ନିଷ୍ଠୁର ନିଦାଘ, ରଜ ଦୋଳି ଫାଙ୍କାଫାଙ୍କା

କାଳିଆପାଣି : ରଜପାଗ ଉଭାନ୍‌। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ଖଣିଅଞ୍ଚଳ। ପ୍ରଥମ ରଜ ଓ ସଂକ୍ରାନ୍ତିରେ ନିଷ୍ଠୁର ନିଦାଘ ଦାଉ ସାଜିଛି। ସତେ ‌ଯେମିତି ଆକାଶରୁ ଅଗ୍ନି ବର୍ଷୁଛି। ଗୁରୁବାର ଦିନ କାଳିଆପାଣିରେ ଦିନର ସର୍ବୋଚ୍ଚ ତାପମାତ୍ରା ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଆଖପାଖ ଜଙ୍ଗଲରେ ଗଛ ବି ଝାଉଁଳି ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରକୃତି କୋପରୁ ଏଠାରେ ଗଣପର୍ବ ରଜ ଫିକା ପଡ଼ିଛି। ଅଧିକାଂଶ ସ୍ଥାନରେ ଝୁଲୁଥିବା ଦୋଳିସବୁ ଫାଙ୍କା ପଡ଼ୁଛି। ଝିଅବୋହୂ ଘରୁ ବାହରିବାକୁ ଡରୁଛନ୍ତି।

କଅଁସ ପଞ୍ଚାୟତ ସାରୁଆବିଲ ରଜ ମହୋତ୍ସବ ପଡ଼ିଆରେ ୩୬ଟି ଦୋଳି ଲାଗିଥିଲେ ମଧ୍ୟ ସକାଳ ୯ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଡ଼ିଆରେ ‌ଝିଅବୋହୂଙ୍କ ଦେଖା ମିଳିନଥିଲା। ଶେଷରେ କୁମାରୀ ଓ ମହିଳାଙ୍କ ଅନୁରୋଧକ୍ରମେ ସନ୍ଧ୍ୟାରୁ ଆଲୋକ ବ୍ୟବସ୍ଥାରେ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଦୋଳିଖେଳ କରାଯାଇଥିବା କହନ୍ତି ମୁଖ୍ୟ ଆୟୋଜକ ପଞ୍ଚାୟତ ଯୁବବିଜେଡି ସଭାପତି ସୁଶାନ୍ତ ପ୍ରଧାନ। ସୂର୍ଯ୍ୟାସ୍ତ ପରେ ପାରମ୍ପରିକ ରଜଦୋଳି ଖେଳ ପ୍ରଥାର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ ବିପରୀତ ପାଣିପାଗ ପାଇଁ ଏହାକୁ ଏଡ଼ାଇଯିବାକୁ ପଡ଼ିଛି ବୋଲି କୁହାଯାଇଛି।

ଖଣିଅଞ୍ଚଳରେ ସରକାର ଓ ଖଣି କର୍ତ୍ତୃପକ୍ଷ ଖଣିଜ ଉତ୍ପାଦନକୁ ପ୍ରାଥମିକତା ଦେଇଆସୁଥିବା ସ୍ଥଳେ ଜଙ୍ଗଲ କ୍ଷୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ପରିବେଶ ସନ୍ତୁଳନରେ ସାମାଜିକ ବନୀକରଣ ଆଶାନୁରୂପ ହୋଇପାରିନି। ପ୍ରତିଦିନ ବେଉସା ଓ ଚାଷବାସ ନାଁରେ ବ୍ୟାପକ ଜଙ୍ଗଲ କଟାଯାଉଛି। କ୍ଷୟ ଜଙ୍ଗଲର ଭରଣା ପାଇଁ ନାଁକୁ ମାତ୍ର ବୃକ୍ଷ‌ରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ବିଗତ ଦିନରେ ଲଗା ଯାଇଥିବା ଚାରାଗଛରୁ ମାତ୍ର ୨୦ ପ୍ରତିଶତ ବଞ୍ଚି ରହିଥିବା ନେଇ ପରିବେଶବିତ୍‌ମାନେ ଅଭିଯୋଗ କରନ୍ତି। ପୁନଶ୍ଚ ଖଣିଅଞ୍ଚଳରେ ନିୟମିତ କୋଠାବାଡ଼ି ଓ କଂକ୍ରିଟ୍‌ ରାସ୍ତା ନିର୍ମାଣ ଆଳରେ ଗଛକଟା ଅବ୍ୟାହତ ରହିଛି। ବର୍ଷକୁ ବର୍ଷ ‌‌ରେକର୍ଡ ତାପପାତ୍ରା ବୃଦ୍ଧି ଚିନ୍ତାର କାରଣ ହୋଇଛି। ଯାହାକି ମୌସୁମୀ ପ୍ରବାହକୁ ପ୍ରଭାବିତ କରୁଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଜନସାଧାରଣ ଏଥିପ୍ରତି ସଚେତନ ରହିଲେ ହିଁ ପରିବେଶରେ ପରିବର୍ତ୍ତନ ଆସିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର