ରେଳ କୋଚିଂ ଡିପୋରେ ନିଆଁ: ଜଳିଗଲା ଏସି ବଗି

ପୁରୀ: ରେଳ କୋଚିଂ ଡିପୋରେ ହୁତୁହୁତୁ ହୋଇ ଜଳିଲା ଟ୍ରେନ୍ ବଗି। ଆଇଓଏସ୍‌-୧ ଡିପୋରେ ୧୬୧୧୫୫ ନମ୍ବର ବିଶିଷ୍ଟ ଏସି ବଗିର କାମ ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଏସି ବଗି ହୋଇଥିବାରୁ ବ୍ୟାଟେରି ଜଳିବା ସହ ବଗିର ବାହାର ପାର୍ଶ୍ବରେ ନିଆଁ ଲାଗି ଜଳି ଯାଇଥିଲା। ନିଆଁ ଭିତରକୁ ବ୍ୟାପିଯିବାରୁ କେତେକ ସିଟ୍‌ ମଧ୍ୟ ଜଳି ଯାଇଥିଲା। ତେବେ ନିଆଁ ଧରିବା ଆଗରୁ ବଗିର ଝରକା କାଚକୁ ଭାଙ୍ଗି ଦେବାରୁ ବଗିର ଭିତର ପାର୍ଶ୍ବ ବିଶେଷ କ୍ଷତି ହୋଇନଥିଲା। ପିଟ୍‌ ଲାଇନ୍‌ସରେ ତେଲ ଜମା ହୋଇ ରହିଥିବାରୁ ନିଆଁ ତ୍ବରିତ ବେଗରେ ବ୍ୟାପି ଯାଇଥିଲା। ଡିପୋରେ ଅନ୍ୟ ୩ଟି ବଗି ପାଖାପାଖି ଥିଲେ ହେଁ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିବାରୁ ବଡ଼ ଅଗ୍ନିକାଣ୍ଡରୁ ଡିପୋ ବର୍ତ୍ତି ଯାଇଛି।

ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଡିପୋରେ ପିଟ୍‌ ଲାଇନ୍‌ସରେ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ରେଳ ଡିପୋ କର୍ମଚାରୀମାନେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବାରୁ, ସଟ୍‌ ସର୍କିଟ୍‌ରୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ତେବେ ନିଆଁ ଲାଗିବାର କାରଣ ନେଇ ତଦନ୍ତ ଚାଲୁ ରହିଛି। ଖୋର୍ଦ୍ଧାରୋଡ୍‌ରୁ ରେଳ କର୍ତ୍ତୃପକ୍ଷ ଆସି ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ କହିବା ମୁତାବକ, ଡିପୋରେ ନିଆଁ ଲାଗିବା ଘଟଣା ସମ୍ଭବତଃ ପ୍ରଥମ। ଯଦିଓ ନିଆଁ ତୁରନ୍ତ ପିଟ୍‌ ଲାଇନ୍ସରେ ଇନ୍ଧନ ଯୋଗୁ ବ୍ୟାପି ଯାଇଥିଲା, କିନ୍ତୁ କର୍ମଚାରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ନିଆଁ ଲାଗିବା ପରେ ରେଳ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର୍‌ ପ୍ରସନ୍ନ ବେହେରାଙ୍କ ସୂଚନା ମୁତାବକ, ୧୨ଟା ୩୮ରେ କୋଚିଂ ଡିପୋରେ ନିଆଁ ଲାଗିଥିବା ନେଇ ଖବର ପାଇବା ମାତ୍ରେ ତୁରନ୍ତ ସେଠାରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା। ପାଣି ଓ ଫୋମ୍‌ ଜରିଆରେ ନିଆଁ ଲିଭା ଯାଇଥିଲା। ୧୫ ଜଣ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀଙ୍କ ସମେତ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର