ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ରେ ଯବାନଙ୍କ ଝୁଲନ୍ତା ମୃତଦେହ, ଫେବ୍ରୁଆରି ୨୬ରେ ଥିଲା ବାହାଘର

ରାଉରକେଲା: ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ ପରିସରସ୍ଥ ଏକ ଗଛରୁ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ସାହିଲ କୁମାର (୩୧)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବିବାହ ପାଇଁ ନିର୍ବନ୍ଧ ସାରି ଗତ ଦୁଇଦିନ ତଳେ ସେ କ୍ୟାମ୍ପକୁ ଫେରିଥିବାରୁ ତାଙ୍କର ଆତ୍ମହତ୍ୟା ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୃତ୍ୟୁ ପଛରେ ପାରିବାରିକ କଳିଝଗଡ଼ା ନା ଅନ୍ୟ କିଛି କାରଣ ରହିଛି ପୁଲିସ ତା’ର ଖୋଳତାଡ କରୁଛି। ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ଆସନ୍ତାକାଲି (ଶୁକ୍ରବାର) ପରିବାର ଲୋକ ରାଉରକେଲାରେ ପହଞ୍ଚିବାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ମୁତାବକ ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ସାହିଲଙ୍କର ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପକୁ ବଦଳି ହୋଇଥିଲା। ତାଙ୍କୁ କ୍ୟାମ୍ପ ଅଧିକାରୀ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସୁରକ୍ଷା ଦାୟିତ୍ବରେ ନିୟୋଜିତ କରିଥିଲେ। ଆସନ୍ତା ଫେବ୍ରୁଆରି ୨୬ରେ ତାଙ୍କର ବିବାହ ଧାର୍ଯ୍ୟ ହୋଇଥିଲା। ନିର୍ବନ୍ଧ ପାଇଁ ଗତ ଦୁଇ ସପ୍ତାହ ତଳେ ସାହିଲ ଛୁଟିନେଇ ଘରକୁ ଯାଇଥିଲେ। ନିର୍ବନ୍ଧ କାମ ଦୁଇ ଦିନ ପୂର୍ବେ ରାଉରକେଲା ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ। ପ୍ରତିଦିନ ପରି ବୁଧବାର ରାତିରେ ସାହିଲ ଅନ୍ୟ ସହଯୋଗୀଙ୍କ ସହ କ୍ୟାଣ୍ଟିନ୍‌ରେ ଖାଇବା ପରେ ଶୋଇବାକୁ ଯାଇଥିଲେ। ଗୁରୁବାର ସକାଳେ ସାହିଲ ରୁମ୍‌ରେ ନଥିବା ଦେଖି ସାଙ୍ଗମାନେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ରୁମ୍‌ରେ ତାଙ୍କୁ ପାଇନଥିଲେ। କିଛି ଯବାନ ପ୍ରାତଃଭ୍ରମଣ କରୁଥିବାବେଳେ କ୍ୟାମ୍ପସ୍‌ ପରିସରସ୍ଥ ଗଛରେ ସାହିଲଙ୍କ ଶବ ଝୁଲୁଥିବା ଦେଖି ଆଶ୍ଚର୍ଯ୍ୟ ‌ହୋଇଯାଇଥିଲେ। ତୁରନ୍ତ ଘଟଣା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଓ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଶବଉଦ୍ଧାର କରିଥିଲା। ସିଆଇଏସ୍‌ଏଫ୍‌ ଅଧିକାରୀ ଓ ଯବାନଙ୍କ ବୟାନ ତଥା ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର