ଦିନ ତାପମାତ୍ରା ବଢ଼ିବ: ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୁରୁବାର ଓ ଶୁକ୍ରବାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୪ ବେଳକୁ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବାକୁ ଥିବା ବେଳେ ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଦିନର ତାପମାତ୍ରା ପୁଣିଥରେ ଉପର ମୁହାଁ ହୋଇଛି। ଆଜି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ୩୫.୬, ବୌଦ୍ଧରେ ୩୫, ପାରଳାଖେମୁଣ୍ଡିରେ ୩୫, ଜଗତ୍‌ସିଂହପୁରରେ ୩୪.୬, କଟକରେ ୩୪.୫, ରାୟଗଡ଼ାରେ ୩୪.୪, ଚାନ୍ଦବାଲି, ଭଦ୍ରକ ଓ ନବରଙ୍ଗପୁରରେ ୩୪.୨, ଢେଙ୍କାନାଳରେ ୩୪ ଡିଗ୍ରି ରହିଥିଲା। ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି। ଗତ ୩୬ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ଜିଲ୍ଲା ତିରିଙ୍ଗରେ ୪୭.୨ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ୪୨, ଢେଙ୍କାନାଳାର ହିନ୍ଦେଳରେ ୪୦, ବରଗଡ଼ରେ ୩୯.୪, କଳାହାଣ୍ଡି ଜିଲ୍ଲାର କୋକସରାରେ ୩୭, ବରଗଡ଼ ଜିଲ୍ଲାର ସୋହେଲାରେ ୩୨ ମିମି ବର୍ଷା ହୋଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ ଉପକୂଳରେ ତାପମାତ୍ରା ବଢ଼ିବ। ମାର୍ଚ୍ଚ ୩ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ଅତିକ୍ରମ କରିପାରେ। ୪ ଓ ୫ ତାରିଖରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରି ବଢ଼ିପାରେ। ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ। ତେବେ ମାର୍ଚ୍ଚ ୩ରେ ପାଗ ଆଂଶିକ ମେଘୁଆ ସହ ବର୍ଷାର ସମ୍ଭାବନା ରହିଥିବାରୁ ୩ ଓ ୪ରେ ତାପମାତ୍ରାରେ କିଛି ମାତ୍ରାରେ କମିବ। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ୩ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିପାରେ। ଉପକୂଳ ଅଞ୍ଚଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସକାଳେ କୁହୁଡ଼ି ହେବ। ବର୍ତ୍ତମାନ ପାଗରେ ବିଭିନ୍ନ ଫସଲରେ ପାଉଁଶିଆ ରୋଗ ହେବାର ସମ୍ଭାବନା ରହିଛି। ଏଥିସହ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳସେଚନର ଆବଶ୍ୟକତା ବଢ଼ିବ।

ସମ୍ବନ୍ଧିତ ଖବର