ସ୍ବାସ୍ଥ୍ୟସେବାକୁ ନେଇ ମୁହଁାମୁହିଁ ପ୍ରସଙ୍ଗ: ଖୋଲା ବିତର୍କ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

‘ସମ୍ବଲପୁରସ୍ଥିତ ମା’ ସମଲେଇଙ୍କ ପୀଠରେ ଖୋଲାମଞ୍ଚ ହେଉ’

କୁଚିଣ୍ଡା: ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଗତକାଲି ବିଜେପି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା।‌ ଆଜି କୁଚିଣ୍ଡା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣିଥରେ ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେବଳ ସେତିକି ନୁହେଁ, ସମ୍ବଲପୁରସ୍ଥିତ ମା’ ସମଲେଇଙ୍କ ପୀଠରେ ଏକ ଖୋଲାମଞ୍ଚ ସାର୍ବଜନୀନ ବିତର୍କ କରି ଆମ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଶ୍ରୀ ପ୍ରଧାନ ବିଜେଡିକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କୁଚିଣ୍ଡା ଗସ୍ତରେ ଆସିଥିବା ରାଜ୍ୟର ସ୍ବାସ୍ଥ୍ୟ ପ୍ରସଙ୍ଗ ଉଠାଇଥିଲେ। ସେ କହିଥି‌ଲ, ଡାକ୍ତରଖାନାରେ ମଂଜୁରିପ୍ରାପ୍ତ ପଦବି ଖାଲିପଡ଼ିଛି। ଶିଶୁ ଅପପୁଷ୍ଟି, ରକ୍ତହୀନତାର ଶୀକାର ହେଉଛି। ସମ୍ବଲପୁରରେ ୪୦.୭ ପ୍ରତିଶତ ଶିଶୁ ବୟସ ତୁଳନାରେ କମ୍‌ ଉଚ୍ଚତାର, ୨୫.୫ ପ୍ରତିଶତ ଶିଶୁ ଉଚ୍ଚତା ଅନୁସାରେ କମ୍‌ ଓଜନର, ୩୬.୩ ପ୍ରତିଶତ ଶିଶୁ ଜନ୍ମ ବେଳେ କମ୍‌ ଓଜନର ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ୬୪.୫ ପ୍ରତିଶତ ଶିଶୁ ଏବଂ ୬୬.୭ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ଅଟନ୍ତି। ଏଥିସହିତ, ଶ୍ରୀ ପ୍ରଧାନ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଥିଲେ। କୁଚିଣ୍ଡା ଉପଖଣ୍ଡରେ ସ୍ୱୀକୃତ ୧୪୯ ଡାକ୍ତର ପଦବିରୁ ମାତ୍ର ୪୮ ଜଣ ଡାକ୍ତର ଅଛନ୍ତି, ୧୦୧ ଡାକ୍ତର ପଦ ଖାଲି।

‘ସମ୍ବଲପୁରସ୍ଥିତ ମା’ ସମଲେଇଙ୍କ ପୀଠରେ ଖୋଲାମଞ୍ଚ ହେଉ’
‘ଆମ ପ୍ରଶ୍ନର ଉତ୍ତର ରଖନ୍ତୁ ରାଜ୍ୟ ସରକାର, ବିଜେଡି’

କୁଚିଣ୍ଡା ସବ୍ ଡିଭିଜନ୍ ହସ୍ପିଟାଲରେ ସ୍ୱୀକୃତ ୧୮ଟି ବିଶେଷଜ୍ଞ ପଦରୁ ମାତ୍ର ୧୧ ଜଣ ଡାକ୍ତର ଅଛନ୍ତି। ସ୍ତ୍ରୀରୋଗ ବିଶେଷଜ୍ଞ ପଦ ଏବେ ବି ଖାଲି। ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୬୫ଟି ଡାକ୍ତର ପଦ ଖାଲିପଡ଼ିଥିବା ଏକ ଚିତ୍ର ଦେଇଥିଲେ। ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ସେ ପ୍ରଶ୍ନ କରିଥିଲେ। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ, ଆୟୁଷ୍ମାନ ଭବ, ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ହୋଇଯିବେ, ଏହି ଡର ସରକାରଙ୍କୁ ଘାରିଛି। କେନ୍ଦ୍ରମନ୍ତ୍ରୀ ଏଠାରେ ବିଶାଳ ବାଇକ୍ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ। ଏହାପୂର୍ବରୁ ସେ କୁଚିଣ୍ଡାର ପୁରାତନ ଜଗନ୍ନାଥ ମନ୍ଦିର ଓ ମହାବୀର ରଘୁନାଥ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । କୁଚିଣ୍ଡା ଶ୍ରମିକ ଭବନରେ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ସମାବେଶରେ ବିଜେପିର ବିଧାନସଭା ପ୍ରାର୍ଥୀ ରବିନାରାୟଣ ନାୟକ, ଗୋବିନ୍ଦ ଅଗ୍ରୱାଲ, ପ୍ରମୋଦ ରଥ, କାହ୍ନୁଚରଣ ନାୟକ, ଅରୁଣ ଅଗ୍ରୱାଲ, ମହେଶ ରାୟ, ପ୍ରାଣବନ୍ଧୁ ନାଥ, ସଚ୍ଚିତା ଶର୍ମା, ଜୀବନ ଚୈତନ୍ୟ ବାବା, ପୂର୍ଣ୍ଣଚନ୍ଦ୍ର ପଟେଲ, ସୁଶୀଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର