ଭୁବନେଶ୍ବରରେ ପହଞ୍ଚିଲା ଐତିହାସିକ ‘ଡାକୋଟା’ ବିମାନ

କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବହୁ ଦୁଃସାହସିକ ଅଭିଯାନରେ ବ୍ୟବହାର କରିଥିବା ଡାକୋଟା ବିମାନ ଆଜି ଭୁବନେଶ୍ବରରେ ପହଞ୍ଚିଛି।। କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ ଭୁବନେଶ୍ବରକୁ ୩ଟି ଲରିରେ ଡାକୋଟା ବିମାନକୁ ଅଣାଯାଇଛି। ଡାକୋଟା ବିମାନଟିକୁ ମରାମତି କରାଯିବା ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ପ୍ରଦର୍ଶିତ କରାଯିବ।

ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ବିଜୁବାବୁଙ୍କ ବିମାନକୁ ଦେଖିବା ପାଇଁ କଟକରେ ପ୍ରବଳ ଭିଡ଼ ଲାଗିଥିଲା। ଜଗତପୁର, ଶିଖରପୁର, ମଧୁପାଟଣା ମୁଖ୍ୟ ରାଜପଥ ଦେଇ ଡାକୋଟା ଭୁବନେଶ୍ୱର ଅଭିମୁଖେ ଆସିଥିଲା।

ତେବେ କଟକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଡାକୋଟା ବିମାନକୁ କଟକ ଆନନ୍ଦ ଭବନରେ ରଖିବା ପାଇଁ ଦାବି ହୋଇଛି। ଏହାସହ କଟକ ଆନନ୍ଦ ଭବନରେ ଡାକୋଟାକୁ ରଖିବା ପାଇଁ ସରକାରୀ ସ୍ତରରେ ଆଲୋଚନା ଜାରି ରହିଛି । ତେବେ କଟକରେ ଡାକୋଟା ପହଁଇବା ପରେ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଛି।

ଗୌରବମୟ ଡାକୋଟାକୁ ଓଡ଼ିଶାରେ ପାଇ ଓଡ଼ିଆ ଲୋକେ ଗର୍ବ ଅନୁଭବ କରିବା ସ୍ବାଭାବିକ। ବିମାନଟିର ଲମ୍ବ ୬୪ ଫୁଟ ୮ ଇଞ୍ଚ । ଏହି ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ। ୧୯୪୭ରେ ଡଚମାନେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଏହି ବିମାନରେ ଯାଇ ଉଦ୍ଧାର କରିଥିଲେ। ତାଙ୍କର ଏହି ଦୁଃସାହାସିକତା ପଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଆଖ୍ୟା ଦେଇଥିଲେ। ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ।

ସମ୍ବନ୍ଧିତ ଖବର