ନକଲି ସାର୍ଟିଫିକେଟ୍‌ ଲିଙ୍କ: ବିନୀତ ନାଏକ ପାଇଁ ଆତ୍ମହତ୍ୟା କରିଥିଲେ ଯୁବକ

ଜମି ବିକି ଚାକିରି ପାଇଁ ୬ ଲକ୍ଷ ଟଙ୍କା ଦେଇଥିଲେ, ତାଙ୍କ ମୃତ୍ୟୁ ପାଇଁ ବିନୀତକୁ ଦାୟୀ କରିଥିଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଲାଙ୍ଗୀର ନକଲି ସାର୍ଟିଫିକେଟ ଲିଙ୍କ୍‌ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଲାଙ୍ଗୀର ଘଟଣାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ସହିତ ସହଯୋଗୀ ଥିବା କଳାହାଣ୍ଡିର ବିନୀତ ନାଏକ ଜିଲ୍ଲାର ବହୁ ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛି। ଏପରିକି କର୍ଲାମୁଣ୍ଡାର ଜଣେ ଯୁବକ ଶ୍ରୀକାନ୍ତ ମଲ୍ଲିକ ଜମି ବିକ୍ରି କରି ଏମ୍‌ସିଏଲ୍‌ରେ ଚାକିରି କରିବା ନିମନ୍ତେ ବିନୀତକୁ ୬ ଲକ୍ଷ ଟଙ୍କା ଦେଇଥିଲେ। ଚାକିରି ମିଳି ନଥିଲା କି ଟଙ୍କା ଫେରି ପାଇ ନଥିଲେ। ସେ ଆତ୍ମହତ୍ୟା କରି ବିନୀତ ଦାୟୀ ବୋଲି ଦର୍ଶାଇ ସୁଇସାଇଡାଲ୍‌ ନୋଟରେ ଉଲ୍ଲେଖ କରିଥିଲେ।

ବର୍ତ୍ତମାନ ବିନୀତ ଜେଲ୍‌ରେ ଥିବା ବେଳେ ଏହି ଘଟଣାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଦୁଲକିବନ୍ଧର ବିନୀତ ନାଏକ ଏମ୍‌ସିଏଲ୍‌ କମ୍ପାନିରେ ଚାକିରି କରାଇ ଦେବେ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାର ମଦନପୁର ରାମପୁର ଥାନା କର୍ଲାମୁଣ୍ଡାର ଶ୍ରୀକାନ୍ତ ମଲ୍ଲିକ ଏମ୍‌ସିଏଲ୍‌ରେ ଚାକିରି ନିମନ୍ତେ ବିନୀତ ସହିତ ଯୋଗାଯୋଗ କରିଥିଲେ। ଏହି ଚାକିରି ପାଇଁ ୬ ଲକ୍ଷ ଟଙ୍କା ସେ ମାଗିଥିଲା।

ଶ୍ରୀକାନ୍ତ ଜମି ବିକ୍ରି କରି ୬ ଲକ୍ଷ ଟଙ୍କା ଆଣି ୨୦୨୦ ମସିହା ଡିସେମ୍ବର ୨୫ ତାରିଖ ଦିନ ବିନୀତକୁ ଦେଇଥିଲେ। ଏହା ପରେ ୨ ବର୍ଷ ଧରି ବାରମ୍ବାର ଚାକିରି ପାଇଁ ସେ ନେହୁରା ହୋଇଥିଲେ। ଚାକିରି ନମିଳିବା ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଚାକିରି ତ ହେଲା ନାହିଁ ଜମି ବିକିଥିବା ଟଙ୍କା ମଧ୍ୟ ହଡ଼ପ ହୋଇଗଲା। ଅନ୍ୟ ଘଟଣାଗୁଡ଼ିକରେ ବିନୀତ ନାଏକ ୨୦୨୨ ମସିହା ଜୁଲାଇ ୧୫ ତାରିଖରେ ଭବାନୀପାଟଣା ଜେଲ୍‌କୁ ଯାଇଥିଲା। ଏହା ପରେ ଟଙ୍କା ଫେରସ୍ତ ହେବାର ଆଶା ମଉଳି ଯାଇଥିଲା। ବାରମ୍ବାର ‌ଘରେ ଏନେଇ ମନସ୍ତାପରେ ଶ୍ରୀକାନ୍ତ ରହୁଥିଲେ। କିଛି ଟଙ୍କା ଧାର କରଜ କରି ମଧ୍ୟ ଆଣିଥିଲେ। ଟଙ୍କା ପରିଶୋଧ କରିବା ପାଇଁ କୌଣସି ଉପାୟ ପାଇ ନଥିଲେ।

ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଶ୍ରୀକାନ୍ତ ଏକ ସୁଇସାଇଡାଲ ନୋଟ ଲେଖିଥିଲେ। ଏଥିରେ ବିନୀତ ନାଏକ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଶ୍ରୀକାନ୍ତ ମଲ୍ଲିକଙ୍କ ଆତ୍ମହତ୍ୟା ନେଇ କର୍ଲାମୁଣ୍ଡା ଫାଣ୍ଡିରେ କେସ୍‌ ନଂ ୧୩/୧୮.୯.୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପୁଲିସ ଏସ୍‌ଆଇ କୃତ୍ତିବାସ ପୁଝାରୀ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ମୃତ ଶ୍ରୀକାନ୍ତଙ୍କ ପକେଟରୁ ସୁଇସାଇଡାଲ ନୋଟ ଜବତ କରିଥିଲେ। ଏଭଳି ବହୁ ଚାକିରି ଆଶାୟୀ ଥିବା ଯୁବକ ଯୁବତୀମାନଙ୍କୁ ଠକେଇ ଜାଲରେ ପକାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରୁ ବହୁ ଘଟଣାର ପୁଲିସରେ ଏତଲା ମଧ୍ୟ ହୋଇପାରି ନାହିଁ।

ବଲାଙ୍ଗୀର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହିତ ସହଯୋଗୀ ଭାବରେ ଥାଇ ବିନୀତ ନାଏକ କଳାହାଣ୍ଡି ଜିଲ୍ଲାରେ ନିଜର ଠକେଇର ଜାଲ ବିଛାଇବାରେ ଲାଗିଥିଲା। ବର୍ତ୍ତମାନ ଜେଲରେ ଥିବା ଯୋଗୁଁ ବହୁ ଯୁବକ ଯୁବତୀ ନିଜ ଜମିବାଡ଼ି ଓ ଗହଣା ବିକି ଟଙ୍କା ଦେଇଥିବା ବେଳେ ବର୍ତ୍ତମାନ ଫେରିବାର ଆଶା ମଉଳି ଯାଇଛି। ଏଭଳି ନକଲି ସାର୍ଟିଫିକେଟ ରାକେଟରେ ବିନୀତ ସମ୍ପୃକ୍ତି ଥିବା ସନ୍ଦେହ ପ୍ରକାଶ ପାଇଛି। ମନୋଜ ମିଶ୍ର ସହ ବିନୀତ ନାଏକ ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କଲେ କଳାହାଣ୍ଡି ଘଟଣା ପ୍ରଘଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର