ଦଶପଲ୍ଲାରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌: ଏକାଠି ହେଲେ ୧୪ ବିଧାୟକ

ବିଧାୟକ ଏକା‌‌ଦଶ- ଜିଲ୍ଲା ପ୍ରଶାସନ ଏକାଦଶ ଲଢ଼େଇ

ଦଶପଲ୍ଲା : ଦଶପଲ୍ଲା ସ୍ପୋର୍ଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡ଼ିଆଠାରେ ବିଧାୟକ ଏକାଦଶ ଓ ନୟାଗଡ଼ ଜିଲ୍ଲା ପ୍ରଶାସନ ଏକାଦଶ ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ରୋଚକ ମ୍ୟାଚ୍‌ରେ କେହି କାହାରିକୁ ଗୋଲ୍‌ ଦେଇ ପାରିନାହାନ୍ତି।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧିନାୟକତ୍ବରେ ବିଧାୟକ ଏକାଦଶ ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲେ। ବିଧାୟକଙ୍କ ଟିମ୍‌ରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବାଲିଗୁଡ଼ା ବିଧାୟକ ଚକ୍ରଧର କଅଁର, ବରଗଡ଼ ବିଧାୟକ ଦେବେଶ କୁମାର ଆଚାର୍ଯ୍ୟ, ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ପ୍ରମୁଖ ସାମିଲ୍‌ ହୋଇଥିଲେ। ସେହିଭଳି, ଜିଲ୍ଲା ପ୍ରଶାସନ ଏକାଦଶ ଜିଲ୍ଲାପାଳ ରବୀନ୍ଦନାଥ ସାହୁଙ୍କ ଅଧିନାୟକତ୍ବରେ ପଡ଼ିଆକୁ ଓହ୍ଲାଇଥିଲା। ଏହି ଟିମ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ରାୟଙ୍କ ସମେତ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ବେହେରା, ପ୍ରିୟରଞ୍ଜନ ବେହେରା, ନିରଞ୍ଜନ ବିଶ୍ବାଳ, ଚିତ୍ତରଞ୍ଜନ ମହ‌ାରଣା, ବିଶ୍ବଜିତ ମହାପାତ୍ର, ଜିତେନ୍ଦ୍ର ନାୟକ ପ୍ରମୁଖ ବିଭିନ୍ନ ବିଭାଗର ଅଧିକ‌ାରୀ ସାମିଲ୍‌ ହୋଇଥିଲେ। ମାତ୍ର, କେହି ମ୍ୟାଚ୍‌ ଜିତି ନ ପାରିବାରୁ ଟ୍ରଫିକୁ ଜିଲ୍ଲାପାଳ ୬ ମାସ ଓ ବିଧାୟକ ଏକାଦଶ ୬ ମାସ ରଖିବେ ବୋଲି ବିଧାୟକ ଏକାଦଶ ଅଧିନାୟକ ଡ. ଅରୁଣ ସାହୁ ଘୋଷଣା କରିଥିଲେ।

ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନେତୃତ୍ବରେ ଏହିଭଳି ଏକ ମ୍ୟାଚ୍‌ ଆୟୋଜିତ ହୋଇଥିଲା ଏବଂ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକମାନେ ଏଥିରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର