ଆର୍‌ଜିଏଚ୍‌ରେ ନକଲି ନର୍ସ: ସାଢ଼େ ୩ ବର୍ଷ ଧରି କାମ କରୁଥିଲେ

ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୁଲିସ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନକଲି ନର୍ସ (ନର୍ସିଂ ଅଫିସର) ରାକେଟ୍‌। ଜଣେ କି ଦୁଇ ଜଣ ନୁହନ୍ତି, ଏକାଧିକ ଯୁବତୀ ନର୍ସ ବେଶରେ କାମ କରୁଥିବା ଜଣାପଡ଼ିଛି। ସୋମବାର ଦିନ ଜଣେ ନକଲି ନର୍ସ ପୋଷାକଧାରୀ ଯୁବତୀ ଚମ୍ପଟ ମାରିବାପରେ ଏମିତି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି।

ଚମ୍ପଟ ମାରିଥିବା ଯୁବତୀର ନାମ ଏସ୍. ଖାଲ୍‌କୋ। ମିଳିଥିବା ସୂଚନା ଅନୁସାରେ, ମାତୃଶିଶୁ ହସ୍ପିଟାଲର ପ୍ରସୂତି ପ୍ରକୋଷ୍ଠର ନବଜାତଶିଶୁଙ୍କୁ କ୍ୟାବିନ୍‌କୁ ଆଣିବାକୁ ଦାୟିତ୍ବରେ ଥିବା ଅଧିକାରୀ କ୍ୟାବିନ୍‌ ସହାୟକଙ୍କୁ କହିଥିଲେ। ହେଲେ, ଏହି ନକଲି ନର୍ସ ଜଣକ ନବଜାତକକୁ ଆଣିବାକୁ ବାହାରିଥିଲେ। ମାତ୍ର, କ୍ୟାବିନ୍‌ ଆଟେଣ୍ଡାଣ୍ଟ ବାସନ୍ତୀ ଏହାର ବିରୋଧ କରିଥିଲେ। ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାସନ୍ତୀ ନକଲି ନର୍ସଙ୍କୁ ତାଙ୍କ ପରିଚୟପତ୍ର ମାଗିଥିଲେ। ମାତ୍ର, ଯୁବତୀ ଜଣକ ପରିଚୟପତ୍ର ଦେଖାଇ ପାରିନଥିଲେ। ବାସନ୍ତୀ ଏ ସମ୍ପର୍କରେ ନର୍ସିଂଅଫିସର ଅଧୀକ୍ଷକ ଲଳିତା ଖାଲ୍‌କୋଙ୍କୁ ଜଣାଇଥିଲେ। ଅଧୀକ୍ଷକ ଖାଲ୍‌କୋ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବତୀ ଜଣକ ସେଠାରୁ ଚମ୍ପଟ ମାରିଥିଲେ।

ଏହି ଘଟଣା ପ୍ରଚାର ହେବାପରେ ମାତୃଶିଶୁ ହସ୍ପିଟାଲରେ ଡାକ୍ତର ଓ ନର୍ସିଂଅଫିସର୍‌ଙ୍କ ଭିଡ଼ ଜମିଥିଲା। ଖବରପାଇ ଆର୍‌ଜିଏଚ୍‌ ଅଧୀକ୍ଷକ ଡା. ଗଣେଶ ପ୍ରସାଦ ଦାସ ଓ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ନକଲି ନର୍ସ ସାଢ଼େ ୩ ବର୍ଷ ଧରି ଆର୍‌ଜିଏଚ୍‌ରେ କ’ଣ କରୁଥିଲେ? କେଉଁମାନଙ୍କ ଏହି ରାକେଟ୍‌ରେ ସଂପୃକ୍ତି ଅଛି? ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆର୍‌ଜିଏଚ୍‌ କର୍ମଚାରୀ ଓ ରୋଗୀ ପରିଜନମାନେ ଦାବି କରିଛନ୍ତି। ଆର୍‌ଜିଏଚ୍‌ ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସ ଏ ସଂକ୍ରାନ୍ତରେ ରଘୁନାଥପାଲି ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ବିଭିନ୍ନ ୱାର୍ଡରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ଯାଞ୍ଚ କରୁଛି। କେବଳ ଏତିକି ନୁହେଁ, ଆର୍‌ଜିଏଚ୍‌ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଜରିଆରେ ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ପ୍ରାୟ ୨୩୦ରୁ ଅଧିକ ନର୍ସିଂ ଅଫିସର ଯୁବତୀ ଜଣକ ଅସଲି କି ନକଲି, ତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର