ଅଭିଯୋଗ ପରେ ବି ଲୋକଙ୍କୁ ମିଳୁନି ପଲିଥିନ୍‌: ବର୍ଷାରେ ଭିଜି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ବିଲେଇମରା ଗାଁରେ ଲଗାଣ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଭଙ୍ଗା ଦଦରା ଘରେ ବହୁ କଷ୍ଟରେ ଲୋକେ ରହୁଛନ୍ତି। ପଲିଥିନ ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କଲେ ମଧ୍ୟ ତାହା ମିଳୁ ନାହିଁ। ତେଣୁ ଏହାର ପ୍ରତିବାଦରେ ବୁଧବାର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ ବର୍ଷା‌ରେ ଭିଜି ଭିଜି ଗାଁ ମଝିରେ ଧାରଣା ଦେଇଥିଲେ।

ଶ୍ରୀମତୀ ଦାସଙ୍କ ଅଭିଯୋଗ ଅନୁସାରେ, ବିଲେଇମରା ଗାଁରେ ଅଧିକାଂଶ ଲୋକଙ୍କ ମାଟିଘର ରହିଛି। ଏଣୁ ଲୋ‌କଙ୍କୁ ପଲିଥିନ ଯୋଗାଇ ଦେବାକୁ ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, ତହସିଲଦାର ତାଙ୍କ କଥା ନଶୁଣି ଅସମ୍ମାନ କରିଥିବା ସେ ଅଭିଯୋଗ କରିଛନ୍ତି। ପରେ ଶ୍ରୀମତୀ ଦାସ ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ଅବଗତ କରାଇ ଶୀଘ୍ର ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ବୁଧବାର ଶ୍ରୀମତୀ ଦାସ ବିଲେଇମରା ଗାଁକୁ ଯାଇଥିବା ସମୟରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏଯାଏ ପଲିଥିନ ଯୋଗେଇ ଦିଆଯାଇ ନଥିବା ଜାଣିବାକୁ ପାଇଥିଲେ। ଏହାର ପ୍ରତିବାଦରେ ସେ ଗାଁ ମଝିରେ ବର୍ଷାରେ ଭିଜି ଭିଜି ଧାରଣାରେ ବସିଥିଲେ।

ମଧ୍ୟାହ୍ନରେ ଧୂମାଭଟା ଆର୍‌ଆଇ ଗାଁରେ ପହଞ୍ଚି ଶ୍ରୀମତୀ ଦାସଙ୍କ ସହ ଆଲୋଚନା କରିବା ସହ ଘର ଘର ବୁଲି ପଲିଥିନ ବାଣ୍ଟିଥିଲେ। ତଥାପି ଶ୍ରୀମତୀ ଦାସ ଧାରଣାରୁ ଉଠିନଥିଲେ। ପ୍ରଶାସନିକ ଅଧିକାରୀଙ୍କଠାରୁ ପକ୍କା ଘରର ପ୍ରତିଶ୍ରୁତି ନମିଳିବା ଯାଏ ସେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ବେଲପଡ଼ା ବିଡିଓ ଭିକ୍ଟର ସୋରେନ ଅପରାହ୍ନରେ ପହଞ୍ଚି ଶ୍ରୀମତୀ ଦାସଙ୍କ ସହ ଆଲୋଚନା କରିଥିଲେ। ବିଡିଓଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଶ୍ରୀମତୀ ଦାସ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର