ମଧ୍ୟ ଶ୍ରୀ ମହାପାତ୍ର ଓ ପିସିସି ସମ୍ପାଦକ ପ୍ରବୋଧ ଦାସଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ପ୍ରକାଶଥାଉକି, କିଛି ଦିନ ପୂର୍ବେ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବାବେଳେ ଚୌକିରେ ବସିବାକୁ ନେଇ ଦୁଇ ବରିଷ୍ଠ ନେତା ଭିଡ଼ାଭିଡ଼ି, ଟଣା ଓଟରା, ମୁଥ ମରାମରି ହୋଇଥିଲେ। ଏହି ଘଟଣା ଏଯାଏ ମନରୁ ଲିଭିନଥିବାବେଳେ ଆଜିର ଘଟଣା, ଦଳୀୟ ଅନ୍ତଃକନ୍ଦଳକୁ ପଦାରେ ପକାଇଛି।
ସମ୍ବନ୍ଧିତ ଖବର