ପୋଖରୀରେ ବୁଲୁଥିଲା କୁମ୍ଭୀର; ବର୍ଷେ ପରେ ଉଦ୍ଧାର କଲା ବନ ବିଭାଗ, ଗ୍ରାମବାସୀଙ୍କୁ ମିଳିଲା ଆଶ୍ବସ୍ତି

ବନ୍ତଳା: ଅନୁଗୁଳ ବ୍ଲକ ପୁରୁଣାକୋଟ ଗାଁ ନିକଟରେ ଥିବା ପୋଖରୀ ମଧ୍ୟରେ ବର୍ଷେ ହେଲା ଏକ ମଗର ପ୍ରଜାତିର କୁମ୍ଭୀର ରହିଥିଲା। ଫଳରେ ପୁରୁଣାକୋଟ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ପୋଖରୀରେ ଗାଧୋଉଥିଲେ। ଗଣମାଧ୍ୟମରେ କ୍ରମାଗତ ଭାବେ ଖବର ପ୍ରକାଶିତ ହେଲା ପରେ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ ରବିବାର ଜାଲ ଦ୍ୱାରା କୁମ୍ଭୀରକୁ ପୋଖରୀରୁ ଉଦ୍ଧାର କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀରେ ଗତବର୍ଷ ବନ୍ୟା ଆସିଥିଲା। ଫଳରେ ମହାନଦୀକୁ ସଂଯୋଗ କରୁଥିବା ନନ୍ଦିନୀ ନାଳରେ ଏକ ମଗର କୁମ୍ଭୀର ପାଖାପାଖି ୧୦କିମି ଦୂର ଉଠିଆସିଥିଲା। ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଅନ୍ତର୍ଗତ ପୁରୁଣାକୋଟ ଗାଁ ନିକଟରେ ଥିବା ପୋଖରୀରେ କୁମ୍ଭୀର ପଶି ଯାଇଥିଲା। ଫଳରେ ପୁରୁଣାକୋଟ ଗ୍ରାମର ଲୋକଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ପରେ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଶନିବାର ଦିନ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ କୁମ୍ଭୀରକୁ ଉଦ୍ଧାର କରାଯାଇପାରିନଥିଲା। ରବିବାର ଦ୍ଵିତୀୟ ଦିନରେ ଏହି କୁମ୍ଭୀରକୁ ବନ ବିଭାଗ ପୋଖରୀ ମଧ୍ୟରୁ ଉଦ୍ଧାର କରିଛି। ପୁରୁଣାକୋଟ ଗ୍ରାମବାସୀଙ୍କୁ ଆଶ୍ବସ୍ତି ମିଳିଛି। ତେବେ କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ମହାନଦୀରେ ଛାଡି ଦିଆଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର