ଜିଲ୍ଲାପାଳଙ୍କ ଡେପୁଟେସନ ନିର୍ଦ୍ଦେଶକୁ ଫୁ; ତୁରନ୍ତ ରିଲିଭ ପାଇଁ ଜିଲ୍ଲା ପରିଷଦ ସିଡିଓଙ୍କୁ ଦାବିପତ୍ର

ରାୟଗଡା: ରାୟଗଡା ଜିଲ୍ଳାର କଲ୍ୟାଣସିଂହପୁର ଓ ରାୟଗଡା ବ୍ଳକରେ ସରକାରଙ୍କ ସାମଗ୍ରୀକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ସୂଚାରୁ ରୂପେ ପରିଚାଳନା ପାଇଁ ଜିଲ୍ଳାପାଳ ରାୟଗଡା ଜିଲ୍ଲାର ଉଭୟ ବ୍ଳକର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ)ଙ୍କୁ ଜିଲ୍ଳା ପରିଷଦ କାର୍ଯ୍ୟାଳୟ ଚିଠି ସଂଖ୍ୟା ୬୨୯୮/୦୮/୧୨/୨୩ ପ୍ରକାରେ ଡେପୁଟେସନପେ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏଥିରେ ରାୟଗଡା ବ୍ଳକ ଏଇଇ ଏ.ସନମୁଖା ପାତ୍ରଙ୍କୁ କଲ୍ୟାଣସିଂହପୁର ଏବଂ କଲ୍ୟାଣସିଂହପୁର ବ୍ଳକ ଏଇଇ ସବ୍ୟସାଚୀ ନାୟକଙ୍କୁ ରାୟଗଡା ବ୍ଳକକୁ ଡେପୁଟେସନ୍ କରାଯାଇଥିଲା।

ରାୟଗଡା ଜିଲ୍ଳା ପରିଷଦ କାର୍ଯ୍ୟାଳୟ ନିର୍ଦ୍ଦେଶ ଚିଠିରେ ୧୧ ଡିସେମ୍ବର ଅପରାହ୍ନ ସୁଦ୍ଧା ଉଭୟ ବ୍ଳକର ଏଇଇ ଦ୍ୱୟଙ୍କୁ ରିଲିଫ କରିବା ପାଇଁ ବିଡିଓଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ କରିଥିବା ବେଳେ ଆଜକୁ ୪୨ଦିନ ଅର୍ଥାଥ୍ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଜିଲ୍ଳାପାଳଙ୍କ ଡେପୁଟେସନ୍ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଗଲାନି, ଯାହାକୁ ନେଇ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକୁ ଅଧିକାରୀମାନେ ଫୁ’ କରିଦେଇଥିବା ସ୍ପଷ୍ଟବାରି ହେଉଛି। ଉଭୟ ଏଇଇ ନିଜ ନିଜ ବ୍ଳକ କାର୍ଯ୍ୟାଳୟରୁ ରିଲିଫ ହେଲେନାହିଁ।

କଲ୍ୟାଣସିଂହପୁର ବ୍ଳକରେ ବିଡିଓ ନୂତନ ଭାବେ ଯୋଗ ଦେଇଥିବା ବେଳେ ୨ଜଣ କନିଷ୍ଠ ଯନ୍ତ୍ରୀ ମଧ୍ୟ ନୂତନ ଭାବେ ନିଯୁକ୍ତ ହୋଇଛନ୍ତି। ନୂତନ ଭାବେ ବ୍ଳକରେ ୩ଜଣ ଯୋଗ ଦେଇଥିବା ବେଳେ ପୁରୁଣା କର୍ମଚାରୀ ଏଇଇ ଶ୍ରୀ ନାୟକ ଯଦି ଡେପୁଟେସନରେ ଚାଲି ଯାଆନ୍ତି ତାହା ହେଲେ ବିକାଶମୂଳକ କାର୍ଯ୍ୟକାରିତାରେ ନିଶ୍ଚିତ ଭାବେ ଅସୁବିଧା ଉପୁଜିବ ବୋଲି ବିଡିଓ ରାଜୀବ ଦାସ ପ୍ରକାଶ କରିଛନ୍ତି। ଏଇଇ ଶ୍ରୀ ନାୟକଙ୍କ ଡେପୁଟେସନ୍ ବିଷୟରେ ସେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁରଙ୍କୁ ଅବଗତ କରାଇଥିବା କହିଛନ୍ତି।

ତେବେ ରାୟଗଡା ବ୍ଳକରେ ଥିବା ଏଇଇ ଶ୍ରୀ ପାତ୍ରଙ୍କ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ବିଳମ୍ବତା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଯୋଗୁଁ ପଂଚାୟତଗୁଡିକରେ ଚାଲିଥିବା ପ୍ରକଳ୍ପଗୁଡିକର ବିଲିଂ କାର୍ଯ୍ୟ ସମାପ୍ତ ନ ହୋଇ ପଡି ରହୁଛି ବୋଲି ଅଭିଯୋଗ ଆଣିଛନ୍ତି ସରଂପଚ, ସମିତି ସଭ୍ୟମାନେ। ଏନେଇ ଶନିବାର ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କହଁରଙ୍କୁ ବ୍ଳକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟମାନେ ଦାବିପତ୍ର ପ୍ରଦାନ କରି ଏଇଇ ଶ୍ରୀ ପାତ୍ରଙ୍କୁ ବ୍ଳକରୁ ତୁରନ୍ତ ରିଲିଫ ଏବଂ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଛନ୍ତି। ଏଇଇ ଶ୍ରୀ ପାତ୍ରଙ୍କ ଉଦ୍ଦେଶ୍ୟମୂଳକ ବିଳମ୍ବତା କାରଣରୁ କନିଷ୍ଠ ଯନ୍ତ୍ରୀମାନଙ୍କ ମଧ୍ୟରେ କାର୍ଯ୍ୟ ଦକ୍ଷତା ହ୍ରାସ କରିବାରେ ମଧ୍ୟ ସହାୟକ ହେଉଥିବା ଦାବିପତ୍ରରେ ଉଲ୍ଳେଖ ରହିଛି।

ସଡ଼କ, ପରିମଳ ସୁବିଧା ଏବଂ ଜଳ ଯୋଗାଣ ପ୍ରକଳ୍ପ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପ କାର୍ଯ୍ୟର ଅସଂପୂର୍ଣ୍ଣତାର ପରିଣାମ ବ୍ଳକ ବାସିନ୍ଦାଙ୍କ ଜୀବନ ଓ କଲ୍ୟାଣ ଉପରେ ପ୍ରଭାବ ପକାଉଛି। ପ୍ରକଳ୍ପଗୁଡିକ ଠିକ୍ ସମୟରେ ସମାପ୍ତ ହେବାରେ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ସାଜିଛନ୍ତି। ଏଇଇ ଏବଂ ଅଂଚଳର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି ବୋଲି ସରଂପଚ, ସମିତିସଭ୍ୟମାନେ ଅଭିଯୋଗ କରିଛନ୍ତି। ଏଇଇ ଶ୍ରୀ ପାତ୍ରଙ୍କୁ ଡିସେମ୍ବର ମାସରେ ହିଁ ରିଲିଫ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ କରିଥିବା ବେଳେ ରାୟଗଡା ବିଡିଓ କାହିଁକି ତାଙ୍କୁ ରିଲିଫ କରିନାହାନ୍ତି ବୋଲି ପ୍ରଶ୍ନ ଉଠିଥିବା ବେଳେ ଏ ନେଇ ରାୟଗଡା ବିଡିଓଙ୍କ କୈାଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ତୁରନ୍ତ ରାୟଗଡା ବ୍ଳକ କାର୍ଯ୍ୟାଳୟରୁ ଏଇଇଙ୍କୁ ତାଙ୍କ କାର୍ଯ୍ୟରୁ ମୁକ୍ତ କରିବାରେ ହସ୍ତକ୍ଷେପ କରିବାକୁ ସରପଂଚ ଅଶୋକ କୁମାର ପୁଆଲା, ଟୁଟୁ ତାଡିଙ୍ଗି, ସୁଶିଲା ପୁଆଲା, ଶ୍ରୀନୁ ପୁଆଲା, କାମେଶ୍ୱର ତାଡିଙ୍ଗି, ସମିତି ସଭ୍ୟ ଭୂଷଣ ବିଡିକାଙ୍କ ସମେତ ଅନ୍ୟମାନେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମ ପଂଚାୟତର ମୁଖ୍ୟ ସରପଂଚ ଓ ସମିତି ସଭ୍ୟମାନେ ଏଇଇଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗ ଏବଂ ତୁରନ୍ତ ରିଲିଫ ପାଇଁ କରିଥିବା ଅନୁରୋଧକୁ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କେତେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର